ପବିତ୍ରମୋହନ ମେଡିକାଲ୍ କଲେଜରେ ନାମଲେଖା ଆରମ୍ଭ କରିବାକୁ ଦାବି
ାା ପ୍ରଭାନୁ୍ୟଜ ।ା ସାଉଥବଲଣ୍ଡା/ତାଳଚେର, : ତାଳଚେର ସରକାରୀ ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ଆବାହକ ପଦ୍ମ ଚରଣ ସାମଲଙ୍କ ସଭାପତିତ୍ୱରେ ମେଡିକାଲ କଲେଜ୍ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ କରିବା ପାଇଁ ଘୋଷଣା କରିଥିବାରୁ କମିଟି ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଥିଲା । ଏହି ଘୋଷଣାକୁ କାର୍ଯ୍ୟକାରୀ କରିବା ପାଇଁ ଚଳିତ ବର୍ଷ ଠାରୁ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ବୈଠକରେ ଦାବି କରାଯାଇଥିଲା । ସେହିପରି ପବିତ୍ର ମୋହନ ପ୍ରଧାନ ମେଡିକାଲ୍ରେ ପ୍ରଫେସର, ସହକାରୀ ପ୍ରଫେସର, ବିଶେଷଜ୍ଞ ଡାକ୍ତର ଏବଂ ପାରାମେଡିକାଲ୍ ଷ୍ଟାଫ ନିଯୁକ୍ତି କରିବା ସହ ମେଡିକାଲ୍ ପାଇଁ ସମସ୍ତ ଆନୁସଙ୍ଗିକ ଯନ୍ତ୍ରପାତି ବ୍ୟବସ୍ଥା କରନ୍ତୁ ବୋଲି ବକ୍ତାମାନେ ଦାବି କରିଥିଲେ । ସେଥିପାଇଁ ଆସନ୍ତା ଜୁଲାଇ ୧୮ ତାରିଖ ଦିନ ତାଳଚେର ଉପଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯିବ ବୋଲି ସଭାପତି ଘୋଷଣା କରିଥିଲେ । ଯଦି ଏହା କାର୍ଯ୍ୟକାରୀ କରାନଯାଏ ତେବେ ବିଧାନସଭା ଅଧିବେଶନ ସମୟରେ ଭୁବନେଶ୍ୱର ଠାରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ସର୍ବସମ୍ମତିକ୍ରମେ ବୈଠକରେ ନିଷ୍ପତି ହୋଇଥିଲା । ଏହି ବୈଠକରେ କମିଟିର ବରିଷ୍ଠ ସଭ୍ୟ ଦିଗମ୍ବର ଗଡନାୟକ, ବିନୋଦ ଲାଲ୍, ପ୍ରହ୍ଲାଦ ଚନ୍ଦ୍ର ସାହୁ, ପ୍ରେମାନନ୍ଦ ମହାନ୍ତି, ସୁକାନ୍ତ ଦାସ, ଉଲ୍ଲାସ ମୁଦୁଲି, ପରମାନନ୍ଦ ସାହୁ, ପର୍ଶୁରାମ ସାମଲ, ରାଜୁ ନାଏକ, ଶୋଭାଗିନୀ ଦାସ, ମନୋଜ ଜେନା, ବିଛନ୍ଦ ପ୍ରଧାନ, ଗଗନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।