ନୂତନ ପେନସନ ଯୋଜନାରୁ  ବଞ୍ଚତ ହିତାଧିକାରୀ 

 ଆସିକା: କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ବାର୍ଦ୍ଧକ୍ୟ ସମୟରେ ଭିନ୍ନକ୍ଷମ ଓ ବୃଦ୍ଧ, ବୃଦ୍ଧାଙ୍କ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ  ମାସିକ ଭତ୍ତା ର ବୃଦ୍ଧି କରି ଏହି ଯୋଜନା ପ୍ରଣୟନ କରିଛନ୍ତି । ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ଭତ୍ତା  ରାଶି ବାବଦକୁ ୧ ହଜାର ଟଙ୍କାରୁ ସାଢେ ୩ ହଜାର ଟଙ୍କା ଲେଖାଏଁ ଭତ୍ତା ରାଶି ବୃଦ୍ଧି କରିବା ନେଇ ତାର ଇସ୍ତାହାରରେ ଘୋଷଣା କରିଥିଲେ । ବହୁ ଦିନର ବ୍ୟବଧାନ ପରେ ରାଜ୍ୟ ସରକାର ୮୦ ବର୍ଷରୁ ଉଦ୍ଧ୍ୱର୍ ବୃଦ୍ଧ, ବୃଦ୍ଧା ଏବଂ ଭିନ୍ନକ୍ଷମ କ୍ଷେତ୍ରରେ ୮୦ ପ୍ରତିଶତରୁ ଅଧିକ ଶାରୀରିକ ବିକଳାଙ୍ଗଙ୍କୁ ମାସିକ ୩ ହଜାର ୫ ଶହ ଟଙ୍କା ଲେଖାଏଁ ଭତ୍ତା ରାଶି ପ୍ରଦାନ କରିଥିଲେ । ହେଲେ ଆସିକା ଏନଏସିର ପ୍ରାୟ ୧୮ ଗୋଟି ୱାର୍ଡ ଏବଂ ଆସିକା ବ୍ଲକର ୨୭ ପଂଚାୟତରେ  କେତେକ ବୃଦ୍ଧ, ବୃଦ୍ଧା ଓ ୮୦%ରୁ ଅଧିକ ଶାରୀରିକ ଅକ୍ଷମ ଭିନ୍ନକ୍ଷମଙ୍କୁ ବର୍ଦ୍ଧିତ ଭତ୍ତା ରାଶି ମିଳିନଥିବା ଯୋଗୁଁ ଏନେଇ ପ୍ରତ୍ୟେକ ଦିନ କିଛି ହିତାଧିକାରୀ ଏନଏସି ଓ ବ୍ଲକ କାର୍ଯ୍ୟାଳୟ ଆସି ଗୁହାରୀ ନିବେଦନ କରୁଛନ୍ତି । ଏମାନଙ୍କ ଗୁହାରି ଶୁଣି ବର୍ଦ୍ଧିତ ଭତ୍ତା ତୁରନ୍ତ ପ୍ରଦାନ କରିବାକୁ କାହାରି ପାଖରେ କ୍ଷମତା ନାହିଁ ବୋଲି ଶୁଣିବାକୁ ମିଳୁଛି । ବ୍ଲକରେ ମାଜିଜ ସୁରକ୍ଷା ଅଧିକାରୀ ଏବଂ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପଚାରିବାରୁ ଅଫିସ ରେ ହିତାଧିକାରୀମାନଙ୍କ ଆବଶ୍ୟକ କାଗଜପତ୍ର ନଥିବାରୁ ସେମାନଙ୍କ ଅନଲାଇନରେ ନାମ ଆସିନାହିଁ ବୋଲି କହିଛନ୍ତି । ବର୍ତ୍ତମାନ କାଗଜପତ୍ର କାର୍ଯ୍ୟାଳୟରେ ପହଂଚିବା ପରେ ସେମାନଙ୍କୁ ଚଳିତ ମାସରେ ପ୍ରଦାନ କରାଯିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି  ।