ପୁଣି କଂଗ୍ରେସର ‘ଅନାସ୍ଥା’ ଅଗ୍ରାହ୍ୟ
ଭୁବନେଶ୍ୱର: ପ୍ରଥମ ଅନାସ୍ଥା ପ୍ରସ୍ତାବର ଅବଧି ସରି ଯାଇଥିବାରୁ ଗତକାଲି ଆଉ ଗୋଟିଏ ଅନାସ୍ଥା ନୋଟିସ୍ ଦେଇଥିଲା କଂଗ୍ରେସ । ହେଲେ ଗୋଟିଏ ଅଧିବେଶନରେ ଦୁଇଟି ଅନାସ୍ଥା ଆସିପାରିବନି ବୋଲି ଉଲ୍ଲେଖ କରି ବାଚସ୍ପତି ସୁରମା ପାଢ଼ୀ ସେହି ନୋଟିସ୍କୁ ଅଗ୍ରାହ୍ୟ କରିଦେଇଛନ୍ତି । ଅପରପକ୍ଷରେ ଆଜି ପୂର୍ବାହ୍ନରୁ ଅପରାହ୍ନ ଯାଏଁ ଗୃହ ସରଗରମ ରହିଥିଲା । ପ୍ରଥମାର୍ଦ୍ଧରେ ବିଜେଡ଼ି ହଟ୍ଟଗୋଳ କରି ଗୃହକୁ ଅଚଳ କରିଦେଇଥିବାବେଳେ ଦ୍ୱିତୀୟାର୍ଦ୍ଧରେ ବିଜେଡ଼ି ବି ପ୍ରତିବାଦ କରି କକ୍ଷତ୍ୟାଗ କରିଥିଲା । ସେପଟେ ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ ଓ ଅନ୍ୟ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରି କଂଗ୍ରେସ କକ୍ଷତ୍ୟାଗ କରିଛି । ଅପରପକ୍ଷରେ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଥିଲେବି ତାହା ବିଫଳ ହୋଇଯାଇଛି । ବିନା ବିରୋଧୀରେ ଗୃହରେ ବିଲ୍ ନେଇ ଆଲୋଚନା ହୋଇଥିଲା ।
ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡ଼ି ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । ଗତକାଲି ଭଳି ଆଜି ମଧ୍ୟ ସେମାନେ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି କୁଠାରଘାତ ଚଳିବ ନାହିଁ, ମୋହନ ସରକାର ହାଏ ହାଏ ବୋଲି ନାରାବାଜି କରି ଗୃହକୁ କମ୍ପାଇ ଦେଇଥିଲେ । ସେପଟେ ପ୍ରଶ୍ନୋତ୍ତର କାଳ ଚାଲିଥିଲେବି ଗୃହ କମ୍ପୁଥିବାରୁ ତାହା ଭଲରେ ଶୁଣାଯାଉନଥିଲା । ଅପରପକ୍ଷରେ ଗୃହକାର୍ଯ୍ୟରେ ଭାଗ ନେବା ପାଇଁ ବାଚସ୍ପତି ବାରବାର ନିବେଦନ କରିଥିଲେବି ସେଥିପ୍ରତି ବିଜେଡ଼ି ବିଧାୟକମାନେ କର୍ଣ୍ଣପାତ କରିନଥିଲେ । ସେପଟେ କଂଗ୍ରେସ ବିଧାୟକମାନେ ପୂର୍ବଭଳି ବିଜେଡ଼ି-ବିଜେପି ଭାଇଭାଇ ପୋଷ୍ଟର ଧରି ନିଜ ନିଜ ସ୍ଥାନରେ ଠିଆ ହୋଇ ରହିଥିଲେ । ଏମିତି ପ୍ରାୟ ହଟ୍ଟଗୋଳ ଭିତରେ ଗୃହ ୨୦ ମିନିଟ୍ ଚାଲିବା ପରେ ଗୃହକୁ ବାଚସ୍ପତି ସୁରମା ପାଢ଼ୀ ୧୦ଟା ୫୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ ।
ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେଯେ, ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ପଙ୍ଗୁ କରିଦେଉଛନ୍ତି । ଲୋକପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରାଯାଉଛି । ଏନେଇ ଆମେ ପ୍ରତିବାଦ କଲେ ବି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଏହି ସମୟରେ ବିଜେଡ଼ି ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ । ପରେ ବିଜେଡ଼ି ବିଧାୟକମାନେ ପ୍ରତିବାଦ କରି ଗୃହରୁ ପଳାଇ ଯାଇଥିଲେ । ଗୃହରୁ ଯିବା ପରେ ବିଜେଡ଼ି ବିଧାୟକମାନେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ । ଅପରପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ବାଚସ୍ପତିଙ୍କ ଠାରୁ ଉତ୍ତର ଲୋଡ଼ିଥିଲେ । ବାଚସ୍ପତି କେତେକ ସଂସଦୀୟ ବିବରଣୀ, ବିଧି ଓ ପରମ୍ପରାର ଉଲ୍ଲେଖ କରି କହିଥିଲେଯେ, ଗୋଟିଏ ଅନାସ୍ଥା ପ୍ରସ୍ତାବ ଆଲୋଚନା ହେବା ପରେ ଛଅ ମାସ ପରେ ହିଁ ଆଉ ଏକ ଅନାସ୍ଥା ପ୍ରସ୍ତାବ ଆସିବାର ବିଧି ରହିଛି । ସେହିପରି ଅନାସ୍ଥା ନୋଟିସ୍ ଯଦି ଆଗତ ନହୋଇ ଲାପ୍ସ ହୋଇଗଲା ତେବେ ସେହି ଅଧିବେଶନରେ ଆଉ ଏକ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଗ୍ରହଣ କରାଯାଇପାରିବ ନାହିଁ । ତେଣୁ ସଂସଦୀୟ ପରମ୍ପରା ଓ ବିଧି ଆଧାରରେ ସେ ନୋଟିସକୁ ଗ୍ରହଣ କରିପାରୁନାହାନ୍ତି । ବାଚସ୍ପତିଙ୍କ ନିଷ୍ପତ୍ତି ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସି ହଟ୍ଟଗୋଳ କରିଥିଲେ । ଗୃହ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେବି ବିରୋଧୀ ଯୋଗନଦେବାରୁ ତାହା ବିଫଳ ହୋଇଥିଲା । ଫଳରେ ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ିଥିଲା । ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିବାରୁ ବିଲ୍ ଆଲୋଚନାରେ ଭାଗ ନେବାକୁ ସେମାନଙ୍କୁ ଅନୁରୋଧ କରିବା ପାଇଁ ବାଚସ୍ପତି ମୁଖ୍ୟ ସଚେତକଙ୍କୁ ନିଦେ୍ର୍ଦଶ ଦେଇଥିଲେ । ହେଲେ ବିରୋଧୀ ନଆସିବାରୁ ବିନା ବିରୋଧୀରେ ବିଲ୍ ଉପରେ ଆଲୋଚନା କରାଯାଇଥିଲା ।