ପରିଶ୍ରମ ଆଗରେ ହାର ମାନିଲା ଦାରିଦ୍ର: ଦିନ ମଜୁରିଆଙ୍କ ପୁଅ ହେବେ ଡ଼ାକ୍ତର
କାକଟପୁର : ଦିନ ମଜୁରିଆ ବାପା ମା’ଙ୍କ ପୁଅ ବନିବ ଡାକ୍ତର । ପିନ୍ଧିବ ଧଳା ଆପ୍ରନ, ବେକରେ ପକାଇବ ଷ୍ଟେଥୋସ୍କୋପ । ପୁଅ ନିଟ୍ ପରୀକ୍ଷାରେ ପାସ୍ କରିଛି । ପୁଅ ସହ ସେମାନଙ୍କର ବି ବର୍ଷ ବର୍ଷର କଠିନ ପରିଶ୍ରମ ସାକାର ହୋଇଛି । ସେମାନଙ୍କ ଆଖିରେ ଆଖିଏ ସ୍ୱପ୍ନ ହେଲେ ପାଖରେ ଅର୍ଥର ଘୋର ଅଭାବ । ପୁଅ କିପରି ଡାକ୍ତରୀ ପାଠ ପଢିବ, କିପରି ତା’ର ନାମ ଲେଖାଇବେ ସେହି ଚିନ୍ତା ଏବେ ସେମାନଙ୍କୁ ଘାରିଛି । ଏପରି ଏକ ଘଟଣା ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଜପୁର ଗାଁରେ ଦେଖିବାକୁ ମିଳିଛି । ବାଜପୁର ଗାଁର ଅଲେଖ ଚନ୍ଦ୍ର ବେହେରା ଓ ଶାନ୍ତିଲତା ବେହେରାଙ୍କ ପୁଅ ରଘୁନାଥ ବେହେରା ଚଳିତ ବର୍ଷ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଫଳରେ ସର୍ବ ଭାରତୀୟ ସ୍ତରରେ ତାଙ୍କ ରାଙ୍କ ୪ହଜାର ୪ଶହ ୭୮ରହିଥିବା ବେଳେ କାଟେଗୋରି ସ୍ତର ରେ ୩ନମ୍ବର ରେ ରହିଛନ୍ତି । ହେଲେ ଦିନ ମଜୁରି ଲାଗିଲେ ପରିବାର ମୁହଁରେ ଦାନା ଦେଉଥିବା ଅଲେଖ ବେହେରାଙ୍କ ନିକଟରେ ସମ୍ବଳ ବୋଲି କିଛି ନାହିଁ । ପୂର୍ବରୁ ପରିବାର ଚଳାଇବାକୁ ପାମ୍ପଡ ଓ ଆଇସିକ୍ରିମ ବିକ୍ରି କରୁଥିବା ବେଳେ କୋଭିଡି ପରଠାରୁ କାକଟପୁର ଅଞ୍ଚଳର ଏକ ମିଷ୍ଟାନ ଭଣ୍ଡାରରେ କାମ କରିଥାନ୍ତି । ଦିନକୁ ସ୍ୱଳ୍ପ ମଜୁରୀ ମାତ୍ର ୨ଶହ ଟଙ୍କା ।ବହୁ କଷ୍ଟରେ ଅର୍ଥ ରୋଜଗାର କରି ପୁଅକୁ ନିଟ କୋଚିଂ ଦେଇଥିଲେ । ପୁଅ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିବା ଖୁସି ସହ ସେମାନଙ୍କ ମଧ୍ୟରେ ଅର୍ଥ ଯୋଗାଡ ନେଇ ଚିନ୍ତା ବି ବଢି ଯାଇଛି । ସକାଳେ ଖଟିବାକୁ ଗଲେ ସନ୍ଧ୍ୟାରେ ଖାଇବା ଯୋଗାଡ କରି ପାରୁଥିବା ବାପାମା’ କିପରି ଲକ୍ଷ ଲକ୍ଷ ଟଙ୍କା ଯୋଗାଡ କରିବେ, ସେହି ଚିନ୍ତା ଏବେ ସେମାନଙ୍କୁ ଘାରିଛି । ମନରେ ଖୁସି ଥିଲେ ବି ଆପେଆପେ ଆଖି ଜକେଇ ଯାଉଛି । ପୁଅକୁ ଡାକ୍ତର ଭାବେ ଦେଖିବା ନିମନ୍ତେ ମନରେ ଅଦ୍ୟମ ଇଚ୍ଛା ଥିଲେ ବି କିପରି ଖର୍ଚ୍ଚ ତୁଲାଇବେ ତାହା ଭାବି ଭାବି ଏବେ ସେମାନଙ୍କ ମୁଣ୍ଡରେ ପଡିଛି ଚଡକ । ଏନେଇ ରଘୁନାଥ କହିଛନ୍ତି, ପିଲା ବେଳୁ ଡାକ୍ତର ହେବାକୁ ଇଚ୍ଛା ଥିଲା । ତେଣୁ ପାଠପଢାରେ ମନ ଦେଉଥିଲି । ମାତ୍ର କୋଚିଂ ନିମନ୍ତେ ବାପାମା’ଙ୍କ ନିକଟରେ ଅର୍ଥର ଘୋର ଅଭାବ ଥିଲା । ତେଣୁ କଷ୍ଟେ ମଷ୍ଟେ କୋଚିଂ ନେଇ ନିଜକୁ ପ୍ରସ୍ତୁତ କରୁଥିଲି । ଏଥିନିମନ୍ତେ ଦିନକୁ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲି । ଶେଷରେ ମେଡିକାଲ ସିଟ୍ ପାଇଥିଲେ ବି କିପରି ପାଠ ପଢିବି, ଟଙ୍କା କେଉଁଠୁ ଆସିବ ସେ ଚିନ୍ତା ମୋତେ ଓ ମୋ’ ବାପାମା’ଙ୍କୁ ଘାରିଛି । ପୁଅର ସ୍ୱପ୍ନ ପୂରଣ ପାଇଁ ସରକାର କିଛି ସହାୟତା ଯୋଗାଇ ଦେବାକୁ ଦାବି ଜଣାଇଛନ୍ତି ରଘୁନାଥଙ୍କ ପିତାମାତାଙ୍କ ସହ ସମ୍ପର୍କୀୟ ।