ବାଘମାରୀ-ପଟ୍ଟାପାରିଆ ଆର୍ଡି ରାସ୍ତା: ସରିବାର ଦୁଇମାସ ନପୂରୁଣୁ ବିପର୍ଯ୍ୟସ୍ତ
ରାଜନଗରରୁ ବସନ୍ତ ହାତୀ : ଗମନା ଗମନକୁ ସୁଗମ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଉଛନ୍ତି । କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଗ୍ରାମାଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ରାସ୍ତା ନିର୍ମାଣ କରାଯାଉଛି । ମାତ୍ର ଯନ୍ତ୍ରୀମାନଙ୍କ ଲାଞ୍ଚଖୋର ମନୋଭାବ ଯୋଗୁଁ ଠିକାସଂସ୍ଥା ନିମ୍ନମାନର କାମ କରି ବିଲ ଉଠାଇ ନେବାରେ ସଫଳ ହୋଇଥିବାରୁ କାମ ଶେଷ ହେବାର ଦୁଇମାସ ନପୁରୁଣୁ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହେଉଛି । ଏହି ଅଭିଯୋଗକୁ ପ୍ରମାଣିତ କରୁଛି ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ଥିବା ବାଘମାରୀ-ପଟ୍ଟାପାରିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା । ଏହି ରାସ୍ତା ନିର୍ମାଣ ସମୟରେ ଠିକାସଂସ୍ଥା ସ୍ଥାନୀୟ ଲୋକଙ୍କୁ ନାଲିଆଖି ଦେଖାଇ ରାତି ଅଧିଆ ନିମ୍ନମାନର କାମ ସାରିଦେଇଥିବା ଅଭିଯୋଗ ହୋଇଆସୁଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବି କନିଷ୍ଠ ଯନ୍ତ୍ରୀ କିମ୍ବା ସହକାରୀ ନିର୍ବାହୀ ଯନ୍ତ୍ରୀ ଠିକାସଂସ୍ଥା ଉପରେ କାର୍ଯ୍ୟଭାର ଦେଇଥିଲେ । ଯାହାଫଳରେ ନିମ୍ନମାନର କାମ ହୋଇଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଫାଟି ଯାଇ ଖାଲଖମା ସୃଷ୍ଟି ହେବାରେ ଲାଗିଲାଣି । ବାଘମାରୀଠାରୁ ପଟ୍ଟପାରିଆ ପର୍ଯ୍ୟନ୍ତ ଯାଇଥିବା ପ୍ରାୟ ୭କିଲୋମିଟର ରାସ୍ତା ଉପରେ ତାଳଚୁଆ, ବାଘମାରୀ, ଶିକାରପାହି ପ୍ରଭୃତି ଗାଁ ସହିତ ରଙ୍ଗଣୀ ପଚାଂୟତର ଅଧିବାସୀ ନିର୍ଭର କରିଥାନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ ସମୟରେ ଠିକାସଂସ୍ଥା ସୂଚନା ଫଳକଟିଏ ବି ଲଗାଇନଥିଲା । ଫଳରେ ପ୍ରକଳ୍ପର ମୂଲ୍ୟ ଓ ନିର୍ମାଣ ଶୈ÷ଳୀ ସଂପର୍କରେ ଜନସାଧାରଣ ଜାଣି ପାରୁନାହାନ୍ତି । ଏସଂପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସମୀର କୁମାର ବେହେରାଙ୍କୁ ପଚାରିବାରୁ ବାଘମାରୀ-ପଟ୍ଟାପାରିଆ ୫କିଲୋମିଟର ରାସ୍ତା ମରାମତି ପାଇଁ ୯୦ଲକ୍ଷ ଟଙ୍କା ଅନୁଦାନରେ କାମ ହୋଇଥିଲା । ଓଭରଲୋଡିଂ ଗାଡି ଯିବା ଫଳରେ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ପୁନର୍ବାର କାମ କରାଯିବ ବୋଲି କହିଛନ୍ତି । ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାଷ ସାହୁଙ୍କୁ ପଚାରିବାରୁ ଓଭରଲୋଡିଂ ଗାଡି ଯୋଗୁଁ ରାସ୍ତା ନଷ୍ଟ ହୋଇଥିବା କହିଛନ୍ତି । ଏହି ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନିତୀ ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି ।