ଟୁରିଷ୍ଟ ପରମିଟ୍ରେ ହାଇଦ୍ରାବାଦକୁ ଗଡୁଛି ବସ୍
ନବରଙ୍ଗପୁର : ପ୍ରତିଦିନ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଘରୋଇ ବସ୍ ନବରଙ୍ଗପୁର ଦେଇ ପଡୋଶୀ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦକୁ ଗଡୁଛି । ତେବେ ଗୋଟିଏ ବି ବସ୍ର ସ୍ଥାୟୀ କିମ୍ବା ନିୟମିତ ପରମିଟ୍ ନାହିଁ । ଏହି ସବୁ ଦ୍ରୁତଗାମୀ ବସ୍ ଗୁଡ଼ିକ ଟୁରିଷ୍ଟ ପରମିଟ୍ରେ ଚାଲୁଛି । ଖାସ୍ କରି ଏହି ବସ୍ ଦାଦନ ଶ୍ରମିକ ଚାଲାଣର ପ୍ରମୁଖ ମାଧ୍ୟମ ପାଲଟିଛି । ହାଇଦ୍ରାବାଦକୁ ଗଡ଼ୁଥିବା ଅନେକ ବସ୍ରେ କ୍ଷମତା ଠାରୁ ଦୁଇରୁ ତିନି ଗୁଣ ଅଧିକ ଯାତ୍ରୀଙ୍କୁ ବସାଇ ପରିବହନ କରାଯାଉଛି । ପ୍ରତ୍ୟେକ ଦିନ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକ ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରା କରୁଛନ୍ତି । ଟୁରିଷ୍ଟ ପରମିଟ୍ରେ ବସ୍ ଗୁଡ଼ିକ ଚାଲିଥିବା ବେଳେ ଆନ୍ଧ୍ର ଓ ତେଲଙ୍ଗାନାର କିଛି ଫାଟକ ସହ ପରିବହନ ଓ ପୁଲିସ ଅଧିକାରୀଙ୍କୁ ହାତ ଗୁଂଜା ଦେଇ ଯାତାୟାତ କରୁଛି । ଅପରପକ୍ଷେ ଟୁରିଷ୍ଟ ପରମିଟ୍ ପାଇଁ ଆବେଦନ ସମୟରେ ଯାତ୍ରୀଙ୍କ ମିଛ ତାଲିକା ଦାଖଲ କରି ଟୁରିଷ୍ଟ ପରମିଟ୍ ଅଣାଯାଉଛି । ଯାଞ୍ଚ ସମୟରେ ବସ୍ କଣ୍ଡକ୍ଟର ଗାଡ଼ିରେ ବସିଥିବା କିଛି ଯାତ୍ରୀଙ୍କ ନାମ ଲେଖି ତାଲିକା ପ୍ରସ୍ତୁତ କରି ଦେଖାଉଛନ୍ତି । ବସ୍ ଗୁଡ଼ିକ ଟୁରିଷ୍ଟ ପରମିଟ୍ରେ ଚାଲିଥିବା ଯୋଗୁଁ ଯାତ୍ରୀ ପରିବହନ ସମୟରେ କିଛି ଅଘଟଣ ହେଲେ ବସ୍ରେ ବସିଥିବା ଯାତ୍ରୀଙ୍କ ମୃତାହତ କିମ୍ବା ଗୁରୁତର ହେଲେ ମୋଟରଯାନ ଆଇନ ଅନୁଯାୟୀ କୌଣସି କ୍ଷତିପୂରଣ ମିଳିବ ନାହିଁ । ସେହିପରି ରାତ୍ରିକାଳୀନ ବସ୍ ଗୁଡ଼ିକରେ ସିସି କ୍ୟାମେରା ଲାଗିବାର ନିୟମ ବେଳେ ଉଲ୍ଲେଖ ରହୁଛି । କିନ୍ତୁ ନବରଙ୍ଗପୁର ସହର ସମେତ ବୋରିଗୁମ୍ମା, ଜୟପୁର, ବୈପାରିଗୁଡ଼ା, ଗୋବିନ୍ଦପାଲ୍ଲୀ, ମାଥିଲି, ମାଲକାନଗିରି ଅଞ୍ଚଳରୁ ଜଣେ ବି ଯାତ୍ରୀ ଏହି ବସ୍ରେ ଟିକଟ କରୁନାହାନ୍ତି । ନୀରବଦ୍ରଷ୍ଟା ସାଜିଛି ପରିବହନ ବିଭାଗ । ଅନେକ ସମୟରେ ପ୍ରଶାସନ ବସ୍ରେ ଶ୍ରମିକ ଚାଲାଣ ହେଉଥିବା ଜାଣି ମଧ୍ୟ ଚୁପ୍ ରହୁଛି । ସବୁଠୁ ବଡ଼ କଥା ହେଲା ବସ୍ ସମ୍ମୁଖରେ ଲାଗିଥିବା ଗନ୍ତବ୍ୟସ୍ଥଳ ବୋର୍ଡରେ ହାଇଦ୍ରାବାଦ ଲେଖା ଯାଇଥିବା ବେଳେ ଜରୁରୀ କାମରେ କୌଣସି ଯାତ୍ରୀ ଏହି ବସ୍ରେ ଯିବା ପାଇଁ ଇଚ୍ଛା ପ୍ରକାଶ କଲେ ଡ୍ରାଇଭର ଓ କଣ୍ଡକ୍ଟର ଗାଡ଼ିକୁ ଅଟକାଉ ନାହାନ୍ତି । ସିଟ୍ ନଥିବା ଦର୍ଶାଇ ଯାତ୍ରୀଙ୍କୁ ନେଉନାହାନ୍ତି । ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି, ରାଇଘର, ଉମରକୋଟ, କୋଷାଗୁମୁଡ଼ା, ପାପଡ଼ାହାଣ୍ଡି ଓ ଝରିଗାଁ ବ୍ଳକର ଅଧିକ ଶ୍ରମିକ ଏହି ବସ୍ରେ ଦାଦନ ଖଟିବାକୁ ହାଇଦ୍ରାବାଦ ଅଭିମୁଖେ ଯାଉଛନ୍ତି । ଗତ ୪ ଦିନ ତଳେ ମାଲକାନଗିରି ଜିଲ୍ଲାର ବିଜାଘାଟିରେ ହୋଇଥିବା ବସ୍ ଦୁର୍ଘଟଣା ପରେ ପ୍ରଶାସନ ଚେତିବା ସହିତ ବସ୍ ଯାଞ୍ଚ ବେଳେ ପ୍ରାୟ ୮୦ ଶ୍ରମିକ ଥିବା ଜଣାପଡ଼ିଥିଲା । ତେଣୁ ଏହି ବସ୍ ଗୁଡ଼ିକର ନିୟମିତ ଯାଞ୍ଚ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ନବରଙ୍ଗପୁର ଜିଲ୍ଲା ପରିବହନ ଅଧିକାରୀଙ୍କ ସହିତ ଯୋଗାଯୋଗ ହୋଇ ନ ପାରିବାରୁ ଏ ନେଇ ତାଙ୍କ ପ୍ରତିକ୍ରିୟା ହସ୍ତଗତ ହଇପାରିନି ।