ବଜ୍ରପାତରେ ଖଲାସୀ ମୃତ; ଡ୍ରାଇଭର ଆହତ

ରଗଡି : ସୋମବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଗାଧୋଉଥିବା ଅବସ୍ଥାରେ ଜଣେ ଗାଡ଼ି ଖଲାସୀଙ୍କ ମୃତୁ୍ୟ ଘଟିଥିବା ବେଳେ ଚାଳକ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାଟି କୋରେଇ ଥାନା ଅନ୍ତର୍ଗତ ରଗଡି ଛକ ନିକଟ ମା'ବାଗେଶ୍ୱରୀ ହୋଟେଲ ନିକଟରେ ଘଟିଛି । ଖବର ମତେ କେନ୍ଦୁଝରରୁ ଲୁହାପଥର ଗୁଣ୍ଡ ନେଇ ଟ୍ରକ ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ଖାଇବା ନିମନ୍ତେ ଉକ୍ତ ହୋଟେଲ ନିକଟରେ ଟ୍ରକ ରଖି ଚାଳକ ଓ ଖଲାସୀ ସିମେଣ୍ଟ କୁଣ୍ଡରେ ଗାଧୋଉଥିଲେ ।  ସମୟ ପ୍ରାୟ ଦେଢଟାରୁ ୨ଟା ମଧ୍ୟରେ ହଠାତ  ବଜ୍ରପାତ ହୋଇଥିଲା । ବଜ୍ରପାତରେ ଟ୍ରକର ଖଲାସୀ ଅନୁଗୁଳ ଜିଲା ରେଙ୍ଗାଲି ଡ଼୍ୟାମ ଥାନା ବଜ୍ରୋକୋଟ ଗ୍ରାମର ଧୁଳେଶ୍ୱର ନାୟକଙ୍କ ପୁଅ ଦିଲ୍ଲୀପ(୨୪)ଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିଲା ବେଳେ ଚାଳକ କେନ୍ଦୁଝର ଜିଲା କଲଣ୍ଡା ଗ୍ରାମର ରାମଚନ୍ଦ୍ର ଖୁଣ୍ଟିଆଙ୍କ ପୁଅ ପପୁ(୨୭) ଆହତ ହୋଇଥିଲେ । ଖବର ପାଇ କୋରେଇ ପୁଲିସ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ପଠାଇବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ବଜ୍ରପାତରେ କେଉଁଠି ଘରର ଆଜବେଷ୍ଟସ ଭାଙ୍ଗି ଯାଇଛି ତ ଆଉ କେଉଁଠି ପଙ୍ଖା, ଇନଭର୍ଟର ଓ ଅନ୍ୟ ବିଦ୍ୟୁତ ଉପକରଣ ପୋଡି ଯାଇଥିବା ଜାଣିବାକୁ ମିଳିଛି ।