ପଞ୍ଚାୟତ ଗୃହ ନିର୍ମାଣରେ ଅନିୟମିୟତା

 ବୈଶିଙ୍ଗା : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକଙ୍କ ସୁବିଧା ଦୃଷ୍ଟିରୁ ବୃହତ ପଞ୍ଚାୟତ ଭାବେ ବୈଶିଙ୍ଗା ପଞ୍ଚାୟତକୁ ଭାଙ୍ଗି କେନ୍ଦୁଆକୁ ନୂତନ ପଞ୍ଚାୟତର ମାନ୍ୟତା ପ୍ରଦାନ କରାଗଲା । ନିର୍ବାଚନରେ ପ୍ରଥମ ମହିଳା ସରପଞ୍ଚ ଭାବେ ସ୍ନିଗ୍ଧା ରାଣୀ ହାଁସଦା ନିର୍ବାଚିତ ହୋଇଥିଲେ । କେନ୍ଦୁଆ ପଞ୍ଚାୟତର ନିଜସ୍ୱ କାର୍ଯ୍ୟାଳୟ ନ ଥିବାରୁ ବୈଶିଙ୍ଗା ପଞ୍ଚାୟତର ପୁରୁଣା କାର୍ଯ୍ୟାଳୟରେ କେନ୍ଦୁଆ କାର୍ଯ୍ୟାଳୟ ଚାଲିଥିଲା ଏବେ ବି ଚାଲୁଛି । ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁରୀ ମିଳିବା ପରେ ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପତ୍ର ସଂ୫୧୮/୧୩.୨.୨୦ ବଳରେ ଉପଜିଲ୍ଲାପାଳଙ୍କ ସହିତ ଯୁଗ୍ମ କମିଟି ଗଠନ କରାଯାଇ ମୋହନପୁର ଠାରେ ଖାତା ନଂ ୧୩୦,ପୁଟ ନଂ ୨୭୫.ରେ ଗୃହ ନିର୍ମାଣ କରା ଯିବାର ସିଦ୍ଧାନ୍ତ ନିଆଯାଇଥିଲା । ଏହାପରେ ୩୦.୭.୨୦ ତାରିଖରେ ସ୍ୱତନ୍ତ୍ର ପଲ୍ଲୀ ସଭା ଡକାଯାଇ ଏହି ଜମି ଟି ଜଙ୍ଗଲ କିସମ ଥିବାରୁ ଘରବାରିରେ ପରିବର୍ତ୍ତନ କରାଯିବା ପାଇଁ ସିଦ୍ଧାନ୍ତ ନିଆଯାଇ ରାଜସ୍ୱ ବିଭାଗକୁ ଅନୁରୋଧ କରାଯାଇଥିଲା । ପଲ୍ଲୀସଭା ପରେ ୧୮.୧୧.୨୦ ତାରିଖ ଗ୍ରାମସଭାରେ ଅନୁମୋଦନ କରାଯିବା ସହିତ ପ୍ରସ୍ତାବ ପାରିତ କରାଗଲା । ମାତ୍ର କେତେକ ରାଜନୈତିକ ବଡ ପଣ୍ଡାଙ୍କ ଚକ୍ରାନ୍ତରେ ପଞ୍ଚାୟତବାସୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରାଯିବା ଯୋଗୁଁ ସପକ୍ଷ ଓ ବିପକ୍ଷଙ୍କ ମଧ୍ୟରେ ବଳ କଷା କଷି ଚାଲିଲା । ଯାହାଫଳରେ ୭ବର୍ଷ ପରେ ମଧ୍ୟ ଗୃହ ନିର୍ମାଣ ହୋଇ ପାରିଲା ନାହିଁ । ଏଥିପାଇଁ ତକ୍ରାଳୀନ ସରପଞ୍ଚ ସ୍ନିଗ୍ଧା ରାଣୀ ହାଁସଦଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯିବା ସହିତ ପ୍ରକଳ୍ପ ନିଦେ୍ର୍ଦଶକ, ଉପଜିଲ୍ଲାପାଳ ଓ ପଞ୍ଚାୟତ ଅଧିକାରୀଙ୍କୁ ଏହାର ଏକ ନକଲ ଦିଆଗଲା । ଏହାପରେ ଆଉଥରେ ଯୁଗ୍ମ କମିଟି ଦ୍ୱାରା ସ୍ଥାନ ନିରୁପଣ କରାଯିବ ବୋଲି ଜଣାଇ ଦିଆଗଲା । ମାତ୍ର ୨୦୨୨ ପଞ୍ଚାୟତ ନିର୍ବାଚନ ପରେ କୌଣସି ଗ୍ରାମସଭାରେ ସ୍ଥାନ ନିରୁପଣ ପାଇଁ ସିଦ୍ଧାନ୍ତ ନିଆ ନ ଯାଇ ୨୨.୧୧.୨୪ ତାରଖରେ ବିଧାୟକ ସନାତନ ବିଜୁଳିଙ୍କ କରକମଳରେ ବୈଶିଙ୍ଗା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ ଗୃହ ନିର୍ମାଣ ପାଇଁ ଭୂମି ପୂଜା କରାଗଲା । ଏଭଳି ଏକଛତ୍ରବାଦ କାର୍ଯ୍ୟକୁ ବିରୋଧ କରି ମୋହନପୁର ଠାରେ ୯ଟି ୱାର୍ଡ ର ୱାର୍ଡ ସଭ୍ୟଙ୍କ ସହିତ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ପୂର୍ବ ନିର୍ଦ୍ଧାରିତ ସ୍ଥାନ ମୋହନପୁରରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ କରାଯିବା ପାଇଁ ପ୍ରସ୍ତାବ ପାରିତ କରାଗଲା । ବିଧାୟକଙ୍କ ଦ୍ୱାରା ଶୁଭ ଦିଆଯାଇଥିବା ସ୍ଥାନଟି ୫ ରୁ ୬ କି.ମି ଦୂର ହେବା ଯୋଗୁଁ ରାସନ ଚାଉଳ ଆଣିବା, ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ଆଣିବା ବହୁ କଷ୍ଟକର ହେବ ବୋଲି ଅଭିଯୋଗ କରାଯାଇଥିଲା । ଏଥି ସହିତ ଯେଉଁ ଉଦେ୍ଦଶ୍ୟରେ ବଡ ପଞ୍ଚାୟତକୁ ଭାଙ୍ଗି ନୂତନ ପଞ୍ଚାୟତ ସୃଷ୍ଟି କରାଗଲା ତାର ଉଦେ୍ଦଶ୍ୟ ସାଧନ ହୋଇ ପାରିଲା ନାହିଁ । ଏହି ସବୁ ଦୃଷ୍ଟିରୁ ପୂନର୍ବାର ସ୍ଥାନ ନିରୁପଣ କରାଯାଇ ଗୃହ ନିର୍ମାଣ କରାଗଲେ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଗ୍ରାମବାସୀ ମତପ୍ରକାଶ କରିଛନ୍ତି  । ନୂତନ ବିଡିଓ ଶୀଘ୍ର ଏହାର ସମାଧାନ କରିବେ ବୋଲି ପ୍ରକାଶ କରିଛନ୍ତି  ।