ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା 

 ବୁଗୁଡ଼ା : ବୁଗୁଡ଼ା ଠାକୁରାଣୀ ଯାତ୍ରାର ଦ୍ୱିତୀୟ ଦିବସରେ ବିଶ୍ରାମ ନେବା ପରେ ଆଜି ତୃତୀୟ ଦିନରେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି  । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସନ୍ଧ୍ୟାରେ ୧୦୮ ଆଳତି ପରେ ସୁଲୋଚନା ଡାକୁଆ, ପୂର୍ଣବାସୀ ପଣ୍ଡା, ଦୌପଦୀ ପାତ୍ର, ସଞ୍ଜୁକ୍ତା ସାହୁ ଓ ରଞ୍ଜିତା ସାହୁ ପ୍ରମୁଖ ମହିଳାଗଣ ପଞ୍ଚ ଠାକୁରାଣୀଙ୍କ ଘଟ  ଧାରଣ କରି ଅସ୍ଥାନରୁ ବାହାରି ପୋଲସରା ରୋଡ, ମଦନ ମୋହନ ଛକ, ଷ୍ଟେଟ୍ ବ୍ୟାଙ୍କ ଛକ, ସିମାଞ୍ଚଳ ମାର୍ଗ, ବଢେଇ ସାହି, ନୃସିଂହ ମନ୍ଦିର ସାହି, ବେତାରସିଂ ରୋଡ, ସାନ୍ତରା ଶଙ୍ଖ ପର୍ଯ୍ୟନ୍ତ ଯାଇ ସେଠାରୁ ଫେରି ବଳଦେବ ମନ୍ଦିର ଦେଇ ଆସ୍ଥାନକୁ ବିଜେ କରିଥିଲେ  । ପରିକ୍ରମା କାଳରେ ବିଭିନ୍ନ ବାଦ୍ୟ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ସାହି ବାସିନ୍ଦାମାନେ ନିଜ ନିଜର ଗୃହ ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ବାଢି ପଞ୍ଚ ଠାକୁରାଣୀଙ୍କୁ ସ୍ୱାଗତ ପୂର୍ବକ କୃପା ଭିକ୍ଷା କରିଥିଲେ  ।