ପୁଲିସ ଗାଡି ଦୁର୍ଘଟଣା ଗ୍ରସ୍ତ ; ୬ ମହିଳା କନଷ୍ଟେବଳ ଆହତ

ପୁଲିସ ଗାଡି ଦୁର୍ଘଟଣା ଗ୍ରସ୍ତ ; ୬ ମହିଳା କନଷ୍ଟେବଳ ଆହତ
ପୁଲିସ ଗାଡି ଦୁର୍ଘଟଣା ଗ୍ରସ୍ତ ; ୬ ମହିଳା କନଷ୍ଟେବଳ ଆହତ

 
 ଭୁବନେଶ୍ୱର, ୨୮ା୫ : ନିର୍ବାଚନୀ ଡୁ୍ୟଟି ଯିବା ବେଳେ ବାଣୀବିହାର ନିକଟ ସତସଙ୍ଗ ବିହାର ଠାରେ ପିକପ୍ ଭ୍ୟାନ୍ ସହ ପୁଲିସ ଗାଡି ହୋଇଛି ଧକ୍କା । ଏହି ଦୁର୍ଘଟଣାରେ ୬ ଜଣ ମହିଳା କନଷ୍ଟେବଳ ଆହତ ହୋଇଥିବା ସୂଚନା ରହିଛି । ଏନେଇ ଡିସିପି ପ୍ରତୀକ୍ ସିଂହ କହିଛନ୍ତି, ଯେ ଏକ ପୁଲିସ ପାର୍ଟି ଗାଡି ନିର୍ବାଚନ ଡୁ୍ୟଟି ପାଇଁ ବଲାଙ୍ଗୀରରୁ କେନ୍ଦ୍ରାପଡା ଯାଉଥିଲେ । ଏହି ସମୟରେ ସହିଦନଗର ଥାନା ଅଞ୍ଚଳ ସତସଙ୍ଗ ବିହାର ପାଖରେ ସାମନାରେ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ହଠାତ ବ୍ରେକ୍ ମାରିଥିଲା । ଫଳରେ ପଛପଟୁ ଆସୁଥିବା ପୁଲିସ ପାର୍ଟି ଗାଡିଟି ପଛପଟୁ ଧକ୍କା ହୋଇଥିଲା । ଯାହାଫଳରେ ଗାଡିରେ ଥିବା ୧୯ ଜଣଙ୍କ ମଧ୍ୟରୁ ୬ ଜଣ ମହିଳା କନଷ୍ଟେବଳ ଆହତ ହୋଇଛନ୍ତି । ଏନେଇ ପିକଅପ୍ ଭ୍ୟାନକୁ ପୁଲିସ ଜବତ କରିଛି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇ ସେମାନଙ୍କ ଚିକିତ୍ସା କରାଯାଉଥିବା ବେଳେ ଅମସ୍ତଙ୍କ ଅବସ୍ଥା ଠିକ ରହିଥିବା ଜଣାପଡ଼ିଛି । ଆହତ ପୁଲିସ କର୍ମଚାରୀ ମାନେ ହେଲେ, ସାଧବି ମାଝି, ଗୋପାଳୁଣି ବଗର୍ତ୍ତି, ପଦ୍ମାଳୟା ନାଗ, ରଶ୍ମିତା ପାଣ୍ଡିଆ, ମନିଷା କୁମ୍ଭାର, ମଞ୍ଜୁ ବେହେରା ଓ ସସ୍ମିତା ମାଝି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦ ତାରିଖରେ ବଲାଙ୍ଗୀର ରିଜର୍ଭ ପୁଲିସର ୧୯୦ ଜଣ କନଷ୍ଟେବଳଙ୍କୁ ପ୍ରଥମ ପର୍ଯ୍ୟାୟରେ ନିଜ ଜିଲ୍ଲାରେ ନିର୍ବାଚନ ଡୁ୍ୟଟି କରିଥିଲେ । ଗତ ୨୭ ତାରିଖ ବଲାଙ୍ଗୀର ପହଁଞ୍ଚିବା ପରେ ପୁଣି ୨୯ରେ କେନ୍ଦ୍ରାପଡ଼ାରେ ଡୁ୍ୟଟି ପାଇଁ ପଡ଼ିଥିଲା । ଯାହାକୁ ନେଇ ୪ଟି ବସ ଯୋଗେ ଆସୁଥିଲେ ପୁଲିସ ଦଳ । ଗୋଟିଏ ବସରେ ୩୮ ଜଣ ମହିଳା ଥିଲେ, ଯେଉଁମାନେ ଆସିବା ବେଳେ ଆଜି ସକାଳ ସମୟରେ ଭୁବନେଶ୍ୱରରେ ଏପରି ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଖବର ପାଇ ସହିଦନଗର ଥାନା ପୁଲିସ, ଆମ୍ବୁଲାନ୍ସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଚିକିତ୍ସା କରାଯାଇଛି ।