ବୈଷ୍ଣବୀଙ୍କର ଲାଗିଲା କୃତ୍ରିମଗୋଡ଼
ବେତନଟୀ : ବେତନଟୀ ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ବେତନଟୀ ସ୍ଥିତ ତୁଳସୀଚଉରା ଠାରେ ଗତ ମାର୍ଚ୍ଚ ୧୪ତାରିଖରେ ଘଟିଯାଇଥିବା ଦୁର୍ଘଟଣାରେ ୮ ବର୍ଷର କୁନିଝିଅ ବୈଷ୍ଣବୀ ସିଂ ନିଜର ବାମଗୋଡ଼ ହରାଇଥିଲା । କଟକ ଏସ୍ସିବିରେ ଚିକିତ୍ସାଧୀନ ଥିବାବେଳେ ମାନ୍ୟବର ବିଧାୟକ ସନାତନ ବିଜୁଳିଙ୍କ ହସ୍ତକ୍ଷେପପରେ ବୈଷ୍ଣବୀଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯାଇଛି । ଏସ୍ସିବି ମେଡିକାଲ ସଭାଗୃହରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁପରିଟେଣ୍ଟ ଡ. ଗୌତମ ଶତପଥୀ ଅଧ୍ୟକ୍ଷତା କରିଥିଲେ । ବିଧାୟକ ସନାତନ ବିଜୁଳି ଯୋଗଦେଇଥିବା ବେଳେ ବୈଷ୍ଣବୀଙ୍କ ଜଟିଳ ଅସ୍ତ୍ରୋପଚାର କରିଥିବା ସର୍ଜରୀ ବିଭାଗମୁଖ୍ୟ ତଥା ଶଲ୍ୟ ବିଶେଷଜ୍ଞ ଡ. ବିଭୁତିଭୂଷଣ ନାୟକ ଉପସ୍ଥିତ ଥିଲେ ମାର୍ଚ୍ଚ ୧୪ରେ ବୈଷ୍ଣବୀ ନିଜର ମା ଓ ସମ୍ପର୍କୀୟଙ୍କ ସହ ଦୋଳମେଳା ଦେଖି ଯାଇଥିବା ସମୟରେ ସଡ଼କ ଦୁର୍ଘଟଣାରେ ବାମଗୋଡ଼ ହରାଇଥିଲା । ତେବେ ଦୁର୍ଘଟଣାରେ ବୈଷ୍ଣବୀଙ୍କ ଛିଣ୍ଡି ଯାଇଥିବା ଗୋଡ଼ ଯୋଡ଼ିବାକୁ ବିଧାୟକ ସନାତନ ବିଜୁଳି, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଏସ୍ସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏସ୍ସିବିର ସର୍ଜରୀ ବିଭାଗ ମୁଖ୍ୟଙ୍କ ନେତୃତ୍ୱରେ ଡାକ୍ତରୀଦଳଙ୍କ ଦୀର୍ଘଘଣ୍ଟାର ଅସ୍ତ୍ରୋପଚାର ପରେ ଛିଣ୍ଡି ଯାଇଥିବା ଗୋଡ଼କୁ ଯୋଡ଼ିବାରେ ସଫଳ ହୋଇଥିଲେ ।