ପାଖେଇ ଆସୁଛି ରକ୍ଷାବନ୍ଧନ : ରାକ୍ଷୀ ଦୋକାନରେ ଜମୁଛି ଗ୍ରାହକଙ୍କ ଭିଡ଼

 ହିଞ୍ଜିଳିକାଟୁ :  ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମା ହେଉଛି ଏକ ମୁଖ୍ୟ ପର୍ବ । ଭାଇ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ରପ୍ରେମ, ସ୍ନେହ, ଶ୍ରଦ୍ଧା ଏବଂ ବିଶ୍ୱାସର ପ୍ରତୀକ ହେଉଛି ରାକ୍ଷୀ । ଅଗଷ୍ଟ ମାସ ୯ ତାରିଖରେ ଏହି ପର୍ବ ପାଳିତ ହେବ । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ଛୋଟବଡ ସମସ୍ତ ରାକ୍ଷୀ ବ୍ୟବସାୟୀମାନେ ଭଲ ବ୍ୟବସାୟ ସହ ବେଶ ୨ ପଇସା ରୋଜଗାର ଆଶା ରଖିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାର ୧୫ ଦିନ ପୂର୍ବରୁ ଲକ୍ଷ୍ମୀ ବଜାର ସମେତ ପୌରାଞ୍ଚଳର ବିଭିନ୍ନ ଛକ, ସାହିବସ୍ତି ଓ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ସାହିରେ ଅସ୍ଥାୟୀ ରାକ୍ଷୀ ଭଣ୍ଡାରମାନ ଗଢି ଉଠିଛି । ହିଞ୍ଜିଳିକାଟୁ ବଜାରରେ ବିକ୍ରି ହେଉଥିବା ରାକ୍ଷୀ ଗୁଡିକ ମୁଖ୍ୟତଃ କଲିକତା, ମୁମ୍ବାଇ, ରାୟପୁର ସହରରୁ ଆସିଥାଏ । ରାକ୍ଷୀ ସହ ଅଭିନନ୍ଦନ ଓ ଭାଇ ଭଉଣୀଙ୍କ ନିମନ୍ତେ ସ୍ନେହଭରା ବାର୍ତ୍ତା ଲେଖାଥିବା ବିଭିନ୍ନ ଡିଜାଇନର କାର୍ଡ ବିକ୍ରି ହେଉଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ବର୍ତ୍ତମାନ ଯୁବ ପିଢି ବେଶ ପସନ୍ଦ କରୁଛନ୍ତି । ୨ ଟଙ୍କାରୁ ଆରମ୍ଭ କରି ୨ଶହ ଟଙ୍କା ପର୍ଯ୍ୟନ୍ତ ଦାମ୍ର ରାକ୍ଷୀ ସ୍ଥାନୀୟ ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ସ୍ଥାନୀୟ ପୌରାଞ୍ଚଳର ଲକ୍ଷ୍ମୀ ବଜାରରେ ନୂତନ ଡିଜାଇନ ଓ ଭେରାଇଟି ରାକ୍ଷୀ ଦେଖିବାକୁ ମିଳିଛି । ଆମେରିକାନ ଫିକ୍ସ ଡାଇମଣ୍ଡ, ପାସ୍ପୋଟ ରାକ୍ଷୀ, ସେଟ ରାକ୍ଷୀ, ଫେମିଲି ପ୍ୟାକ୍ ରାକ୍ଷୀ, ଆଲଫାବେଟିକାଲ ରାକ୍ଷୀ, ଚେନ ରାକ୍ଷୀ ସମେତ ବ୍ରେସଲେଟ ରାକ୍ଷୀ ଚଳିତ ବର୍ଷ ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଯାହା ଗ୍ରାହକଙ୍କୁ ବେଶ ପସନ୍ଦ ରହିଛି । ସେହିଭଳି ଛୋଟ ଛୋଟ ପିଲାମାନଙ୍କ ପାଇଁ ଛୋଟାଭିମ, ବାଲ ହନୁମାନ, ଗଣେଶ, ବାଲକ୍ରିଷ୍ଣା, ସ୍ପାଇଡର ମ୍ୟାନ୍, ମୁ୍ୟଜିକ ଲାଇଟ ଭଳି ନୂତନ ଡିଜାଇନର ରାକ୍ଷୀ ଉପଲବ୍ଧ ରହିଛି । ଏସବୁ ବ୍ୟତୀତ ରେଶମୀ ସୂତା, ମୋତିମାଳି, ମରୟରପୁଚ୍ଛ, ଷ୍ଟୋନ ରାକ୍ଷୀ ମଧ୍ୟ ବିକ୍ରି ହେଉଛି । ବେପାର ସେତେଟା ଜମି ନଥିଲେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାକୁ ଆହୁରି ୧୪ ଦିନ ବାକି ରହିଥିବା ବେଳେ ଆଗକୁ ବେପାର ଜୋର ଧରିବ ବୋଲି ସ୍ଥାନୀୟ ଅଞ୍ଚଳର ରାଖୀ ପୋରୀ ବି ଅଜିତ କୁମାର ସୁବୁଦ୍ଧି  ଆଶା ରଖିଛନ୍ତି  ।