ନିମ୍ନମାନର ପିଚୁ ଢଳେଇ କରି ଅର୍ଥ ହରିଲୁଟ୍ 

 ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ଜାମ୍ବଗୁଡା ଗ୍ରାମ ଠାରୁ ରଣ୍ଡାଗୁଡା ପର୍ଯ୍ୟନ୍ତ ଏକ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପିଚୁ ରାସ୍ତା ନିର୍ମାଣ ଚାଲିଛି  । ଯାହାକି ନିମ୍ନମାନର କାର୍ଯ୍ୟ ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି  ।  ସରକାର ଗ୍ରାମାଞ୍ଚଳର ରାସ୍ତାର ଉନ୍ନତି କରଣ ସକାଶେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭାଗ ତରଫରୁ କାର୍ଯ୍ୟ ଆରମ୍ଭ କରାଯାଇଛି  । କିନ୍ତୁ ନିର୍ମାଣ ସ୍ଥାନରେ ନିମ୍ନମାନର କାର୍ଯ୍ୟ କରି ଠିକାଦାର ଓ ଯନ୍ତ୍ରୀ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି  । ରାସ୍ତା ତିଆରି ସ୍ଥାନରେ ଯନ୍ତ୍ରୀ କିମ୍ବା ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନି ଫଳରେ ଅତି ନିମ୍ନମାନର କାର୍ଯ୍ୟ ଚାଲିଛି  । ଏହି ରାସ୍ତା ନିର୍ମାଣ ହେଲେ ଅଞ୍ଚଳବାସୀ ସୁବିଧା ପାଇବାକୁ ଥିବାବେଳେ ନିମ୍ନମାନର କାର୍ଯ୍ୟ ହେତୁ ଅଳ୍ପ ଦିନରେ ପିଚୁ ଉଠିବାର ସାମ୍ବାବନା ରହିଛି  । ରାସ୍ତାରେ ୩.୭ ଇଞ୍ଚ ପିଚୁ ଢଳେଇବା ନିୟମ ଥିବାବେଳେ ଏକ ଇଞ୍ଚର ମଧ୍ୟ ଢଳେଇ ହୋଉନାହିଁ  । ଅନେକ ଜାଗାରେ ହାପ୍ଇଞ୍ଚ ପିଚୁ ପଡୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଗ୍ରାମବାସୀ ଠିକା ସଂସ୍ଥାରେ ନିୟୋଜିତ ଥିବା କର୍ମଚାରୀ  କନିଷ୍ଠ ଯନ୍ତ୍ରୀଙ୍କୁ କହିବା ପାଇଁ କହୁଥିବା ସାମ୍ନାକୁ ଆସିଛି  । ବିଭାଗୀୟ ଯନ୍ତ୍ରୀ କେଶବ ନାୟକଙ୍କୁ ପଚାରିବାରୁ କହିଛନ୍ତି ପିଚୁ ଏକ ଇଞ୍ଚ ହିଁ ପଡିବ ବୋଲି ଓ ରାସ୍ତାର ଓସାର ୩.୭୫ ମିଟର କାର୍ଯ୍ୟ କରିବାକୁ ଥିବାବେଳେ ଏହା ମଧ୍ୟ କମ ଓସାର ଥିବା ଦେଖିବାକୁ ମିଳିଛି  । ଯାହାକି କିଛିଦିନ ଭିତରେ ପିଚୁ ଉଠିଯିବାର ସମ୍ଭାବନା ରହିଛି । ରାସ୍ତା କାମକୁ ନେଇ କିଛି ମାସ ତଳେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ କନିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା ନିମ୍ନମାନର କାମ କରି ସରକାରଙ୍କ ଅର୍ଥକୁ ହଡ଼ପ କରିବା ନେଇ ଯୋଜନା ଚାଲିଥିବା ସାମ୍ନାକୁ ଆସିଛି  । ତେଣୁ ଗ୍ରାମ ଉନ୍ନୟନ ବିଭାଗ ଓ ଜିଲ୍ଲା ପ୍ରଶାସନ ଏହି  ଦିଗରୁ ଗୁରୁତ୍ୱ ଦେଇ ନିୟମ  ମୁତାବକ ପିଚୁ  ଢଳେଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି  ।