ପୁସ୍ତକ ମେଳାର ସାଂସ୍କୃତିକ ସମିତି ବୈଠକ
ଜଗତସିଂହପୁର: ଆଗାମୀ ଜଗତସିଂହପୁର ପୁସ୍ତକ ମେଳା ପରିପ୍ରେକ୍ଷୀରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ସାଂସ୍କୃତିକ ସମିତି ବୈଠକ ସମିତି ଅଧ୍ୟକ୍ଷ ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ପୁସ୍ତକ ମେଳା ଜାନୁଆରୀ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା । ନିଷ୍ପତ୍ତି ଅନୁଯାୟୀ ପ୍ରାତଃ ଯୋଗ କାର୍ଯକ୍ରମ, କବି ସମ୍ମିଳନୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟ, ଜିଲ୍ଲା ଓ ରାଜ୍ୟସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ବ୍ୟଙ୍ଗ କବି ସମ୍ମିଳନୀ, ଓପନ କୁଇଜ୍ ପ୍ରତିଯୋଗିତା, କଲେଜସ୍ତରୀୟ ତର୍କ ପ୍ରତିଯୋଗିତା, ରାଜ୍ୟ ଓ ଜାତୀୟସ୍ତରୀୟ ଏକକ ନୃତ୍ୟ ପରିବେଷଣ, ଲୋକ ନାଟକ ଆଦି କାର୍ଯ୍ୟକ୍ରମ ହେବାକୁ କମିଟିର ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ଆଗ୍ରହୀ ଅନୁଷ୍ଠାନଗୁଡ଼ିକ ଆଗାମୀ ଜାନୁଆରୀ ୮ ତାରିଖ ମଧ୍ୟରେ ସମିତିର ଆବାହକ ବିଜୟ ରାଉତ (ମୋ- ୯୪୩୭୧୫୩୩୯୨), ମାନସ କୁମାର କାନୁନଗୋ (ମୋ -୭୮୭୩୦୬୪୨୩୪)ଙ୍କ ନିକଟରେ ଦରଖାସ୍ତ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଭିଡ଼ିଓ କ୍ଲିପ୍ ଦାଖଲ କରିବାକୁ ଅନୁରୋଧ ଏବଂ କଳାକାରଙ୍କ ସଂଖ୍ୟା ସର୍ବାଧିକ ୨୫ ଜଣଙ୍କ ମଧ୍ୟରେ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା । ୮ ଜାନୁଆରୀ ଅପରାହ୍ନ ୫ଟା ପରେ କୌଣସି ଦରଖାସ୍ତ ଗ୍ରହଣୀୟ ହେବ ନାହଁ । ବୈଠକରେ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଉପାଧ୍ୟକ୍ଷ ବିଜୟ ରାଉତ, ଉପାଧ୍ୟକ୍ଷ ଗଣେଶ୍ୱର ମାଣିଆ, ସମ୍ପାଦକ ସାରଦା ପ୍ରସାଦ ଦାସ, ପ୍ରଶାନ୍ତ ମହାପାତ୍ର, ନରେଶ ଦାସ, ଡ. ସୁଧୀର ମହାନ୍ତି, ପ୍ରଦୀପ୍ତ କିଶୋର ଚୌଧୁରୀ, ନିବେଦିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।