ପୁରୁଷ ଶିକ୍ଷକଙ୍କ ହାତରେ ଚାଲିଛି ଛାତ୍ରୀନିବାସ
କେନ୍ଦୁଝର : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଛାତ୍ରୀନିବାସରେ ମହିଳା ସହକାରୀ ପରିଚାଳିକାଙ୍କୁ ଦାୟିତ୍ୱ ନ ଦେଇ ପୁରୁଷ ଶିକ୍ଷକ ବା ପ୍ରଧାନଶିକ୍ଷକ ଛାତ୍ରୀନିବାସ ପରିଚାଳନା କରୁଥିବା ଅଭିଯୋଗ ହୋଇଛି । ଛାତ୍ରୀନିବାସରେ ନାମକୁ ମାତ୍ର ଶିକ୍ଷୟିତ୍ରୀମାନଙ୍କୁ ସହକାରୀ ପରିଚାଳିକା ରଖାଯାଇଥିବାବେଳେ ବାସ୍ତବରେ ପୁରୁଷ ଶିକ୍ଷକମାନେ ଏହାର ସମସ୍ତ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି । ସଠିକ୍ ତଦାରଖ ଅଭାବରୁ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ନିୟମ ଅନୁଯାୟୀ ଛାତ୍ରୀନିବାସ ଗୁଡିକ କେବଳ ଶିକ୍ଷୟିତ୍ରୀଙ୍କ ଦ୍ୱାରା ରୋଟେସନ ଅନୁଯାୟୀ ଛାତ୍ରୀନିବାସ ପରିଚାଳନା ହେବା କଥା । ମାତ୍ର ଏହି ନିୟମ କେବଳ କାଗଜକଲମରେ ଥିଲେ ମଧ୍ୟ ବାସ୍ତବରେ ପ୍ରଧାନଶିକ୍ଷକମାନେ ନିଜେ ଛାତ୍ରୀ ନିବାସ ପରିଚାଳନା କରୁଛନ୍ତିି । ଫଳରେ ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁ ବିଦ୍ୟାଳୟରେ ଛାତ୍ରୀନିବାସ ଥାଇ ଶିକ୍ଷୟିତ୍ରୀ ନଥିବେ ଅନ୍ୟ ବିଦ୍ୟାଳୟରୁ ଡେପୁଟେସନରେ ସେହି ବିଦ୍ୟାଳୟକୁ ଶିକ୍ଷୟିତ୍ରୀ ନିଆଯାଇ ଛାତ୍ରୀ ନିବାସ ପରିଚାଳନା ଦାୟିତ୍ୱ ଦିଆଯିବାର ନିୟମ ରହିଛି । କୌଣସି ଛାତ୍ରୀନିବାସ ଥିବା ସ୍କୁଲରେ ଜଣେ ସହକାରୀ ଶିକ୍ଷୟିତ୍ରୀ ଥିଲେ ସେ ବର୍ଷ ସାରା ଛାତ୍ରୀନିବାସ ପରିଚାଳନା କରିବା କଥା । କିନ୍ତୁ ଏହାର ବ୍ୟତିକ୍ରମ ଅନେକ ବିଦ୍ୟାଳୟରେ ଦେଖିବାକୁ ମିଳୁଛି ।
କେତେକ ଛାତ୍ରୀନିବାସରେ ପରିଚାଳନା ଦାୟିତ୍ୱ ଖାତା କଲମରେ ଶିକ୍ଷୟିତ୍ରୀମାନଙ୍କୁ ଦେଇ ସମସ୍ତ ଦାୟିତ୍ୱ ପୁରୁଷ ପ୍ରଧାନଶିକ୍ଷକମାନେ ତୁଲାଉଛନ୍ତି । ପ୍ରଧାନଶିକ୍ଷକମାନେ ମଧ୍ୟ ସ୍କୁଲରେ ନ ରହି ମାଟ୍ରନ ଏବଂ ସିସିଏଙ୍କ ହାତରେ ଛାତ୍ରୀଙ୍କ ସମସ୍ତ ଦାୟିତ୍ୱ ଦେଇ ନିଜ ଘରକୁ ପଳାଉଛନ୍ତି । ସହକାରୀ ଶିକ୍ଷୟିତ୍ରୀମାନଙ୍କ ନାମରେ କାଗଜକଲମରେ କେବଳ ଦାୟିତ୍ୱ ଦିଆଯାଇଥିବାରୁ ସେମାନେ ମଧ୍ୟ ବିଦ୍ୟାଳୟରେ ରହୁନଥିବା ଦେଖାଦେଇଛି । କେତେକ ବିଦ୍ୟାଳୟରେ ଶିକ୍ଷୟିତ୍ରୀମାନଙ୍କୁ ରହିବା ପାଇଁ ପ୍ରଧାନ ଶିକ୍ଷକମାନେ ବାଧ୍ୟ କରୁଛନ୍ତି ଫଳରେ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇ ବିଦ୍ୟାଳୟର ପାଠପଢା ଏବଂ ପରିଚାଳନାରେ ତୃଟି ଦେଖାଦେଉଛି । ଅଭିଯୋଗ ଅନୁସାରେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ପୁରୁଷ ପ୍ରଧାନ ଶିକ୍ଷକମାନଙ୍କୁ ଛାତ୍ରୀନିବାସ ପରିଚାଳନା ଦାୟିତ୍ୱ ଦେବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷୟିତ୍ରୀମାନଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି । ପୁରୁଷ ପ୍ରଧାନ ଶିକ୍ଷକଙ୍କ ସହ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କ ଅସାଧୁ ମେଣ୍ଟ ରହୁଥିବାରୁ ଏଭଳି ନିୟମ ବିରୁଦ୍ଧ କାର୍ଯ୍ୟ ଦୀର୍ଘ ଦିନ ହେବ ବେଧଡକ ଚାଲିଛି ଏବଂ ଛାତ୍ରନିବାସ ପରିଚାଳନା ଦାୟିତ୍ୱରୁ ଶିକ୍ଷୟିତ୍ରୀମାନଙ୍କୁ ନିବୃତ କରାଯାଉଥିବା ଅଭିଯୋଗ ହେଉଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଛାତ୍ରୀନିବାସ ଗୁଡିକୁ କେବଳ ଉପର ଠାଉରିଆ ପରିଦର୍ଶନ କରି ତାଙ୍କ ଦାୟିତ୍ୱ ଶେଷ କରୁଥିବା ଜଣାପଡିଛି । ଏହାର ନିରପେକ୍ଷ ତଦନ୍ତ କରି ଛାତ୍ରୀନିବାସ ପରିଚାଳନାରେ ତୃଟି ଥିବା ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଛାତ୍ରୀ ନିବାସଗୁଡିକୁ କେବଳ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପରିଚାଳନା କରିବାକୁ ପଦକ୍ଷେପ ନେବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି ।