ନାବାଳିକା ବିବାହ ରୋକିଲା ପ୍ରଶାସନ

ବିଞ୍ଝାରପୁର : ଅଳକୁଣ୍ଡ ଥାନା ବରପଦା ପଞ୍ଚାୟତରେ ହେବାକୁ ଥିବା କମ୍ ବୟସ୍କ ବାଳକ ସହ ନାବାଳିକା ବିବାହ ପାଇଁ ପରିବାର ଲୋକେ ସଜବାଜ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ରେକ୍ ଦିଆଯାଇଛି । ନାବାଳିକାଙ୍କୁ ପୁଲିସ ସହାୟତାରେ ଶିଶୁ ସୁରକ୍ଷା ୟୁନିଟ ଉଠାଇ ଆଣିଛି । ସୂଚନା ଅନୁଯାୟୀ ବରପଦା ପଞ୍ଚାୟତର ଗୋପାଳ ଜେନାଙ୍କ ୧୯ବର୍ଷୀୟ ପୁଅ ସହିତ ଯାଜପୁର ସଦର ଥାନାର ତିହାଡ଼ି ସାହି ଗାଁର ଶିବ ପ୍ରସାଦ ଜେନାଙ୍କ ୧୫ ବର୍ଷୀୟ ଝିଅ ନିଜ ଘର ଛାଡ଼ି ବରପଦା ପୁଅ ଘରକୁ ପଳାଇ ଆସିଥିଲା । ତେବେ ଉଭୟ ପରିବାରଙ୍କ ସହମତି କ୍ରମେ ବାହାଘର ହେବାର ଥିବା ଖବର ଶୁଣି ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ ଝିଅକୁ ଥାନାକୁ ନେଇ ଆସିଥିଲେ । ପୁଅଟି ଘଟଣାସ୍ଥଳରେ ଉପସ୍ଥିତ ନ ଥିବା ବେଳେ ସିଡିପିଓଙ୍କ ସହାୟତାରେ ନାବାଳିକା ଝିଅକୁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି ।