ଖବରକାଗଜ ପଢିବାକୁ ୪ କିମି ଆସନ୍ତି ଆତୁଳ 

ପିଲା ବେଳୁ ଖବର କାଗଜ ପଢିବା ନିଶା ଏମିତି ଯେ ଚାଲିଚାଲି ୪କିମି ଦୂରବରୀ ମାଉଣ୍ଡରେ ପହଁଚୁଥିଲେ । ଚାଷବାସ କାର୍ଯ୍ୟ ଯେତେ ଥାଉ ଆଗ ସକାଳୁ ଖବର କାଗଜ ପଢିବା କଥାକୁ ଚିନ୍ତା କରିଥାନ୍ତି । ଏବେ ସାଇକଲରେ ଗାଁରୁ ବରୀ ମାଉଣ୍ଡକୁ ଆସି ଖବର କାଗଜ ଖଣ୍ଡେ କିଣି ଆଖି ବୁଲେଇବା ପରେ ହାତରେ ଧରି ଘରକୁ ଫେରଥାନ୍ତି । ଆଉ ଘର ବାରଣ୍ଡାରେ ଚକା । ଏ ପାଠକ ହେଲେ ବରୀ ବ୍ଲକ ଉଦୟନାଥପୁର ପଞ୍ଚାୟତ ଜେମାଦେଇ ଗ୍ରାମର ଆତୁଳ ଜେନା । ବୟସ ୫୫ । ପେସାରେ ଜଣେ ଚାଷୀ । ଛାତ୍ର ଅବସ୍ଥାରୁ କାଗଜ ପଢିବା ଲାଗି ଆତୁଳ ନଦୀ ନାଳ ପାର ହେଇ ଘରୁ ୪ କିଲୋମିଟର ବାଟ ଆଗେ ଚାଲିକି ଏବେ ସାଇକେଲ ଧରି ବରୀ ମାଉଣ୍ଡରେ ପହଁଚି ଖବର କାଗଜ ଖଣ୍ଡେ କିଣି ପଢ଼ନ୍ତି । ଖବର କାଗଜ ପଢିବା ସହ ଆଞ୍ଚଳିକ ଖବରକୁ ଟିକି ନିଖି ଭାବେ ପଢିବା ତାଙ୍କର ଏକ ନିଶାରେ ପରିଣତ ହେଉଛି । ଏହା ସାଙ୍ଗକୁ ଘର ପାଖକୁ ଥିବା ଚାଷ ଜମିରେ ବିଭିନ୍ନ ପନିପରିବା ଚାଷ କରି ପରିବାର ପୋଷନ୍ତି । ସେ କୁହନ୍ତି ସକାଳୁ ସକାଳୁ ତାଜା ଖବର ଯାହା ଆନନ୍ଦ ମିଳେ ସେହି ଖୁସି ଅନ୍ୟ କେଉଁଠି ମିଳିବା କଷ୍ଟକର । ଏବେ ମଧ୍ୟ  ଖବର କାଗଜ ପଢା ନିଶା ତାଙ୍କୁ ବେଶ ତାଜା କରି ରଖିଛି ।