ନିର୍ବାଚନ ଖର୍ଚ୍ଚ ତଦାରଖ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା
ପୁରୀ,: ନିର୍ବାଚନ ଖର୍ଚ୍ଚ ତଦାରଖ ରୂପେ ପୁରୀ ଲୋକସଭା ମଣ୍ଡଳୀ ପାଇଁ ନିଯୁକ୍ତି ପର୍ଯ୍ୟବେକ୍ଷକ ସୁଧାଂଶୁ ଶେଖର ମିଶ୍ର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ରଙ୍କ ସହ ନିର୍ବାଚନ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଜିଲ୍ଲାରେ ନିର୍ବାଚନ ପରିଚାଳନା, ଆଇନ ଶୃଙ୍ଖଳା ରକ୍ଷା ଓ ବିଭିନ୍ନ ଟିମ୍ର କାର୍ଯ୍ୟକାରିତା ସଂପର୍କରେ ଅବଗତ କରାଇଥିଲେ । ଏହି ସମୀକ୍ଷା ବୈଠକରେ ସମସ୍ତ ରିଟର୍ଣ୍ଣି ଅଫିସରମାନେ ଯୋଗ ଦେଇଥିଲେ । ଅପରାହ୍ନରେ ଧରପଗଡ଼ ଓ ଅବକାରୀ ବିଭାଗର ପଦକ୍ଷେପ, ଚେକ୍ପୋଷ୍ଟ ଓ ଷ୍ଟାଷ୍ଟିକ ସର୍ଭିଲାନ୍ସ ଟିମ୍ ସଂପର୍କରେ ସେ ଆଲୋଚନା କରିଥିଲେ ଓ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଇଣ୍ଟିଗ୍ରେଟେଡ଼ କଣ୍ଟ୍ରୋଲ୍ରୁମ୍ ବୁଲି ଦେଖିଥିଲେ । ପରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିର୍ବାଚନ ଅଫିସର ଓ ଅନ୍ୟ ସଦସ୍ୟମାନଙ୍କ ସହ ଶ୍ରୀ ମିଶ୍ର ଆଲୋଚନା କରିବା ସହ ଖର୍ଚ୍ଚ ତଦାରଖ ପ୍ରକ୍ରିୟା ସଂପର୍କରେ ପଚାରି ବୁଝିଥିଲେ । ନିର୍ବାଚନ ତାରିଖ ଘୋଷଣା ଦିନ ଠାରୁ ଫ୍ଲାଇଂ ସ୍କ୍ୱାର୍ଡ଼ କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଧରପଗଡ଼ ସହ ଗାଡ଼ି ଯାଞ୍ଚ, ବେଆଇନ ଅର୍ଥ ଚାଲାଣ, ମାଦକ ଦ୍ରବ୍ୟ ଚାଲାଣ, ବିପୁଳ ଆକାରରେ ଯାଉଥିବା ବିବିଧ ସାମଗ୍ରୀ ବ୍ୟବସାୟ କି ଉପହାର ଉଦେ୍ଦଶ୍ୟରେ ଯାଉଛି ତାହା ମଧ୍ୟ ଯାଞ୍ଚ କରାଯାଉଛି । ସେହିପରି ବିଭିନ୍ନ ରଜନୈତିକ କାର୍ଯ୍ୟକ୍ରମର ଭିଡ଼ିଓ ଓ ଚିତ୍ର ଉତ୍ତୋଳନ ସହ ତାହାକୁ ଦେଖି ଅନୁଧ୍ୟାନ କରାଯାଇ ଆବଶ୍ୟକ ସ୍ଥଳେ ଖର୍ଚ୍ଚ ହିସାବ ଟିମ୍କୁ ଅବଗତ କରାଯାଉଛି । ଏମ୍ସିଏମ୍ସି ଟିମ୍ ପକ୍ଷରୁ ମିଡ଼ିଆ ସାର୍ଟିଫିକେସନ ସହ ପେଡ଼ ନୁ୍ୟଜ, ପ୍ରିଣ୍ଟ ମିଡ଼ିଆ, ସୋସିଆଲ ମିଡ଼ିଆ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଉପରେ ଦୃଷ୍ଟି ରଖାଯାଉଛି । ରାଜନୈତିକ ଦଳମାନଙ୍କ ସହ ଆଲୋଚନା ଆଧାରରେ ବିଭିନ୍ନ ଦ୍ରବ୍ୟର ମୂଲ୍ୟ ସୂଚୀ ନିର୍ଦ୍ଧାରିତ ହୋଇଛି ଓ ଏହି ଆଧାରରେ ଖର୍ଚ୍ଚର ହିସାବ ରଖାଯାଉଛି ବୋଲି ବିଭିନ୍ନ ଟିମ୍ ପକ୍ଷରୁ ସୂଚନା ଦିଆଯାଇଥିଲା । ପ୍ରାର୍ଥୀ ବା ଦଳମାନଙ୍କର ଖର୍ଚ୍ଚକୁ କିପରି ଭାବେ ଲିପିବଦ୍ଧ କରାଯାଉଛି ତାହା ପର୍ଯ୍ୟବେକ୍ଷକ ଦେଖିଥିଲେ । ନିର୍ବାଚନ କମିଶନ ଲୋକସଭା ନିର୍ବାଚନର ପ୍ରାର୍ଥୀମାନଙ୍କ ପାଇଁ ୯୫ଲକ୍ଷ ଓ ବିଧାନସଭା ନିର୍ବାଚନର ପ୍ରାର୍ଥୀମାନଙ୍କ ପାଇଁ ୪୦ଲକ୍ଷ ଟଙ୍କା ସର୍ବାଧିକ ଖର୍ଚ୍ଚ ସୀମା ଧାର୍ଯ୍ୟ କରିଛନ୍ତି । ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ନିଷ୍ଠାର ସହ ନିରପେକ୍ଷ ଓ ବିନା ଚାପ ବା ଭୟରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଡ଼େପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନିଷା ଷଡ଼ଙ୍ଗୀ, ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଳା ଟ୍ରେଜେରୀ ଅଧିକାରୀ ମନ୍ମଥ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଶ୍ରୀ ମିଶ୍ର ସଂସ୍କୃତି ଭବନ ଠାରେ ରିଟର୍ଣ୍ଣିଂ ଅଫିସର ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।