ପାଣି ପାଇଁ ଲୋକେ ଡହଳବିକଳ
ବୈଶିଙ୍ଗା: ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଖରାର ପ୍ରକୋପ ଦିନକୁ ଦିନ ବଢ଼ୁଥିବା ବେଳେ ବେତନଟୀ ବ୍ଲକରେ ପାଣି ପାଇଁ ଲୋକେ ଡହଳବିକଳ ଅବସ୍ଥାରେ ରହିଛନ୍ତି । ବୈଶିଙ୍ଗା ଥାନା ଅଧୀନ ଗଡଦେଉଳିଆ ପଞ୍ଚାୟତର ୮ ନମ୍ବର ୱାର୍ଡର ଭାନପୁରରେ ବସୁଧା ଯୋଜନାରେ ନିର୍ମିତ ଓଭରହେଡ୍ ପାନୀୟ ଜଳ ସମସ୍ୟାର ମୁକାବିଲା ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି । ଫଗୁଣରୁ ଫାଟି ପଡିଲାଣି ଉପକୂଳରୁ ଉପାନ୍ତ । ତାତିରେ କଲବଲ ହେଲେଣି ସମସ୍ତେ । ପାରଦ ନିୟମିତ ୩୩ ଡିଗ୍ରୀ ପାର ରହୁଛି । ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗକୁ ତାପମାତ୍ରା ୪ରୁ ୫ ଡିଗ୍ରୀ ବଢିପାରେ । ଏ ନେଇ ରାଜ୍ୟ ସରକାରଙ୍କ ବୈଠକ ବି ସରିଲାଣି । ପୂର୍ବ ପ୍ରସ୍ତୁତି କରି ଗ୍ରୀଷ୍ମ ଲହରୀର ମୁକାବିଲା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସେପଟେ ରାଜ୍ୟରେ ଅଚଳ ଥିବା ନଳକୂପର ମରାମତି ଖୁବଶୀଘ୍ର ସାରିବା ପାଇଁ ନିଦେ୍ର୍ଦଶ ଆସିସାରିଛି । ହେଲେ ଏନେଇ ତତ୍ପରତା ଦେଖିବାକୁ ମିଳୁନି । ଭାନପୁରରେ ଥିବା ଏହି ଓଭରହେଡ୍ ପାଣିଟାଙ୍କି ନିର୍ମାଣ ଆରମ୍ଭ ଠାରୁ ଶେଷ ହେବା ପର୍ଯ୍ୟନ ପର୍ଯ୍ୟନ୍ତ ହାରା ହାରି ତିନିବର୍ଷ ଲାଗିଯାଇଥିଲା । ସେଥିରେ ବି ନିମ୍ନମାନର କାମ ।ଠିକାଦାର କିଛି ପରିବାରଙ୍କୁ ପାଣି ସଂଯୋଗ ଦେଇଥିବା ବେଳେ ଅନେକଙ୍କୁ ବାଦ ଦେଇ ତରବରିଆ ଭାବେ ପଞ୍ଚାୟତକୁ ତାଲା ଗତେଇ ପଳାଇଗଲେ । ପଞ୍ଚାୟତ ପୁଣି ବାକିଥିବା ପରିବାରଙ୍କୁ ଅନ୍ୟ ଏକ ଠିକାଦାର ଦ୍ୱାରା କାମ କରାଇଥିଲେ ସୁଦ୍ଧା କିଛି ସଂଯୋଗରେ ପାଣି ବାହାରୁ ନଥିବା ସୂଚନା ମିଳିଛି । ଗ୍ରାମବାସୀମାନେ ପାଣି ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିବାରୁ ସରପଞ୍ଚ ଟାଙ୍କିପାଣି ଯୋଗାଇଦେବା ପାଇଁ ଜଣଙ୍କୁ ଦାୟିତ୍ୱ ଦେଇଥିଲେ । ସିଏ କିଛି ଦିନ ଚଲାଇବା ପରେ କୌଣସି କାରଣରୁ ଛାଡି ଦେଇଥିଲେ । ପରେ ଆଉ ଜଣକୁ ଚଲାଇବା ପାଇଁ ଦିଆଯାଇଥିବା ବେଳେ ସିଏ ଦୀର୍ଘଦିନ ହେବ ପାରିଶ୍ରମିକ ନ ମିଳିବାରୁ ଚଲାଇବା ପାଇଁ ମନା କରି ଦେଇଥିଲେ । ଏପଟେ ସମସ୍ୟାର ସମାଧାନ କରି ତୁରନ୍ତ ପାଣି ଯୋଗାଇ ନଦେଲେ ଗ୍ରାମବାସୀମାନେ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।