ନାଁ କୁ ଚାଲିଛି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ
ନରସିଂହପୁର : ନରସିଂହପୁର ବ୍ଲକ୍ରେ ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ବ୍ୟବସ୍ଥା । ବିଶେଷ କରି ଶ୍ରୀହୀନ ହୋଇ ପଡିଛି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଏହି କାର୍ଯ୍ୟାଳୟ ଟି ନାହିଁ ନାହିଁରେ କା ରେ ଚାଲିଛି ଏହି କାର୍ଯ୍ୟାଳୟ । ଦୀର୍ଘ ବର୍ଷ ଧରି ସ୍ଥାୟୀ ବ୍ଲକ୍ ଶିକ୍ଷାଧିକାରୀ ପଦବୀ ଖାଲି ପଡିଥିବା ବେଳେ, ଗତ ୧୦ ମାସ ହେଲାଣି ଏବିଓ ପଦବୀ ଖାଲି ପଡିଛି । ପ୍ରାୟ ୧୦ ବର୍ଷ ହେବ ମୁଖ୍ୟ କିରାଣୀ ପଦବୀ ଖାଲି ପଡିଥିବା ବେଳେ, ସ୍ଥାୟୀ ସେକ୍ସନ ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡ଼ିଛି । ଜଣେ ଜୁନିୟର କିରାଣୀ, ଜଣେ ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଭରସାରେ ଚାଲିଛି ଏହି କାର୍ଯ୍ୟାଳୟ । ଗତ ବର୍ଷ ମାତ୍ର ଦୁଇ ମାସ ପାଇଁ ଜଣେ ସ୍ଥାୟୀ ବ୍ଲକ୍ ଶିକ୍ଷାଧିକାରୀ ଯୋଗଦେଇଥିଲେ । ତାଙ୍କ ଅବସର ପରେ ପ୍ରାୟ ଏକ ବର୍ଷରୁ ଅଧିକ ଦିନ ହେବ ସ୍ଥାୟୀ ବ୍ଲକ୍ ଶିକ୍ଷାଧିକାରୀ ପଦବୀ ଖାଲି ପଡିଛି । ବଡମ୍ବା ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ମତଗଜସିଂ ଏକ ବର୍ଷରୁ ଅଧିକ ଦିନ ହେବ ନରସିଂହପୁର ବ୍ଲକ୍ ଶିକ୍ଷାଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ଜଣେ ଅଧିକାରୀଙ୍କୁ ଦୁଇଟି ବ୍ଲକର ଦାୟିତ୍ୱ ଦିଆଯାଇବାରୁ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଗତ ମାର୍ଚ୍ଚ ମାସରେ ଏବିଓ ଅର୍ଚ୍ଚନା ମଞ୍ଜରୀ ଦାଶଙ୍କ ଅବସର ପରେ ୩ଜଣ ବଦଳରେ ଜଣେ ମାତ୍ର ଏବିଓ ଆସିଛନ୍ତି । ସ୍ଥାୟୀ ପିଅନ ନ ଥିବାରୁ ସାଗର ଓ ଏକଡାଳ ହାଇସ୍କୁଲରୁ ୨ଜଣ ପିଅନରେ ଚାଲିଛି କାମ ବିଶେଷ କରି ଆବଶ୍ୟକୀୟ କିରାଣୀ ନ ଥିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଏପରିକି ଅଫିସ କାର୍ଯ୍ୟ ବାହାରେ ହେଉଥିବା ଅଭିଯୋଗ ହେଉଛି । ଅଫିସର ଡ଼ଙ୍ଗଲ ଓ ପାସୱାର୍ଡ ଅଫିସ ବାହାରେ ବୁଲୁଥିବା ଅଭିଯୋଗ ହେଉଛି । ଅନେକ ଶିକ୍ଷକ ଓ ଅଧିକାରୀ ଅବସର ନେଇଥିଲେ ମଧ୍ୟ କାଗଜପତ୍ରରେ ତ୍ରୁଟି କାରଣରୁ ପେନ୍ସନ୍ ପାଇବାରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ପୂର୍ବରୁ ୨୦୨୧ ମସିହା ଏପ୍ରିଲ ମାସରେ ଏବିଓ ଭାବେ ଅବସର ଗ୍ରହଣ କରିଥିବା ପ୍ରେମଲତା ସ୍ୱାଇଁ ଗତ ବର୍ଷ ରୁ ତାଙ୍କର ମୃତୁ୍ୟ ଘଟିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର ପେନସନ ପାଇ ପାରି ନାହାନ୍ତି । ସେହିପରି ୨୦୨୪ ମେ ମାସରେ ଏବିଓ ଯୁଗଳ କିଶୋର ବାରିକ ଅବସର ଗ୍ରହଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପେନସନ ପାଇ ପାରି ନାହାନ୍ତି । ସ୍ଥାୟୀ ବ୍ଲକ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡିଥିବାରୁ କର୍ମଚାରୀ ମାନେ ନିର୍ଦ୍ଧିଷ୍ଟ ସମୟରେ ନଆସି ମନଇଚ୍ଛା ସମୟରେ ଆସୁଥିବା ଅଭିଯୋଗ ହେଉଛି । ୧୬୦ ରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ୧୦୨ ଜଣ ନବନିଯୁକ୍ତ ଶିକ୍ଷକ ଯୋଗ ଦେବାପାଇଁ ନିଦେ୍ର୍ଦଶ ହୋଇଥିଲା କିନ୍ତୁ ୧୦୨ ବଦଳରେ ମାତ୍ର ୬୬ ଜଣ ଶିକ୍ଷକ ଯୋଗ ଦେଇଥିଲେ । ନିଦେ୍ର୍ଦଶ ହୋଇଥିବା ଅନ୍ୟ ଶିକ୍ଷକ ଆଜି ପର୍ଯ୍ୟନ୍ତ ଯୋଗ ଦେଲେ ନାହିଁ । ଏବେବି ବ୍ଲକରେ ପ୍ରାୟ ଶିକ୍ଷକ ପଦବୀ ଖାଲି ପଡିଛି । ସ୍ଥାୟୀ ବ୍ଲକ ଶିକ୍ଷା ଅଧିକାରୀ କ୍ୱାଟର ନଥିବାରୁ ବି, ଆର, ସି,ସି,କାର୍ଯ୍ୟାଳୟ ରେ ଚାଲିଛି ଏହି କାର୍ଯ୍ୟାଳୟ, କାର୍ଯାଳୟ ର ସ୍ଥାୟୀ ସମ୍ପୂର୍ଣ୍ଣ ପାଚେରୀ ନିର୍ମାଣ ନାହିଁ, ବିଭିନ୍ନ ବିଦ୍ୟାଳୟ ରୁ କାର୍ଯାଳୟ କୁ ସରକାରୀ କାର୍ଯ୍ୟରେ ଆସୁଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପାଇଁ ସାମୁହିକ ପାଇଖାନା ଓ ପରିସ୍ରାଗାର ନାହିଁ, ବିଶେଷ କରି ଶିକ୍ଷୟିତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାର୍ଯ୍ୟାଳୟରେ ସଭାଗୃହ ଟିଏ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଛି । ବହି ରଖିବା ପାଇଁ ଘର ନଥିବାରୁ ବାରଣ୍ଡାରେ ଗଦା ହୋଇ ରହିଛି ବହି । ନରସିଂହପୁର ବ୍ଲକରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ସ୍ଥାୟୀ ବ୍ଲକ ଶିକ୍ଷା ଅଧିକାରୀ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ , କିରାଣୀ, ପିଅନ ଆଦି ବିଭିନ୍ନ ପଦବୀ ପୂରଣ କରିବା ସହ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି ହେଉଛି ।