ମିଳୁନି ଆବାସ : ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ଗରିବ ବାସହୀନ ଲୋକଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନାମାନ କରଛନ୍ତି । କିନ୍ତୁ କିଛି ଅଧିକାରୀଙ୍କ ଅବହେଳା ଓ କିଛି ରାଜନେତାଙ୍କ ଆନ୍ତରିକତା ଅଭାବରୁ ଅନେକ ଯୋଗ୍ୟ ହିତାଧିକାରୀ ଉକ୍ତ ଯୋଜନାର ସୁଫଳରୁ ବଞ୍ଚôତ ହୋଇ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ନୟାଗଡ ଜିଲ୍ଲା  ଭାପୁର ବ୍ଲକ ଚକ୍ରଧରପ୍ରସାଦ ପଞ୍ଚାୟତରେ ଦେଖିବାକୁ ମିଳିଛି ।
ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚôତ ହୋଇ ଚକ୍ରଧର ପ୍ରସାଦ ଗ୍ରାମର ଧ୍ରୁବ ମଲିକଙ୍କ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ।  ଧ୍ରୁବ ଜଣେ ଦିନ ମଜୁରିଆ । ଦିନକୁ ଯାହା ରୋଜଗାର କରନ୍ତି, କଷ୍ଟେ ମଷ୍ଟେ ସେଥିରେ ୪ଜଣ ପରିବାର ଚଳନ୍ତି । ବହୁ ଅଭାବ ଅନାଟନ ଭିତରେ ରହିଥିବାବେଳେ ଘର ଖଣ୍ଡେ କରିବା ପାଇଁ ପାଖରେ ସମ୍ବଳ ନାହିଁ । ଯାହାଫଳରେ ବର୍ଷବର୍ଷ ଧରି ଭଙ୍ଗା କୁଡ଼ିଆରେ ପରିବାରଙ୍କ ସହ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । ତେବେ ଆବାସଟିଏ ତାଙ୍କ ନାମରେ ଯାଞ୍ଚ ପାଇଁ ଆସିଥିଲେ ବି ବାରମ୍ବାର ତାଙ୍କୁ ବାଦ୍ ଦିଆଯାଉଛି । ଏଥିପାଇଁ ସରକାରୀ କର୍ମଚାରୀଙ୍କ ଉପରେ ଜନସାଧାରଣ ପ୍ରଶ୍ନ ଉଠାଉଛନ୍ତି । ତୁରନ୍ତ ତାଙ୍କୁ ଗୋଟିଏ ପକ୍କା ଘର ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।