ଯୁବ ବ୍ୟବସାୟୀଙ୍କ ଶବ ଉଦ୍ଧାର, ହତ୍ୟା ସନେ୍ଦହ
ନୀଳଗିରି ଅଞ୍ଚଳର ଜଣେ ଯୁବ ବ୍ୟବସାୟୀ କେନ୍ଦୁଝର ଜିଲ୍ଲାରେ ଦୀର୍ଘ ୨୦ବର୍ଷ ଧରି ରହି ବ୍ୟବସାୟ କରି ଆସୁଥିବାବେଳେ ଗତ ମଙ୍ଗଳବାର ସକାଳେ ଏକ ପୋଲ ତଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।
ଖବରରୁ ପ୍ରକାଶ ଯେ, ନୀଳଗିରି ଥାନା ତଥା ନରସିଂହପୁର ପଞ୍ଚାୟତ ତିନି ଦେଶ ଗ୍ରାମର ସ୍ୱର୍ଗତ ମହେନ୍ଦ୍ର ପାତ୍ରଙ୍କ ପୁଅ ଟୁକୁ ଓରଫ୍ ବସନ୍ତ ପାତ୍ର (୪୮)କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଧିନ ଚମ୍ପୁଆ ବଜାରରେ ଗତ ୨୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ସେଠାରେ ରହି ହୋଲସେଲ ବ୍ୟବସାୟ କରି ଆସୁଥିଲେ । ତାଙ୍କ ସହିତ ସ୍ତ୍ରୀ ଓ ୧୨ବର୍ଷର ଏକମାତ୍ର ପୁତ୍ର ମଧ୍ୟ ରହୁଥିଲେ । ତେବେ ଗତ ୩୦ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଆଉ ଫେରି ନଥିଲେ । ଏ ନେଇ ପରିବାର ପକ୍ଷରୁ ତାଙ୍କ ମୋବାଇଲ ଫୋନ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ତାଙ୍କ ଫୋନ୍ ସୁଇସ୍ ଅଫ୍ ହୋଇଥିଲା । ଏବଂ ବହୁ ଖୋଜା ଖୋଜି କରି ନିରୁପାୟ ହୋଇଥିଲେ । ପରଦିନ ମଙ୍ଗଳବାର ସକାଳେ କେନ୍ଦୁଝର ଝାଡ଼ଖଣ୍ଡ ରାସ୍ତା ଜୟନ୍ତୀ ପୋଲ ଉପରେ ତାଙ୍କ ବାଇକ୍ ଛିଡା ହୋଇଥିବା ବେଳେ ପୋଲ ତଳେ ଚେତା ଶୂନ୍ୟ ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳିଥିଲା । ଖବର ପାଇ ଚମ୍ପୁଆ ପୁଲିସ ଶବ ଜବତ କରି ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ତାଙ୍କ ସ୍ତ୍ରୀ ଚମ୍ପୁଆ ଥାନାରେ ତାଙ୍କ ସ୍ୱାମୀକୁ କେହି ମାରିଦେଇଥିବା ଲିଖିତ ଅଭିଯୋଗ କରିଛନ୍ତି । ଚମ୍ପୁଆ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି ।