ନମସ୍କାର
ଆଜିର ସକାଳ ନୂଆ ସକାଳ । ୨୦୨୪ ମସିହା ବିଦାୟ ନେଇ ୨୦୨୫ ମସିହାରେ ଏବେ ଆମେ । ୨୦୨୪ ମସିହାରେ ରାଷ୍ଟ୍ର ଏବଂ ରାଜ୍ୟ ଅନେକ ସଫଳତା ଦେଖିଛି । ଆର୍ନ୍ତଜାତିକ କ୍ଷେତ୍ରରେ ଯୁଦ୍ଧର ଘନଘୋଟା ଯେଭଳି ଜଟିଳ ପରିସ୍ଥିତି ସୃଷ୍ଟି କରିଛି ଠିକ୍ ସେହିପରି ଭାରତ ସହିତ ଅନ୍ୟ ଦେଶର ଆର୍ନ୍ତଜାତିକ ସମ୍ପର୍କ କେଉଁଠି ତିକ୍ତ ତ ଆଉ କେଉଁଠି ମଧୁର ହୋଇଛି । ବିନା କାରଣରେ ମାଳଦ୍ୱୀପର ରାଜନେତାମାନେ ଭାରତ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେଲେ । ଚୀନ୍ର ପ୍ରରୋଚନାରେ ଏଭଳି ଘଟଣା ଘଟିଲା । ସେହି ୨୦୨୪ ମସିହା ଭିତରେ ମାଳଦ୍ୱୀପ ନିଜର ଭୁଲ୍ ବୁଝିପାରି ପୁର୍ନବାର ଭାରତ ସହିତ ବନ୍ଧୁତାର ହାତ ବଢ଼ାଇଲା । ଅନ୍ୟପକ୍ଷରେ ଋଷ୍-ୟୁକ୍ରେନ୍ ଯୁଦ୍ଧ, ପାଲେଷ୍ଟାଇନ୍-ଗାଜାଷ୍ଟ୍ରିପ୍-ଇସ୍ରାଏଲ୍ ଅଞ୍ଚଳରେ ଯୁଦ୍ଧର ଘନଘୋଟା ବିଶ୍ୱ ବାୟୁମଣ୍ଡଳକୁ ଦୂଷିତ କରି ପକାଇଲା । ଏହିସବୁ ସ୍ଥାନରେ ଏବେ ବି ବୋମା ଓ କ୍ଷେପଣାସ୍ତ୍ରର ଧୂଆଁ କୁହୁଳୁଛି । ବର୍ଷର ଶେଷ ଆଡ଼କୁ ସଂସଦର ଲୋକସଭାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏସବୁ ଭିତରେ ବର୍ଷଟିଏ ବିତିଯାଇ ୨୦୨୪ ବିଦାୟ ନେଇ ୨୦୨୫ ଆସି ପହଞ୍ଚିଯାଇଛି । ସମସ୍ତେ ନୂଆବର୍ଷର ନୂଆ ଆଶାକୁ ଚାହିଁ ରହିଥିବା ବେଳେ ୨୦୨୪ର ଶେଷଭାଗ ଅତ୍ୟନ୍ତ ବିବାଦୀୟ ଘଟଣା ସବୁରେ ଚର୍ଚ୍ଚିତ ହୋଇଥିବା ବେଳେ ୨୦୨୫ର ଆରମ୍ଭ ମଧ୍ୟ ସେହିସବୁ ଘଟଣାର ପ୍ରଭାବରେ ପ୍ରଭାବିତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ଅଛି । ୨୦୨୪ ମସିହାରେ ଘଟିଥିବା ଦୁଃଖଦାୟକ ଘଟଣା ଏବଂ ଅପ୍ରୀତିକର ଘଟଣା ଗୁଡ଼ିକର ପ୍ରଭାବ ୨୦୨୫ରେ ରହିବ ବୋଲି ମଧ୍ୟ ମନେ ହୁଏ । ସାଧାରଣତଃ ନୂଆବର୍ଷକୁ ସମସ୍ତେ ଆଶା ଓ ସମ୍ଭାବନାର ପ୍ରତୀକ ଭାବରେ ଦେଖୁଥିବା ବେଳେ ଗତବର୍ଷ ଘଟିଯାଇଥିବା ଘଟଣା ସବୁ ଆସନ୍ତା ବର୍ଷକୁ ପ୍ରଭାବିତ କରିବା ଏକ ପ୍ରକାରର ନିଶ୍ଚିତ । ଯୁଦ୍ଧର ଘନଘୋଟା ଯେକୌଣସି ମୁହୂର୍ତ୍ତରେ ତୃତୀୟ ବିଶ୍ୱଯୁଦ୍ଧକୁ ଡ଼ାକି ଆଣିବା ଅସମ୍ଭବ ନୁହେଁ । ଅନ୍ୟପକ୍ଷରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଏକ ରାଜନୀତିକ ପଟ୍ଟ ପରିବର୍ତ୍ତନ ହେଉଥିବା ବେଳେ ୨୦୨୫ ମସିହାରେ ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ>୍ ଟ୍ରମ୍ପଙ୍କର ପଦକ୍ଷେପ ଉପରେ ବିଶ୍ୱ ବହୁ ପରିମାଣରେ ନିର୍ଭର କରିବ । ଗତବର୍ଷର ଶେଷ ଭାଗ ଆଡ଼କୁ ଋଷ-ୟୁକ୍ରେନ୍ ଯୁଦ୍ଧର ଏକ ପରିଣତି ସ୍ୱରୂପ ଋଷ୍ର ଏକ ବିଶାଳ ସୌଧକୁ ବିମାନ ଝଟ୍କାରେ ଯେଭଳି ଭାଙ୍ଗି ଦିଆଯାଇଛି, ଏହାର ପ୍ରତିଶୋଧ ଋଷ୍ ନେବା ପାଇଁ ଧମକ ଦେଇ ସାରିଲାଣି । ସେ ଦୃଷ୍ଟିରୁ ୨୦୨୫ ମସିହାଟି ଏକ ଶାନ୍ତ ବାତାବରଣ ଏବଂ ଶାନ୍ତିପୂର୍ଣ୍ଣ ପରିବେଶ ଭିତରେ କଟିବ ବୋଲି ଆଶା କରାଯାଇପାରୁନାହିଁ ।
