ବନ୍ଦର ପ୍ରାଧିକରଣ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ
ପାରାଦୀପ: ପାରାଦୀପ ବନ୍ଦର ପାଇଁ ଉଲ୍ଲେଖନୀୟ ସଫଳତା ଆଣିଥିବା ବନ୍ଦରର କୃତି କ୍ରୀଡାବିତ୍ ଓ କଳାକାର ମାନଙ୍କୁ ଜୟଦେବ ସଦନ ପ୍ରେକ୍ଷାଳୟରେ ସମ୍ବର୍ଦ୍ଧିତ କରାଯାଇଛି । ୨୦୨୪-୨୫ ମସିହାରେ ଅନୁଷ୍ଠିତ ସର୍ବଭାରତୀୟ ବୃହତ ବନ୍ଦର ପ୍ରତିଯୋଗିତାରେ ଉକ୍ରର୍ଷତା ହାସଲ କରି ପାରାଦୀପ ବନ୍ଦରକୁ ଗୈାରବମଣ୍ଡିତ କରିଥିବା ୮୮ ଜଣ କୃତି ଖେଳଳି ଓ କଳାକାରମାନଙ୍କୁ ଉତ୍ସବରେ ପୌରୋହିତ୍ୟ କରିଥିବା ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ.ହରନାଦ୍ ନଗଦ ଅର୍ଥରାଶୀ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ, ଦକ୍ଷତା ଓ ଦୃଢ଼ତା ପାଇଁ ଭୂୟଶୀ ପ୍ରଶଂସା କରିଥିଲେ । ପ୍ରତିଭାକୁ ଆକର୍ଷିତ ଓ ପୋଷଣ କରିବାରେ ସକ୍ରିୟ କ୍ରୀଡା ଓ ସାଂସ୍କୃତିକ ସଂଗଠନ ନିଭାଉଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶ୍ରୀ ହରନାଦ୍ କହିଲେ ଯେ, ସଂଗଠନ ଗୁଡିକ ଯଦି ଶକ୍ତିଶାଳୀ ଓ ସ୍ପନ୍ଦନଶୀଳ ହୁଅନ୍ତି, ତେବେ ସେମାନେ ଅଧିକରୁ ଅଧିକ ବ୍ୟକ୍ତି ସେମାନଙ୍କ ସହିତ ଯୋଡି ହେବା ପାଇଁ ଆକର୍ଷିତ କରିବ । ସମ୍ବର୍ଦ୍ଧନା ସମାରୋହ ଉତ୍ସବରେ ପାରାଦୀପ ବନ୍ଦର ଟ୍ରାଫିକ ବିଭାଗର ପରାମର୍ଶଦାତା ଏ.କେ.ବୋଷ, ଗୋପବନ୍ଧୁ କ୍ରୀଡା ସଂସଦର ସଭାପତି ହିମାଂଶୁ ଶେଖର ରାଉତ, ଗୋପବନ୍ଧୁ କ୍ରୀଡା ସଂସଦର ସଭାପତି ଓ ବନ୍ଦରର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଡାକ୍ତର ଦୁର୍ଗା ପ୍ରସାଦ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂସଦର ବିଦାୟୀ ସଭାପତି ଡି.ଏନ୍.ସୋନ୍ଧୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ଗୋପବନ୍ଧୁ କ୍ରୀଡା ସଂସଦର ସମ୍ପାଦକ ରଶ୍ମୀ ରଞ୍ଜନ ବେଉରା ସଂଯୋଜନା କରିଥିବା ବେଳେ ସହାୟତା କରିଥିଲେ କ୍ରୀଡା ପରାମର୍ଶଦାତା ରବି ଦାସ ।