ପାରଦର୍ଶୀ ପୋର୍ଟାଲରେ ଆବେଦନ ପ୍ରକ୍ରିୟା ବିଳମ୍ବକୁ ବିରୋଧ

 ଭୁବନେଶ୍ୱର: ଗରିବ ପିଲା ପ୍ରାଇଭେଟ ସ୍କୁଲରେ ମାଗଣା ଆଡମିସନ ପ୍ରକ୍ରିୟା ଘୁଞ୍ଚାଇ ଦେବା ଘଟଣାରେ ଅନେକ ଘୋଟଲା ରହିଛି । ଏଭଳି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହୋଇଛି ଓଡ଼ିଶା ଅଭିଭାବକ ମହାସଂଘ । ପାରଦର୍ଶୀ ପୋର୍ଟାଲ ଆବେଦନ  ପ୍ରକ୍ରିୟାକୁ ଗଣଶିକ୍ଷା ବିଭାଗ ଏକ ମାସରୁ ଊଦ୍ଧ୍ୱର୍ ଘୁଞ୍ଚାଇ ଦେଇଥିବାରୁ କ୍ଷୋଭ ପ୍ରକାଶ କରିଛି ସଂଘ । ଏହାଦ୍ୱାରା ଆମ ପିଲାମାନେ ସେମାନଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପଡ଼ିବେ ବୋଲି ସଂଘ ଅଭିଯୋଗ କରିଛି । ଏଣୁ ତ୍ରୁଟି କରିଥିବା ଅଧିକାରୀଙ୍କ ବିରୁଦ୍ଧରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶିକ୍ଷା ଅଧିକାର ଅଭିଭାବକ ସଙ୍ଘ ଆବାହିକା କଳ୍ପନା ସାହୁ ଦାବି କରିଛିନ୍ତି ।
ଶିକ୍ଷା ଅଧିକାର ଆଇନ ଧାରା ୧୨-ଏରେ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ପ୍ରାଇଭେଟ ସ୍କୁଲରେ ମାଗଣାରେ ପଢିବାକୁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ  ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ରହିଛି । ପୂର୍ବ ନିଦେ୍ର୍ଦଶନାମା ଅନୁଯାୟୀ ଏଥିରେ ଜାନୁଆରୀ ୨୨ରୁ ଫେବୃଆରୀରୁ ୨୮ ପର୍ଯ୍ୟନ୍ତ ସ୍କୁଲମାନଙ୍କ ପଞ୍ଜୀକରଣ କାଗଜ ପତ୍ର ଯାଞ୍ଚ ସହ ସ୍ଥିରୀକରଣ ଥିଲା । ମାର୍ଚ୍ଚ ୧ରୁ ପିଲାମାନଙ୍କ ପ୍ରଥମ ପର୍ଯ୍ୟାୟ ଆବେଦନ ସହ କାଗଜ ପତ୍ର ଯାଞ୍ଚ ଓ ଲଟେରୀ ଉଠାଣ ପରେ ମାର୍ଚ୍ଚ ୨୯ରୁ ଏପ୍ରିଲ ୧୦ ମଧ୍ୟରେ ନାମଲେଖା ହୋଇଥାନ୍ତା । ପରବର୍ତ୍ତୀ  ପର୍ଯ୍ୟାୟରେ ଆବେଦନ ସହ ପିଲାମାନେ  ମେ ୧ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଓ ମେ ୧୫ ସୁଦ୍ଧା ଶେଷ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା  ବ୍ୟବସ୍ଥା ଥିଲା । କିନ୍ତୁ ବର୍ତ୍ତମାନ ଗଣଶିକ୍ଷା ବିଭାଗ ଏହି ପୋର୍ଟାଲରେ ପିଲାମାନେ ଆବେଦନ ପ୍ରକ୍ରିୟା ଏକ ମାସରୁ ଅଧିକ ସମୟ ଘୁଞ୍ଚାଇ ଦେଇଛନ୍ତି । ନୂତନ ପ୍ରକ୍ରିୟାରେ ପିଲାମାନେ ଆଡ଼ମିସନ ସାରିବାକୁ ଜୁନ ଶେଷ ହୋଇଯିବ । ଏପରି ହେଲେ ପିଲାମାନେ ପାଠ ପଢିପାରିବେନି । ସେମାନଙ୍କ ତିନି ମାସ ସମୟ ବାରବାଦ ହେବ । ଦ୍ୱିତୀୟରେ ଏହି ପ୍ରକ୍ରିୟା ବିଳମ୍ବ ଜାଣି ଶୁଣି ପ୍ରାଇଭେଟ ସ୍କୁଲମାନଙ୍କୁ ସୁବିଧା ଦେବା ଉଦେ୍ଦଶ୍ୟରେ କରାଯାଇଛି ବୋଲି ମହାସଂଘ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ବିଭାଗୀୟ ଅଧିକାରୀଙ୍କ ଜରିଆରେ ପ୍ରାଇଭେଟ୍ ସ୍କୁଲ୍ କର୍ତ୍ତୃପକ୍ଷ ନିଜର ସ୍ୱାର୍ଥ ସାଧନ ସହ ବ୍ୟବସ୍ଥାକୁ ସୁହାଇଲା ଭଳି ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ମହାସଂଘ ସଭାପତି ବାସୁଦେବ ଭଟ୍ଟ କହିଛନ୍ତି । ତେଣୁ ଅଭିଭାବକ ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ହସ୍ତକ୍ଷେପ ଲୋଡ଼ି ତୁରନ୍ତ ତାରିଖ ପରିବର୍ତ୍ତନ ନିଷ୍ପତି ପ୍ରତ୍ୟାହାର କରିବାକୁ ସଭାପତି ପ୍ରସନ୍ନ ବିଷୋୟୀ ଦାବି ଜଣାଇଛନ୍ତି ।