ଶ୍ରୀଜୀଉଙ୍କ ନିଆରା ବିଧାନ
କିଶୋର କୁମାର ଜେନା : ବିଶ୍ୱର ସବୁଧର୍ମ - ସଂସ୍କୃତିର ମୂଳପିଣ୍ଡ ଶ୍ରୀଜଗନ୍ନାଥ ହେଉଛନ୍ତି ଏକ ଗଣ ଦେବତା । ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ଏକ ଗଣ ସଂସ୍କୃତିରେ ପରିଚିତ ହେବା ସ୍ୱାଭାବିକ । ଏହି ସଂସ୍କୃତିର ଅନାର୍ଯ୍ୟଭାବ, ଆର୍ଯ୍ୟଭାବ, ହିନ୍ଦୁ, ଜୈନ, ବୌଦ୍ଧ, ଶାକ୍ତ, ଶୈବ, ଗାଣପତ୍ୟ ଓ ବୈଷ୍ଣବଭାବ ପ୍ରଭୃତି ବିଭାବ ଦ୍ୱାରା ଭାବମୟ ଶ୍ରୀଜଗନ୍ନାଥ ଉପାସିତ । ବିଭିନ୍ନ ଧର୍ମଦେତାମାନେ ଶ୍ରୀଜଗନ୍ନାଥଙ୍କୁ ନିଜର ଉପାସ୍ୟ ଭାବେ ଗ୍ରହଣ କରିନେବା ପାଇଁ ସବର୍ଦା ବ୍ୟାକୁଳ ପ୍ରୟାସ କରିଅଛନ୍ତି । ଶ୍ରୀଜଗନ୍ନାଥ ସର୍ବଧର୍ମମତାଶ୍ରୟୀଙ୍କର ଏକ ମିଳନ ତୀର୍ଥ ଯାହାକି ଧର୍ମଯାଜକ, ପରିବ୍ରାଜକ, ବୈଜ୍ଞାନିକ, ଦାର୍ଶନିକ, ଗବେଷକ ତଥା ମହାମନିଷୀମାନଙ୍କୁ ଯୁଗେ ଯୁଗେ ଆକୃଷ୍ଟ କରିବାରେ ସମର୍ଥ । ଏହି ପରିପ୍ରେକ୍ଷୀରେ ଦ୍ୱାଦଶ ଶତାବ୍ଦୀର କବି ଉଦିୟନାଚାର୍ଯ୍ୟଙ୍କର ନିମ୍ନ ଉଦ୍ଧୃତି ଅନୁଶୀଳନୀୟ - ଯଥା - "ଯଂ ଶୈବାଃ ସମୁପାସତେ ଶିବ ଇତି ବ୍ରହ୍ମେତି ବେଦାନ୍ନନଃ । ବୌଦ୍ଧଃ ବୁଦ୍ଧି ଇତି ପ୍ରମାଣ ପଟବଃ କର୍ତ୍ତେତି ନୈୟାୟିକାଃ । ଅର୍ହନ୍ନିତ୍ୟଥ ଜୈନ ଶାସନରତାଃ କର୍ମେତି ମୀମାଂସକାଃ । ସେହୋୟଂ ବଃ ବିଦଧାତୁ ବାଞ୍ଚôତ ଫଳଂ ତୈ୍ରଲୋକ୍ୟନାଥହରିଃ ।'
ଜଗନ୍ନାଥ କେବଳ ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବିରାଜିତ ଏକ ଠାକୁର ପ୍ରତିମା ନୁହନ୍ତି । ଶ୍ରୀକ୍ଷେତ୍ରବାସୀଙ୍କ ପାଇଁ ସେ ହେଉଛନ୍ତି ମୁଖ୍ୟ ମୁରବି । ତାଙ୍କୁ ନ ପଚାରିଲେ ତାଙ୍କ ବିନାନୁମତିରେ ଶ୍ରୀ କ୍ଷେତ୍ରର କୌଣସି ଘରେ ସତେ ଯେମିତି ଚୁଲି ଜଳେନାହିଁ । ତେଣୁ ସମସ୍ତ ପୂଜା ପାର୍ବଣ ପ୍ରଥା ପରମ୍ପରା ସହିତ ଶ୍ରୀଜଗନ୍ନାଥ ଜଡ଼ିତ । ଏ ସମ୍ପର୍କ ଏକ ଭାବର ସମ୍ପର୍କ ଏବଂ ସେହି ଭାବର ମହନୀୟତା ସ୍ପଷ୍ଟ ପରିପ୍ରକାଶ ହୋଇଥାଏ । ଶ୍ରୀ ଜଗନ୍ନାଥଙ୍କର ନୀତି ପ୍ରତିଦିନର ଜୀବନଚର୍ଯ୍ୟାକୁ ନେଇ । ଏଠି ସକାଳ ହେଲେ ଘରର ଗେଲ ବସର ପୁଅକୁ ମା ନିଦରୁ ଉଠାଇଲା ଭଳି ଶ୍ରୀମନ୍ଦିର ଭିତରେ ଠାକୁରଙ୍କୁ ନିଦରୁ ଉଠାଇବା ପାଇଁ କାଳି ଅନ୍ଧାରୁ ଭକ୍ତଗଣ ରାମଚରିତ ମାନସ କରିଥାନ୍ତି । ଭଜନ ଜଣାଣ ଗାଇଥାନ୍ତି ଏବଂ ଝାଞ୍ଜ, ଖୋଳ, କୀର୍ତ୍ତନକରି ଠାକୁରଙ୍କୁ ନିଦରୁ ଉଠାଇବା ପାଇଁ ନିବେଦନ କରିଥାନ୍ତି । ଛପନ ପଉଟି ଭୋଗ ଖାଇ ନିଦ୍ରା ଯାଇଥିବା ଶ୍ରୀଜଗନ୍ନାଥ ଉଠିଲା ପରେ ଅବିକଳ ସାଧାରଣ ମଣିଷଟିଏ ପରି ଦାନ୍ତ ଘସିବାଠାରୁ ଆରମ୍ଭ କରି ଜଳଖିଆ ଖାଇବା ପର୍ଯ୍ୟନ୍ତ ଏବଂ ନିଜ ରାଜ୍ୟର ହାଲଚାଲ ବୁଝିବା ପାଇଁ ସର୍ବସାଧାରଣଙ୍କୁ ନିଜ ରତ୍ନ ସିଂହାସନ ଯାଏଁ ଆମନ୍ତ୍ରିତ କରିଥାନ୍ତି ସେ ।
ସତେ ଯେପରି ସାଧାରଣ ମଣିଷର ସୁଖଦୁଃଖ ଭଲ ମନ୍ଦର କଥା ବୁଝିଥାନ୍ତି । ଏଭଳି ଏକ ଠାକୁର ଯାହାଙ୍କର ଦେହ ମଧ୍ୟ ଖରାପ ହୁଏ, ଜ୍ୱର ହୁଏ । ଔଷଧ ଖାଇ ଆରୋଗ୍ୟ ମଧ୍ୟ ଲାଭ କରନ୍ତି । ବର୍ଷକରେ ଥରେ ସାଧାରଣ ମଣିଷଟିଏ ଚାକିରି କ୍ଷେତ୍ରରୁ ଛୁଟିନେଇ ବାହାରକୁ ବୁଲିଗଲା ଭଳି ମହାପ୍ରଭୁ ମଧ୍ୟ ରଥରେ ବସି ବୁଲି ଯାଇଥାନ୍ତି । ଅବଶ୍ୟ ତାହାକୁ ରଥଯାତ୍ରା ବା ଘୋଷଯାତ୍ରା କୁହାଯାଏ । ସେ ମନ୍ଦିର ପରିସରରେ ସବୁଦିନ ପାଇଁ ଆବଦ୍ଧ ରହିବାକୁ ଚାହାନ୍ତି । ବଡ଼ଠାକୁର ନିଜେ ଆଖିରେ - ଦେଖିବେ ଦେଶ ଦୁନିଆ ହାଲ । ସେହିଭଳି ଅବଲୀଳାକ୍ରମେ ଯୋଡ଼ା ଆଷାଢ଼ରେ ସେ ଶରୀର ତ୍ୟାଗ କରିଥାନ୍ତି । ଏଭଳି ଠାକୁର ସମଗ୍ର ବିଶ୍ୱରେ ବିରଳ ।
ସ୍ନାନ ଓ ଶ୍ରୀଗୁଣ୍ଡିଚା ମଧ୍ୟବର୍ତ୍ତୀ ସମୟରେ ହେଉଥିବା ବିଧାନ ହେଉଛି ଅନବସର ବା ଅଣସର । ଦେବସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଠାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ହିଁ ଅଣସର ନାମରେ ପରିଚିତ । ଠାକୁରମାନେ ସ୍ନାନ ପରେ ବିଜେ କରିଥାନ୍ତି ଅଣସର ପିଣ୍ଡିରେ । ସାଧାରଣ ଦର୍ଶନ ନିଷେଧ ଥିବା ଏହି ୧୫ ଦିନ ଶବରରାଜ ବିଶ୍ୱାବସୁ ଓ ବିଦ୍ୟାପତିଙ୍କର ବଂଶଧର ଦଇତା ପତି ସେବାୟତଙ୍କ ଅଖଣ୍ଡ ଅଧିକାର ଦେଖିବାକୁ ମିଳେ । ତେବେ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ଦେବତା ଭାବେ ଶ୍ରୀ ନାରାୟଣ ସ୍ୱୀକୃତ । ତାଙ୍କର ଧାତୁ ମୂର୍ତ୍ତି ଶ୍ରୀମନ୍ଦିରର ଦକ୍ଷିଣୀ ଘରେ ବର୍ଷ ସାରା ଉପାସିତ ହୁଅନ୍ତି । ବିଶିଷ୍ଟ ଗବେଷକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ରଙ୍କ ତଥ୍ୟ ଅନୁଯାୟୀ ମହାପ୍ରଭୁଙ୍କ ଆଜ୍ଞାରେ ଶ୍ରୀ ନାରାୟଣ ଜଗତ ମଙ୍ଗଳ ଲୀଳା କରନ୍ତି କିନ୍ତୁ ଅଣସର ସମୟରେ ମହାପ୍ରଭୁଙ୍କ ସ୍ଥାନରେ ଧାତୁ ବିଗ୍ରହ ପୂଜିତ ନହୋଇ ଶ୍ରୀ ନାରାୟଣ ପଟି ଚିତ୍ରରେ ଶୋଭା ପାଆନ୍ତି । ମହାପ୍ରଭୁ ନିଜେ ଅନନ୍ତ, ଯାହାଙ୍କର ଆଦି ଅନ୍ତ ନାହିଁ ବୋଲି ଶାସ୍ତ୍ରରେ କୁହାଯାଇଛି । ତେଣୁ ଅଣସରରେ ମହାପ୍ରଭୁଙ୍କ ସ୍ଥାନରେ ଶ୍ରୀ ନାରାୟଣ ପୂଜା ହୁଅନ୍ତି । ଶ୍ରୀ ଅନନ୍ତ ନାରାୟଣ ରୂପରେ ଚାରି ବାହୁଯୁକ୍ତ ହୁଅନ୍ତି । ପଟି ଦିଅଁ ପରମ୍ପରାରେ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ଅନନ୍ତ ନାରାୟଣ ଏବଂ ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଉପାସିତ ହୁଅନ୍ତି ଶ୍ରୀ ଅନନ୍ତ ବାସୁଦେବ । ଉଭୟ ବୈଷ୍ଣବ ଓ ଶୈବ ଧାରାର ମିଶ୍ରିତ ଉପାସନା ପଦ୍ଧତିରେ ଶ୍ରୀକ୍ଷେତ୍ର ମୈତ୍ରୀର ମୂଲ୍ୟବୋଧର ପ୍ରତୀକ ଭାବେ ପରିଚିତ । ଅଣସର ନୀତିର ୩ଟି ମୌଳିକ ତାତ୍ପର୍ଯ୍ୟ ରହିଛି । ପୌରାଣିକ ମତରେ ଶବର ଭକ୍ତ ବିଶ୍ୱାବସୁଙ୍କ ସ୍ମୃତିଚାରଣ, ଦ୍ୱିତୀୟ ଠାକୁରଙ୍କ ଗୁପ୍ତନୀତି ପାଇଁ ସମୟ ଓ ସୁଯୋଗ ସୃଷ୍ଟି ଏବଂ ତୃତୀୟରେ ଶ୍ରୀଜୀଉ ଜ୍ୱର ବାଧିକାଗ୍ରସ୍ତ ହୋଇ ଔଷଧ ଗ୍ରହଣ କରିବାର ଦୃଷ୍ଟାନ୍ତ । ଏହି ସମୟରେ ପ୍ରଭୁଙ୍କୁ ଅନ୍ନ ଭୋଗ ବଦଳରେ ବିଭିନ୍ନ ଫଳମୂଳ, ଚକଟା ଓ ପଣା ଭୋଗ ପୂଜା କରାଯାଏ । ଏହି ଘରଟିକୁ ବାଉଁଶ ତାଟିରେ ଆବୃତ୍ତ କରି ରଖାଯାଏ । ଅତ୍ୟଧିକ ସ୍ନାନ ହେତୁ ଶ୍ରୀଜୀଉମାନେ ଜ୍ୱରରେ ପୀଡ଼ିତ ହୋଇ ଏହି ନୀତି ଅବଲମ୍ବନ କରିଥାନ୍ତି । ଏଠାରେ ହୋଇଥାଏ ପ୍ରଭୁଙ୍କର ଗୁପ୍ତସେବା । ପଞ୍ଚମୀ ଦିନ ପ୍ରଭୁଙ୍କ ଅଙ୍ଗରେ ଫୁଲୁରି ତେଲ ଲାଗି ହୋଇଥାଏ । ଷଷ୍ଠ ଦିନଠାରୁ ତିନିଦିନ ଯାଏ ଓଷ ଲାଗି ହୋଇଥାଏ । ଦଶମୀରେ ଚକା ବିଜେ । ତା ପରେ ଏକାଦଶୀରେ ଖଳି ଲାଗି ଓ ଦଶମୂଳ ପାଚନ ଲାଗି ଏବଂ ଦ୍ୱାଦଶୀରେ ଦ୍ୱାଦଶୀ ନୀତି, ତ୍ରୟୋଦଶୀରେ ଘଣା ଲାଗି ଶେଷରେ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ପାଳିତ ହୁଏ ।
ମୋ: ୭୩୨୫୯୦୪୯୨୭