ନବକୃଷ୍ଣଙ୍କ ଠାରୁ ନବୀନଙ୍କ ଯାଏଁ...୧୯୫୩ରେ ଆସିଥିଲା ପ୍ରଥମ ଅନାସ୍ଥା
ଭୁବନେଶ୍ୱରରୁ ରାମଚଣ୍ଡୀ ପ୍ରସାଦ ରଣସିଂହ :
ପ୍ରାୟ ୧୭ ବର୍ଷ ପରେ ଓଡ଼ିଶା ବିଧାନସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ୍ ଆସିଛି । କଂଗ୍ରେସ ବିଧାୟକମାନେ ଆଜି ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ଅନାସ୍ଥା ନୋଟିସ୍ ଦେଇଛନ୍ତି । ବିଧାନସଭାରେ ବାଚସ୍ପତି ତାହାକୁ ଗ୍ରହଣ କରୁଛନ୍ତି କି ନାହିଁ, ଯଦି ଗ୍ରହଣ କରିବେ କେବେ ଆଲୋଚନା ହେବ, ବିଜେଡ଼ିର ଆଭିମୁଖ୍ୟ କ’ଣ ରହିବ ଏମିତି ଅନେକ ପ୍ରଶ୍ନ ରାଜନୀତିକ ଅଳିନ୍ଦରେ ଘୂରିବୁଲୁଛି । ତେବେ ଓଡ଼ିଶାରେ ଅନାସ୍ଥା ଇତିହାସ ବହୁ ପୁରୁଣା । ପ୍ରଥମ ବିଧାନସଭା ଅମଳରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ବିରୋଧରେ ଅନାସ୍ଥା ନୋଟିସ୍ ଆସିଥିବାର ନଜିର ରହିଛି । ଏଯାବତ୍ ସରକାରଙ୍କ ବିରୋଧରେ ଆସିଥିବା ୧୪ଟି ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହୋଇଛି । ତେବେ ସବୁଥର ଅନାସ୍ଥା ଭୋଟ୍ ସରକାରଙ୍କ ସପକ୍ଷରେ ହିଁ ଯାଇଛି ।
ତଥ୍ୟ ଅନୁଯାୟୀ, ପ୍ରଥମ ବିଧାନସଭାରେ ୨ଟି, ତୃତୀୟ ବିଧାନସଭାରେ ୩, ଚତୁର୍ଥ ବିଧାନସଭାରେ ୩, ସପ୍ତମ ବିଧାନସଭାରେ ଗୋଟିଏ, ଅଷ୍ଟମ ବିଧାନସଭାରେ ଗୋଟିଏ, ଏକାଦଶ ବିଧାନସଭାରେ ୨ଟି, ଦ୍ୱାଦଶ ଓ ତ୍ରୟୋଦଶ ବିଧାନସଭାରେ ଗୋଟିଏ ଲେଖାଏଁ ଅନାସ୍ଥା ପ୍ରସ୍ତାବ ଆସିଥିଲା ।
୧୯୫୩ରେ ବିଧାନସଭାରେ ପ୍ରଥମ ଅନାସ୍ଥା ଆସିଥିଲା । ସେହିବର୍ଷ ଅପ୍ରେଲ ୧୫ରେ ଶ୍ରଦ୍ଧାକର ସୁପକାର ତକôାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ । ତେବେ ପ୍ରସ୍ତାବ ସପକ୍ଷରେ ୫୨ଟି ଭୋଟ୍ ଆସିଥିବାବେଳେ ବିପକ୍ଷରେ ଆସିଥିଲା ୬୮ ଭୋଟ୍ । ସେତେବେଳେ ସାତଦିନ ଧରି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ୧୯୫୫ରେ ପୁଣି ନବକୃଷ୍ଣ ସରକାରଙ୍କ ବିରୋଧରେ ଶ୍ରଦ୍ଧାକର ଅନାସ୍ଥା ଆଣିଥିଲେବି ପ୍ରସ୍ତାବ ସପକ୍ଷରେ ୪୫ ଓ ବିପକ୍ଷରେ ୭୬ଟି ଭୋଟ୍ ପଡ଼ିଥିଲା ।
୧୯୬୧ରେ ବିଜୁ ପଟ୍ଟନାୟକଙ୍କ ସରକାର ବିରୋଧରେ ଆରଏନ ସିଂହଦେଓ ଅନାସ୍ଥା ଆଣିଥିଲେ । ୧୯୬୧ ଡିସେମ୍ବର ୬ରେ ଆସିଥିବା ଏହି ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୪୯ ଓ ବିପକ୍ଷରେ ୭୯ ଜଣ ମତ ଦେଇଥିଲେ । ସେତେବେଳେ ୩ ଦିନ ଧରି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ପୁଣି ବିଜୁବାବୁଙ୍କ ସରକାର ବିରୋଧରେ ୧୯୬୩ ମସିହା ସେପ୍ଟେମ୍ବର ୧୬ରେ ଅନାସ୍ଥା ଆସିଥିବାବେଳେ ୩ ଦିନ ଆଲୋଚନା ହୋଇଥିଲା । ତେବେ ବାଚନିକ ଭୋଟରେ ଅନାସ୍ଥା କାଟ୍ ଖାଇ ଯାଇଥିଲା । ସେତେବେଳେ ହରିହର ପଟେଲ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ।
