ଶରତଙ୍କ ପରେ ଦଳର ପରବର୍ତ୍ତୀ ରାଜ୍ୟ ମୁଖିଆ କି’ଏ!
ଭୁବନେଶ୍ବର: ସାଧାରଣ ଓ ବିଧାନସଭା ନିର୍ବାଚନ ପରେ ପ୍ରଦେଶ କଂଗ୍ରେସ ଏବେ ପ୍ରାୟତଃ ନେତୃତ୍ବ ଶୂନ୍ୟ । ନିର୍ବାଚନ ଫଳାଫଳ ଆସିବା ପରେ ଗତମାସ ୨୧ ତାରିଖରୁ ଅଖିଳ ଭାରତୀୟ କଂଗ୍ରେସ କମିଟି ପ୍ରଦେଶ କଂଗ୍ରେସର ସମସ୍ତ କମିଟି ଭଙ୍ଗ କରିସାରିଛି । ଦଳର ସାଙ୍ଗଠନିକ ନବକଳେବର ପାଇଁ ଦଳୀୟ ନେତା ଓ କର୍ମୀମାନେ ଅପେକ୍ଷା କରି ବସିଛନ୍ତି । ନିର୍ବାଚନରେ ଦଳର ନେତୃତ୍ବ ନେଇଥିବା ଶରତ ପଟ୍ଟନାୟକଙ୍କ ପରେ ଦଳର ପରବର୍ତ୍ତୀ ରାଜ୍ୟ ମୁଖିଆ କି’ଏ ହେବ, ସେନେଇ କଳ୍ପନା ଜଳ୍ପନା ଜାରି ରହିଛି । ଏହି ରେସର ଏବେ ଏକାଧିକ ବରିଷ୍ଠ ତଥା ଅନୁଭବୀ ଚେହେରାଙ୍କ ନାମ ଯୋଡି ହୋଇଯାଇଛି । ଏହି ପ୍ରସଙ୍ଗରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି," ପିସିସି ଦାଇତ୍ୱ ‘ଏଆଇସିସି’ ଉପରେ ନିର୍ଭର କରେ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ କଂଗ୍ରେସର ସଂଗଠନକୁ ମଜବୁତ କରିପାରିବା ପରି ନେତାଙ୍କୁ ଦାୟିତ୍ବ ଦେବେ । ମୁଁ ଚର୍ଚ୍ଚାରେ ନାହିଁ । ଜଣେ ଯୋଗ୍ୟ, ଦକ୍ଷ ନେତାଙ୍କୁ ଦାୟିତ୍ୱ ଦିଆଯାଉ । ମୁଁ ସଭାପତି ହେବି ବୋଲି ମଧ୍ୟ ଚିନ୍ତା କରିନି । ଯାହାଙ୍କୁ ଦାୟିତ୍ୱ ଦେବେ, ମୁଁ ତାକୁ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବି । ୨୦୨୪ ନିର୍ବାଚନରେ ସାଧାରଣ ଲୋକ, କଂଗ୍ରେସ କର୍ମୀ ଓ ନେତାଙ୍କ ମନରେ ବିଶ୍ୱାସ ଥିଲା ଯେ, ବିଜେଡି-ବିଜେପିର ଅଘୋଷିତ ମେଣ୍ଟ ଆଗରେ କଂଗ୍ରେସ ବିକଳ୍ପ ଭାବେ ଉଭା ହେବ । ହେଲେ ସେ ଆଶା ମଉଳିଗଲା । ସ୍ଥିତିକୁ ଦେଖି ଇଓଉଉ ‘ପିସିସି’ ସହ ସବୁ କମିଟିକୁ ଭଙ୍ଗ କରିଛନ୍ତି । କମିଟି ଭଙ୍ଗ ପରେ ତୃଣମୂଳରୁ ନେଇ ଉପରସ୍ତର ପର୍ୟ୍ୟନ୍ତ କଂଗ୍ରେସର କୌଣସି କାର୍ୟ୍ୟକ୍ରମ ହୋଇପାରିନି । ସେଥିପାଇଁ ମୁଁ ମୋ ପକ୍ଷରୁ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ମେଲ୍ କରିଛି ।’’