ନିର୍ମାଣ ଅବସ୍ଥାରେ ଭୁଶୁଡିଲା ଛାତ : ଶ୍ରମିକ ମୃତ, ଚପେଇବାକୁ ହୋଇଥିଲା ଚେଷ୍ଟା 

କାଳିଆପାଣି : ଇମ୍ଫା କମ୍ପାନୀ ନିୟୋଜିତ ଠିକା ସଂସ୍ଥା ଦ୍ୱାରା ନିର୍ମାଣଧିନ ଏକ କଂକ୍ରିଟ ଛାତ ହଠାତ ଭୁସୁଡ଼ି ପଡିବାରୁ ଘଟଣା ସ୍ଥଳରେ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ଏଭଳି ଅଘଟଣ ଶନିବାର କାଳିଆପାଣି ପଞ୍ଚାୟତ କାଳିଆପାଣି ମହାନ୍ତ ସାହିରେ ଘଟିଛି । ସାହିରେ ଥିବା ଏକ ବେସରକାରୀ ଜମି ଉପରେ ଉକ୍ତ ଛାତଘର ନିର୍ମାଣ କାର୍ଯ୍ୟ ଚାଲିଥିଲା । ଅତିନିମ୍ନମାନ ଏବଂ ଅସୁରକ୍ଷିତ ଅବସ୍ଥାରେ ଉକ୍ତ ଘର ଗୁଡିକ ନିର୍ମାଣ ହେଉଥିବା ବେଳେ ସେହି ଛାତ ତଳେ ଜଣେ ଶ୍ରମିକ କିଛି କାମ କରୁଥିବା ସମୟରେ ଛାତଟି ଭୁସୁଡ଼ି ହଠାତ ତାଙ୍କ ଉପରେ  ପଡିଥିଲା । ମୃତ ବ୍ୟକ୍ତି ଝାଡ଼ଖଣ୍ଡ ଗୁଡ୍ଡା ଜିଲ୍ଲାର ଅଙ୍ଗଦ ଦିୱାଲ ମଣ୍ଡଳ (୩୫) ହୋଇଥିବା ବେଳେ, ନିର୍ମାଣ ଶ୍ରମିକ ହିସାବରେ ଉକ୍ତ ବିଲ୍ଡିଂ କାମ କରୁଥିଲେ । କାର୍ଯ୍ୟରେ ଠିକାଦାରଙ୍କ ପକ୍ଷରୁ ନିୟୋଜିତ ଅଜୟ ଦାସ ଅଧିକରୁ ଅଧିକ ଲାଭ ଉଦେ୍ଦଶ୍ୟରେ ଅତି ନିମ୍ନମାନର କାର୍ଯ୍ୟ କରୁଥିବାରୁ ଏଭଳି ଅଘଟଣ ଘଟିଲା ଏବଂ ଜଣେ ଶ୍ରମଜୀବୀଙ୍କ ଜୀବନ ଗଲା ବୋଲି ସରପଞ୍ଚ ବିକାଶ ପାତ୍ର ଅଭିଯୋଗ କରିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଛାତ ଭୁସୁଡ଼ିଯାଇ ଜଣେ ମିସ୍ତ୍ରୀଙ୍କ ଜୀବନ ଯାଇ ସାରିଲା ପରେ ଏହାକୁ ଚପେଇ ଦେବାକୁ ଠିକାଦାରଙ୍କ ଅନୁଗତ ସୁପର ଭାଇଜର ଭରପୁର ଯୋଜନା କରିଥିଲେ । ଘଟଣାର ୫ଘଣ୍ଟା ପରେ ଏହା ଲୋକ ଲୋଚନକୁ ଆସିଲା ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଏବଂ ପରିତାପର ବିଷୟ । ସବୁଠାରୁ ବିଡ଼ମ୍ବନା କଥାହେଲା ଉକ୍ତ ସ୍ଥାନରୁ ଶବଟିକୁ ଆଣି ବ୍ୟବଛେଦ ନିମନ୍ତେ କମ୍ପାନୀ ପକ୍ଷରୁ କୌଣସି ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇ ନଥିଲା । ଉକ୍ତ ଶ୍ରମିକଙ୍କ ଶବଟିକୁ ଏକ ପିକଅପ ଗାଡିର ଡାଲାରେ ପକାଇ ବ୍ୟବଛେଦ ନିମନ୍ତେ ଦାନଗଦୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା । ଏଠାରେ ପ୍ରଶ୍ନ ଆସୁଛି ଯେ, ଖଣି ଅଞ୍ଚଳରେ କୌଣସି କମ୍ପାନୀ କି ଠିକାଦାର ଶ୍ରମିକଙ୍କ ପ୍ରତି ଆଦୌ ସମ୍ବେଦନଶୀଳ ନୁହନ୍ତି କାହିଁକି? ସ୍ଥାନୀୟ ଲୋକ ଏବଂ ଦେଖଣାହାରୀଙ୍କ କହିବା ଅନୁଯାଇ ଦୁର୍ଘଟଣାଟିକୁ ଚପେଇ ଦେବାକୁ କମ୍ପାନୀ, ମହେଶ୍ୱରୀ ମାଇନିଂ କମ୍ପାନୀ, ସମ୍ପୃକ୍ତ ଠିକାଦାର ଏବଂ ସୁପର ଭାଇଜର ସମ୍ପୂର୍ଣ୍ଣ ଚେଷ୍ଟା କରିଥିଲେ ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଫଳରେ କଥାଟି ପ୍ରଘଟ ହୋଇଥିଲା । ଏନେଇ କାଳିଆପାଣି ପୁଲିସକୁ ପଚାରିବାରେ ଅଭିଯୋଗ ଆସିଥିବା କଥା କହିଥିବା ବେଳେ, ଇମ୍ପାର ଜନୈକ ଅଧିକାରଙ୍କୁ ପଚାରିବାରେ ସେ ଛୁଟିରେ ଥିବା ଏବଂ ଏଭଳି କିଛି ଘଟିଥିବା କଥା ତାଙ୍କୁ ଜଣାନାହିଁ ବୋଲି କହିଥିଲେ । ତେବେ ନିର୍ମାଣସ୍ଥଳରେ ଶ୍ରମିକଙ୍କ ମୃତୁ୍ୟ ଘଟିବା ଘଟଣାରେ ଜିଲା ଶ୍ରମ କାର୍ଯ୍ୟାଳୟ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇଛି ଏବଂ ପୁଲିସ କାହାକୁ ତଦନ୍ତ ପରିସରଭୁକ୍ତ କରୁଛି ତାହା ଦେଖିବାର ଅଛି ।