ବିଜେଡ଼ି-ବିଜେପି ଛକାପଞ୍ଝା

- ଜୟଙ୍କ ନାଁ ଘୋଷଣା ପରେ ବଦଳିବ କି ବିଜେପି ଗଣିତ?
- ଏବେବି ବିଜେଡ଼ିର ଟିକେଟ ଅଙ୍କ ଅଛିଣ୍ଡା
- ଦ୍ୱନ୍ଦ୍ୱରେ ପକାଉଛି ଆଦିବାସୀ ସଂଘର ନିରବତା
ଭୁବନେଶ୍ୱର : ବିଜେଡ଼ି ଛାଡ଼ି ବିଜେପିରେ ମିଶି ସାରିଲେଣି ଜୟ ଢୋଲକିଆ। ଟିକେଟ୍ ବି ପାଇବେ । ହେଲେ ଏଯାଏଁ ଜୟଙ୍କୁ ବିଜେପି କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ନେତାମାନେ ଗ୍ରହଣ କରିପାରିନାହାନ୍ତି । ସେପଟେ ବିଜେପି ଶିବିରକୁ ଜୟ ଚାଲିଯିବା ପରେ ବିଜେଡ଼ି ଦୁଇଦିନ ହେଲା ଟିକେଟ୍ ମନ୍ଥନ କରୁଛି । ଦଳରେ ଟିକେଟ୍ ମାନଦଣ୍ଡକୁ ନେଇ ଏବେବି ଦ୍ୱନ୍ଦ୍ୱ ସୃଷ୍ଟିହୋଇଛି । ଗୋଟିଏ ପଟେ ଆଦିବାସୀ ନେତାଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରାଯାଉଥିବାବେଳେ ବିଜେପିରୁ ପୋଚିଂ କରିବା ପାଇଁ ବି ଉଦ୍ୟମ ଚାଲିଛି । କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ପ୍ରଚାର ଆରମ୍ଭ କରିଦେଇଥିବାବେଳେ ବିଜେଡ଼ି-ବିଜେପିରେ କିନ୍ତୁ ଛକାପଞ୍ଝା ଚାଲିଛି ।
ବିଜେପି ଶିବିରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ ଜୟଙ୍କୁ ପ୍ରାର୍ଥୀ କରିବା ଏକରକମ ନିଶ୍ଚିତ ହୋଇଯାଇଛି । ହେଲେ ଦଳର ପ୍ରମୁଖ ଆଶାୟୀମାନଙ୍କ ମାନଭଞ୍ଜନ ହୋଇପାରିନାହିଁ । ବସନ୍ତ ପଣ୍ଡାଙ୍କୁ ବୁଝାଶୁଝା କରାଯାଇଥିବାବେଳେ ତାଙ୍କ ପୁଅ ତଥା ଗତଥରର ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା, ଯଦୁମଣି ପାଣିଗ୍ରାହୀ ଓ ପ୍ରସନ୍ନ ପାଢ଼ୀଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ ଚାଲିଛି । ଏନେଇ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଦିଲ୍ଲୀରେ ସଂସଦୀୟ ବୋଡର଼୍ ବିହାର ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରୁଥିବାବେଳେ ନୂଆପଡ଼ା ଟିକେଟ୍ ବି ଫାଇନାଲ୍ ହେବ । ତେବେ ବିଜେପି ଜୟଙ୍କୁ ପ୍ରାର୍ଥୀ କରିବା ପରେ ବିଜେପିର କୌଣସି ନେତାଙ୍କୁ ବିଜେଡ଼ି ପ୍ରାର୍ଥୀ କରିବ ବୋଲି ସୂଚନା ମିଳୁଛି । ତେଣୁ ଜାଣିଶୁଣି ଜୟଙ୍କ ନାମ ଘୋଷଣା କରାଯାଉନାହିଁ । ଆମେ ଘୋଷଣା କରିବା ପରେ ଆମ ନେତାଙ୍କୁ ନେଇ ବିଜେଡ଼ି ଗେମ୍ କରିବାର ସମ୍ଭାବନା ଥିବାରୁ ଦଳ ତରବର ହେଉନାହିଁ ବୋଲି ଜାଣିବାକୁ ମିଳିଛି ।
ଅପରପକ୍ଷରେ ବିଜୁ ଜନତା ଦଳ ଦୁଇ ଦିନ ଧରି ନୂଆପଡ଼ାରେ ଟିକେଟ୍ ମନ୍ଥନ କରିଛି । ୧୯ ଜଣିଆ ନୂଆପଡ଼ା କମିଟି ସହ ଗତକାଲି ଦେବୀ ପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଆଜି ପ୍ରଣବ ପ୍ରକାଶ ଦାସ ନୂଆପଡ଼ାରେ ପହଁଚି ରୁଦ୍ଧଦ୍ୱାର ଆଲୋଚନା କରିଛନ୍ତି । ସମ୍ଭବତଃ ଆସନ୍ତାକାଲି ବରିଷ୍ଠ ନେତାମାନଙ୍କ ସହ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିବେ । ନୂଆପଡ଼ାରେ ଆଦିବାସୀ ଭୋଟର ଏକ ବଡ଼ ଫ୍ୟାକ୍ଟର ହୋଇଥିବାରୁ ଦଳ ସେଦିଗରେ ଆଲୋଚନା କରୁଛି । ପୂର୍ବତନ ମନ୍ତ୍ରୀ ଘାସିରାମ ମାଝୀଙ୍କ ଝିଅ ସରୋଜିନୀ ମାଝୀ ଓ ଗଣ୍ଡ ଜିଲ୍ଳା ସଭାପତି ଭାନୁ ପ୍ରତାପ ସିଂଙ୍କ ସହ ବି ଆଲୋଚନା ଚାଲିଛି । ସେହିପରି ବିଜେପି ନେତା ଯଦୁମଣି ପାଣିଗ୍ରାହୀ ଓ ପ୍ରସନ୍ନ ପାଢ଼ୀଙ୍କ ସହ ବି ଆଲୋଚନା କରାଯାଉଛି । ପ୍ରସନ୍ନ ପୂର୍ବରୁ ବିଜେଡ଼ିରେ ଥିଲେ, ତେବେ ବିଜେପିରେ ତାଙ୍କର ସେତେ ଭଲ ସଂଗଠନ ନାହିଁ । ଯଦୁମଣିଙ୍କର ଭଲ ଭୋଟ୍ ବ୍ୟାଙ୍କ ଓ ବ୍ୟକ୍ତିତ୍ୱ ଥିବାବେଳେ ଯଦୁମଣି କିନ୍ତୁ ବିଜେପି ଟିକେଟ ଘୋଷଣା କରିସାରିବା ପରେ କଥା ହେବେବୋଲି କହିଛନ୍ତି । ତେଣୁ ଦଳ ଏବେ ଦ୍ୱନ୍ଦ୍ୱରେ ପଡ଼ିଛି । ଗାଏମୋଟ୍ କହିଲେ ବିଜେଡ଼ି ଓ ବିଜେପି ଏବେ ଟିକେଟକୁ ନେଇ ଛକାପଞ୍ଝାରେ ଅଛନ୍ତି । ଏସବୁ ଭିତରେ ବଡ଼ ଦିଗଟି ହେଉଛି ଆଦିବାସୀ ସଂଘଗୁଡ଼ିକ ନୀରବ ରହିଛନ୍ତି । ସେମାନେ ନିଜର କାଡର଼୍ ଖୋଲୁନାହାନ୍ତି । ଗୋଟିଏ ଗୋଷ୍ଠୀ ଘାସିରାମଙ୍କ ସହ ରହିଥିବା କୁହାଯାଉଛି । ତେବେ ଅନ୍ୟ ଏକ ଗୋଷ୍ଠୀ ବିଜେଡ଼ି ସହ ଯୋଗସୂତ୍ରରେ ରହିଛି ।
ସେପଟେ ପ୍ରଶାସନିକ କଳ ଜରିଆରେ ବିଜେପି ଆଉ କିଛି ଆଦିବାସୀ ନେତାଙ୍କୁ ନିଜ ଆଡ଼କୁ ଟାଣିବାକୁ ଯୋଜନା କରିଛି । କଂଗ୍ରେସ ଓ ବିଜେଡ଼ିର ଆଗଧାଡ଼ିର ନେତାମାନେ ଏବେ ନୂଆପଡ଼ାରେ ଡେରା ପକାଇଥିବାବେଳେ ବିଜେପିର ଆଗଧାଡ଼ିର ନେତାମାନେ ଭୁବନେଶ୍ୱରରେ ରହି ରଣନୀତି କରୁଛନ୍ତି । ବିଶେଷକରି ଜୟଙ୍କୁ ଏଯାଏଁ କୌଣସି ବିଜେପି ନେତା କିମ୍ବା କାର୍ଯ୍ୟକର୍ତ୍ତାମାନେ ଫୁଲତୋଡ଼ା ଦେଇ ଅଭିନନ୍ଦନ ବି ଜଣାଇନଥିବା ଘଟଣା ଦଳକୁ ଚିନ୍ତାରେ ପକାଇଦେଇଛି । ସେପଟେ ଜୟଙ୍କୁ ବିଜେପି ପକ୍ଷରୁ ଟାସ୍କ ଦିଆଯାଇଛି । ତୁରନ୍ତ ବିଜେଡ଼ିରୁ ନେତାଙ୍କୁ ଆଣି ଦଳରେ ସାମିଲ୍ କରିବାକୁ କୁହାଯାଇଛି । ଖରିଆର ରୋଡ଼ ଏନଏସିର ଆଗଧାଡ଼ିର କାର୍ଯ୍ୟକର୍ତ୍ତାମାନେ ଜୟଙ୍କ ନେତୃତ୍ୱରେ ବିଜେପିରେ ଖୁବଶୀଘ୍ର ସାମିଲ୍ ହେବେ । ତେବେ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ହିଁ ଜୟ ନିଜର ଶକ୍ତି ପ୍ରଦର୍ଶନ କରିବେ ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି । ନିକଟରେ ସେ ପ୍ରାୟ ୧ ହଜାର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଜୟ କେତେ ଭୋଟ୍ ବିଜେଡ଼ିରେ ଭାଙ୍ଗିବେ ସେନେଇ ବିଜେପି ଆକଳନ କରିପାରୁନାହିଁ । ବିଜେଡ଼ିର କ୍ୟାଡ଼ର ନେତାମାନେ ଯଦି ବିଜେପିକୁ ନଆସିବେ ତେବେ ଜୟ ଦଳ ପାଇଁ ବୋଝ ପାଲଟିବାର ଆଶଙ୍କା ବି ଘାରିଛି । ଦିନେ ଦୁଇଦିନ ଭିତରେ ବିଜେପିର ଏକ ଟିମ୍ ନୂଆପଡ଼ା ଯାଇ ସ୍ଥିତି ପରଖିବା ସହ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମାନଭଞ୍ଜନ ପାଇଁ ଉଦ୍ୟମ କରିବେ ।