ପୁଲିସର ପକ୍ଷପାତ ବିରୁଦ୍ଧରେ ଥାନା ଘେରିଲେ ଲୋକେ

 ସିଂହପୁର : ଅଳକୁଣ୍ଡ ଥାନା ଅନ୍ତର୍ଗତ କପିଳା ପଞ୍ଚାୟତ ରହସଗୁହଳି ଗ୍ରାମରେ ବଚସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ଉପରେ ଟ୍ରାକ୍ଟର ଚଢାଇ ମାରିଦେବାକୁ ହୋଇଥିବା ଉଦ୍ୟମ ଘଟଣାରେ ପୁଲିସର ପକ୍ଷପାତିତାକୁ ନେଇ ଲୋକେ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅସନ୍ତୁଷ୍ଟ ଲୋକେ ଆଜି ଥାନା ଘେରିବା ସହ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ । ଖବର ମତେ ଅଳକୁଣ୍ଡ ଥାନା କପିଳା ପଞ୍ଚାୟତ ରାହାସ ଗୁହଳି ଗ୍ରାମର କୈଳାସ ସାମଲ ଓ ରାଜେନ୍ଦ୍ର ସାମଲଙ୍କ ମଧ୍ୟରେ ଗତ ୪ ତାରିଖ ପୂର୍ବାହ୍ନରେ ରାସ୍ତାରେ ଗାଡି ପାସ କରିବାକୁ ନେଇ ବଚସା ହୋଇଥିଲା  । ଯାହାକୁ ନେଇ ସେହିଦିନ ସଂନ୍ଧ୍ୟାରେ କୈଳାସଙ୍କ ପୁଅ ଲିପନ ଓରଫ ସିଦ୍ଧାନ୍ତ ଏହାକୁ କେନ୍ଦ୍ର କରି ରାଜେନ୍ଦ୍ର ସାମଲଙ୍କ ଉପରେ ଟ୍ରାକ୍ଟର ଛଡାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ରାଜେନ୍ଦ୍ର ତଳେପଡ଼ି ଛଟପଟ ହେଉଥିବା ବେଳେ ସିଦ୍ଧାନ୍ତ ବାରମ୍ବାର ତାଙ୍କ ଗୋଡ଼ ଉପରେ ଟ୍ରାକ୍ଟର ଚଢାଇଥିଲା । ସ୍ଥାନୀୟ ଲୋକ ଓ ପୁଲିସ ସହାୟତାରେ ରାଜେନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ପ୍ରଥମେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂକଟପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ଉଭୟପକ୍ଷ ଅଳକୁଣ୍ଡ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଆହତ ରାଜେନ୍ଦ୍ରଙ୍କ ପୁଅ ସନ୍ଦୀପଙ୍କୁ ମେଡିକାଲରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଲିପନକୁ ପୁଲିସ ଏଯାବତ ଗିରଫ କରିନି ।  ମୁଖ୍ୟ ଅଭିଯୁକ୍ତ ଲିପନର ଭାଇ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କ ପିଏସଓ ଭାବେ କାର୍ଯ୍ୟ କରୁଥିବାରୁ ପୁଲିସ ଚାପରେ ଗିରଫ କରୁନଥିବା ଗ୍ରାମବାସୀ ଅଭିଯୋଗ କରି ଆଜି ଅଳକୁଣ୍ଡ ଥାନା ଘେରିଥିଲେ । ଘଟଣା ସମ୍ପର୍କରେ ଅଳକୁଣ୍ଡ ଥାନା ଅଧିକାରୀ ଦେବାଶିଷ ଶତପଥିଙ୍କୁ ପଚାରିବାରୁ ସେ କୁହନ୍ତି ଘଟଣାରେ ଦୁଇଟି ଅଭିଯୋଗ ହୋଇଛି । ଗୋଟିଏ ପକ୍ଷର ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତ ଫେରାର ରହିଛନ୍ତି । ବିଭିନ୍ନ ସ୍ଥାନରେ ଛଡାଉ ଚାଲିଛି ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।