ରାଜ୍ୟ ରାଜନୀତିରେ ଏକ ବିରାଟ ପରିବର୍ତ୍ତନ ୨୦୨୪ମସିହାରେ ଘଟିଛି । ପରାଜିତ ଦଳଗୁଡିକ ସେମାନଙ୍କ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଅନ୍ୟପକ୍ଷରେ ଶାସକ ଦଳ ଲୋକମାନଙ୍କର ଆଶା ଓ ଆକାଂକ୍ଷାକୁ କିଭଳି ଭାବରେ ପୂରଣ କରିବା କଥା ତାହା ୨୦୨୪ ମସିହାରେ ବିଶେଷ ଭାବେ ପରିଲକ୍ଷିତ ହୋଇପାରିଲା ନାହିଁ । ୨୦୨୫ ମସିହା ନିଶ୍ଚିତ ରୂପେ ଦେଖିବ ବୋଲି ଆଶା କରାଯାଏ । ଦେଶର ରାଜନୀତି କ୍ଷେତ୍ରରେ ମଧ୍ୟ ବାତାବରଣ ଅଶାନ୍ତ ରହିବାର ସମ୍ଭାବନା ଅଛି । ଏସବୁ ସତ୍ତ୍ୱେ ୨୦୨୫ ମସିହାକୁ ଏକ ଆଶା ଆଶ୍ୱାସନା ଏବଂ ସମ୍ଭାବନାର ବର୍ଷ ଭାବରେ ଆମେ କାମନା କରିବା ।
୨୦୨୫ ମସିହା ସମସ୍ତଙ୍କ ପାଇଁ ଆଶାର ପରିପୂରଣ କରୁ ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ଆମେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛୁ । ଦିନକୁ ଦିନ ବିଶ୍ୱର ଭୌଗୋଳିକ ଓ ରାଜନୀତିକ ସ୍ଥିତି ଜଟିଳ ହେଉଥିବାରୁ ୨୦୨୫ ମସିହା ଆଶା ଅପେକ୍ଷା ଅଧିକ ଆଶଙ୍କା ଲୋକମାନଙ୍କ ମନରେ ଭରି ଦେଉଛି । ଏଭଳି ଏକ ପରିସ୍ଥିତିରେ ସାମାଜିକ ଏବଂ ଆର୍ଥôକ ଭାବରେ ପ୍ରତ୍ୟେକ ପରିବାର ଓ ବ୍ୟକ୍ତି ଏକ ନୂତନ ସମ୍ଭାବନାରେ ଏକ ନୂତନ ଆଶା ଓ ସମ୍ଭାବନା ମନରେ ରଖିବା ସ୍ୱାଭାବିକ କଥା । ଏହି ଆଶା ଓ ଆକାଂକ୍ଷା ପୂରଣ ପାଇଁ ନିହାତି ପକ୍ଷେ ଏକ ସକାରାତ୍ମକ ମନୋଭାବର ଆବଶ୍ୟକତା ରହିଛି । ସକାରାତ୍ମକ ମନୋଭାବ ବିନା ସୁଖ, ଶାନ୍ତି ପାଇବା ସମ୍ଭବ ନୁହେଁ । ଯୁଦ୍ଧର ଘନଘୋଟା ଭିତରେ ଏବଂ ବିଶ୍ୱଯୁଦ୍ଧର ଆଶଙ୍କା ଭିତରେ ୨୦୨୫ ମସିହାରେ ସବୁକିଛି ସମସ୍ୟାର ସମାଧାନ ହୋଇଯାଉ ବୋଲି ପୁର୍ନବାର ଈଶ୍ୱରଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ । ଆମର ଅଗଣିତ ପାଠକ, ସାମ୍ବାଦିକ, ବିତରକ, ବିଜ୍ଞାପନଦାତା, ପ୍ରତିପକ୍ଷ, ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗୀ ଆଦି ସମସ୍ତଙ୍କର କୁଶଳ ମଙ୍ଗଳ କାମନା କରି ଆମେ ୨୦୨୫ ମସିହାକୁ ସ୍ୱାଗତ କରୁଛୁ । ଆଜିର ନୂଆ ସକାଳ ସମସ୍ତଙ୍କ ପାଇଁ ମଙ୍ଗଳଦାୟକ ହେଉ । ନମସ୍କାର ।