ନୂତନ ବ୍ଲକ ଗଠନ ଦାବି
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମୈଦଲପୁର ଅଞ୍ଚଳକୁ ଏକ ନୂତନ ବ୍ଲକ୍ ମାନ୍ୟତା ଦାବିରେ ସର୍ବଦଳୀୟ ବୈଠକ ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଠାରୁ ମୈଦଲପୁରର ଦୂରତା ଅଧିକ ରହୁଥିବାରୁ କୌଣସି ସ୍ଥାନୀୟ ସମସ୍ୟା ନେଇ ବ୍ଲକ୍ କାର୍ଯ୍ୟାଳୟକୁ ହେଲେ ଲୋକଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡ଼ୁଛି । ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ଦୂରତା ବୃଦ୍ଧି ଯୋଗୁଁ ସମ୍ପର୍କ ସାଧିତ ହୋଇପାରୁନି । ଯାହାକୁ ନେଇ ଅନେକ ସ୍ଥାନୀୟ ସମସ୍ୟା ସମାଧାନରେ ଅହେତୁକ ବିଳମ୍ବ ହେଉଛି । ଏନେଇ ଗତ ୨୦୧୮ରେ ଏକ ଷ୍ଟାଣ୍ଡିଙ୍ଗ୍ ଟିମ୍ ମୈଦଲପୁର ଗସ୍ତକରି ମୈଦଲପୁର ଠାରେ ନୂତନ ବ୍ଲକ୍ କାର୍ଯ୍ୟାଳୟ ଗଠନ ସହ ଜିଲ୍ଲାର ଚାରୋଟି ସ୍ଥାନରେ ନୂତନ ବ୍ଲକ୍ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ । ଗୋଟିଏ ନୂତନ ବ୍ଲକ୍ ମାନ୍ୟତା ପ୍ରଦାନ ପାଇଁ ଯେଉଁ ମାପଦଣ୍ଡ ରହିଛି ମୈଦଲପୁର ସେସବୁ ପୂରଣ କରୁଥିବାରୁ ଏହାକୁ ଯଥାଶୀଘ୍ର ବ୍ଲକ୍ ମାନ୍ୟତା ପାଇଁ ଦାବି କରିଛନ୍ତି । ଏନେଇ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ସମେତ ଅନେକ ସ୍ଥାନୀୟ ନେତା ସର୍ବଦଳୀୟ ବୈଠକ କରିଥିଲେ । ଏହା ପରେ ଏକ ଟିମ ଜିଲ୍ଲାପାଳଙ୍କୁ ଭେଟି ମୈଦଲପୁରକୁ ବ୍ଲକ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।