୧୯୬୪ ମସିହା ଅପ୍ରେଲ ୧୭ରେ ବୀରେନ ମିତ୍ରଙ୍କ ସରକାର ବିରୋଧରେ ଆରଏନ ସିଂହଦେଓ ଅନାସ୍ଥା ଆଗତ କରିଥିଲେ । ଦୁଇଦିନ ଧରି ଆଲୋଚନା ହୋଇଥିବାବେଳେ ପ୍ରସ୍ତାବ ସପକ୍ଷରେ ୪୮ ଓ ବିପକ୍ଷରେ ୭୭ ମତ ଆସିଥିଲା ।
ଦୁଇ ଦୁଇ ଥର ଆରଏନ ସିଂହଦେଓ ଅନ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିଥିବାବେଳେ ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ମଧ୍ୟ ଅନାସ୍ଥାର ସାମ୍ନା କରିଥିଲେ । ସଦାଶିବ ତ୍ରିପାଠୀ ଓ ଅନ୍ୟମାନେ ସିଂହଦେଓଙ୍କ ମିଳିତ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ୧୯୬୮ ମସିହା ଜୁନ୍ ୨୫ରେ ସେ ଅନାସ୍ଥା ଆଗତ କରିଥିବାବେଳେ ଜୁନ୍ ୨୭ରେ ପ୍ରସ୍ତାବ ସପକ୍ଷରେ ୫୬ ଓ ବିପକ୍ଷରେ ୭୪ ମତ ଆସିଥିଲା । ୧୯୬୮ ଡିସେମ୍ବର ୩ରେ ନାରାୟଣ ସାହୁ ଓ ଅନ୍ୟମାନେ ସିଂହଦେଓ ସରକାର ବିରୋଧରେ ପୁଣି ଅନାସ୍ଥା ଆଣିଥିଲେ । ତେବେ ପ୍ରସ୍ତାବ ସପକ୍ଷରେ ୪୭ ଓ ବିପକ୍ଷରେ ୭୦ ମତ ଆସିଥିଲା । ପୁନଶ୍ଚ ୧୯୭୦ ସେପ୍ଟେମ୍ବର ୧୧ରେ ଆରଏନ ସିଂହଦେଓଙ୍କ ସରକାର ବିରୋଧରେ ଗଙ୍ଗାଧର ପାଇକରାୟ ଓ ଅନ୍ୟମାନେ ଅନାସ୍ଥା ଆଣିଥିଲେ । ସେହି ପ୍ରସ୍ତାବ ବି କାଟ୍ ଖାଇ ଯାଇଥିଲା ।
ଏହାର ପ୍ରାୟ ୯ ବର୍ଷ ପରେ ଅର୍ଥାତ୍ ୧୯୭୯ ମସିହା ସେପ୍ଟେମ୍ବର ୧୨ରେ ପ୍ରହ୍ଲାଦ ମଲ୍ଲିକ ତକôାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଓ ତାଙ୍କ ମନ୍ତ୍ରୀମଣ୍ଡଳ ବିରୋଧରେ ଅନାସ୍ଥା ଆଣିଥିଲେ । ଯାହା ସପକ୍ଷରେ ୪୪ ଓ ବିପକ୍ଷରେ ୮୪ ମତ ଆସିଥିଲା । ୧୯୮୩ରେ ଜାନକୀ ପଟ୍ଟନାୟକଙ୍କ ସରକାର ବିରୋଧରେ ଅନାସ୍ଥା ଆଣିଥିଲେ ଶରତ ଦେବ । ତେବେ ଆଲୋଚନା ପରେ ବାଚନିକ ଭୋଟରେ ପ୍ରସ୍ତାବଟି କାଟ୍ ଖାଇ ଯାଇଥିଲା । ଏହାର ୧୪ ବର୍ଷ ପରେ ପୁଣି ବିଧାନସଭା ଦେଖିଥିଲା ଅନାସ୍ଥା । ୧୯୯୭ ସେପ୍ଟେମ୍ବର ୧୧ରେ ଜାନକୀବାବୁଙ୍କ ସରକାର ବିରୋଧରେ ଅନାସ୍ଥା ଆଣିଥିଲେ ଅଶୋକ ଦାସ । ତେବେ ଏହି ପ୍ରସ୍ତାବ ସପକ୍ଷରେ ୫୩ ଓ ବିପକ୍ଷରେ ୮୧ ମତ ଆସିଥିଲା । ୧୯୯୮ ଅଗଷ୍ଟ ୩ରେ ପୁଣି ଅଶୋକ ଦାସ ଅନାସ୍ଥା ଆଣିଥିଲେବି ତାହା ବାଚନିକ ଭୋଟରେ କାଟ୍ ଖାଇ ଯାଇଥିଲା ।
୨୦୦୧ରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ସରକାର ଅନାସ୍ଥାର ସାମ୍ନା କରିଥିଲେ । ଉମେଶ ସ୍ୱାଇଁ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଦୁଇଦିନ ଧରି ଆଲୋଚନା ପରେ ଏହି ପ୍ରସ୍ତାବଟି ବାଚନିକ ଭୋଟରେ କାଟ୍ ଖାଇ ଯାଇଥିଲା । ୨୦୦୮ରେ ବି ନବୀନ ପଟ୍ଟନାୟକଙ୍କ ସରକାର ଅନାସ୍ଥାର ସାମ୍ନା କରିଥିଲେ । ସେତେବେଳେ ବିରୋଧୀ ଦଳ ନେତା ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ । ଏହା ପରଠାରୁ ନବୀନ ବାବୁ କେବେ ଅନାସ୍ଥାର ସାମ୍ନା କରିନଥିଲେ ।