ଇଡକୋ ରାସ୍ତା କାମରେ ଦୁର୍ନୀତିର ଗନ୍ଧ: କେଲୁଅ ମାଟିରେ ଢଙ୍କାଯାଉଛି କଳା ପାଉଁଶ
ଯଖପୁରା: କଳିଙ୍ଗନଗର ଶିଳ୍ପାଞ୍ଚଳରେ ରାସ୍ତା ସବୁ ମରଣଯନ୍ତା ପାଲଟିଛି । ପଥଚାରୀଙ୍କୁ ବେଦମ୍ କରି ରଖିଛି ରାସ୍ତାଘାଟ । କାରଖାନାକୁ ଆସୁଥିବା ହଜାର ହଜାର ଭାରି ଯାନ ପାଇଁ ରାସ୍ତା ସବୁର ଏପରି ଅବସ୍ଥା ହୋଇଛି ଯେ ଯିବା ଆସିବା କଷ୍ଟକର ହୋଇପଡିଛି । ସମସ୍ତ କଳକାରଖାନାକୁ କିପରି ସୁବିଧାରେ ଯାତାୟାତ ହୋଇପାରିବ ସେଥିପାଇଁ ରାସ୍ତା ମରାମତି ଠାରୁ ଆରମ୍ଭ କରି ନୂତନ ରାସ୍ତା ନିର୍ମାଣ କରିବା ଇଡକୋ ସଂସ୍ଥାକୁ ଦାଇତ୍ୱ ଦିଆଯାଇଛି । ମାତ୍ର ଏହି ସଂସ୍ଥା କରୁଥିବା କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ଦେଖିବାକୁ ମିଳୁଛି । ସଦ୍ୟ ଗୋପବନ୍ଧୁ ମାର୍ଗ ବା କମନ୍ କରିଡ଼ର ରାସ୍ତା ଠାରୁ ଆରମ୍ଭ ହୋଇ ଭିସିଆଇ କେମିକାଲ ପ୍ଲାଣ୍ଟ ଦେଇ ଜଟିଆ ଷ୍ଟିଲ ପ୍ଲାଣ୍ଟକୁ ହେଉଥିବା ରାସ୍ତାକୁ ଦେଖିଲେ ତାହା କେତେ ମାତ୍ରାରେ ଦୁର୍ନୀତି ହେଉଛି ଜଣାପଡ଼ିଯାଉଛି । କୋଟିକୋଟି ଟଙ୍କାରେ ନିର୍ମିତ ରାସ୍ତାରେ କଳକାରଖାନାର ବାର୍ଯ୍ୟ କଳା ପାଉଁଶ ବ୍ୟବହାର କରାଯାଇଛି । ଅଭିଯୋଗ ପରେ ଇଡକୋର ଡିଭିଜନାଲ ମ୍ୟାନେଜର ରାସ୍ତାରେ ବ୍ୟବହୃତ କଳା ପାଉଁଶକୁ ଉଠାଇବା ପାଇଁ ଠିକାଦାରଙ୍କୁ କୁହାଯାଇଛି । ମାତ୍ର ଠିକାଦାର ସେ କଳା ପାଉଁଶ ଉଠାଇବେ କଣ ବରଂ କଳା ପାଉଁଶକୁ ଲୁଚାଇବା ପାଇଁ ତା ଉପରେ କେଲୁଅ ମାଟି ଢାଙ୍କି ଦେବାରେ ଲାଗିଛନ୍ତି । ଫଳରେ ରାସ୍ତା ନିର୍ମାଣରେ ବ୍ୟବହୃତ କଳା ପାଉଁଶ ଯେମିତି କି ସେମିତି ରହିଛି । ରାସ୍ତାର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଇଡକୋ ଅଧିକାରୀ ଓ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ଏସବୁ ଚାଲିଛି ବୋଲି ଚର୍ଚ୍ଚା ହେଉଛି । ରାସ୍ତାରେ କଳା ପାଉଁଶ ତ ବ୍ୟବହାର ହୋଇଛି ତା ପରେ ମଧ୍ୟ ବୁଢ଼ା କେଲୁଅ ମାଟିକୁ ବ୍ୟବହାର କରାଯାଉଛି । ପ୍ରକାଶ ଥାଉ କି ବଂଶୀଧର ପଣ୍ଡା ନାମକ ଠିକାଦାର ଏହି ରାସ୍ତାର କାର୍ଯ୍ୟାଦେଶ ପାଇଛନ୍ତି । ଯେଉଁ ରାସ୍ତା ନିର୍ମାଣର ମୂଲ୍ୟ ୫କୋଟିରୁ ଉର୍ଦ୍ଧ ରହିଛି । ଦେଖାଯାଉ ରାସ୍ତା ନିର୍ମାଣ କାର୍ଯ୍ୟରେ ହେଉଥିବା ଅନିୟମିତତାକୁ କେମିତି ହଜମ କରିପାରୁଛନ୍ତି ଇଡକୋ ଅଧିକାରୀ ।