ପୂର୍ତ୍ତ ଓ ଗୃହନିର୍ମାଣ ବିଭାଗର ଅପରିଣାମଦର୍ଶିତା : କୋଟିକୋଟି ଟଙ୍କା ପାଣିରେ ପଡିଲା
ନୀଳଗିରି : ନୀଳଗିରି ପୂର୍ତ୍ତ ଓ ଗୃହନିର୍ମାଣ ବିଭାଗର ଅପରିଣାମଦର୍ଶିତା ପାଇଁ କୋଟିକୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । ନୂତନ କରି ନୀଳଗିରି ମିତ୍ରପୁର ରାସ୍ତାର ଉନ୍ନତିକରଣ ପାଇଁ କାମ ଚାଲିଥିବା ବେଳେ ଏହାର ପ୍ରାୟ ସତୁରୀ ପ୍ରତିଶତ କାମ ସରିବାକୁ ବସିଛି ।
ମାତ୍ର ନୀଳଗିରି ପିବ୍ଲୁ୍ୟଡ଼ି କାର୍ଯ୍ୟାଳୟ ଠାରୁ ହସ୍ପିଟାଲ୍ ପର୍ଯ୍ୟନ୍ତ ରାସ୍ତା ବିଗତ ଏକବର୍ଷ ତଳେ ନିର୍ମାଣ କରାଯାଇ କୋଟିଏ ପାଖାପାଖି ଟଙ୍କା ବ୍ୟୟ ହୋଇଥିବା ଅନୁମାନ କରାଯାଇଥିବା ସାଧାରଣ ଲୋକ ଅଭିଯୋଗ କରିଛନ୍ତି । ତେବେ ଉକ୍ତ ରାସ୍ତାର ପ୍ରଶସ୍ତିକରଣ ପାଇଁ ଦୁଇଦିନ ତଳେ ରାସ୍ତାର ଉଭୟପାର୍ଶ୍ୱରେ ଠିକାଦାରଙ୍କ ଦ୍ୱାରା ମେସିନ ସାହାଯ୍ୟରେ କଂକ୍ରିଟରାସ୍ତାକୁ ତଡା ଯାଉଥିବା ଦେଖିବାକୁ ମିଳିଛି । ଯେତେବେଳେ କି ରାସ୍ତାମଝିରେ ବିଦୁ୍ୟତ୍ ଖୁଣ୍ଟ ପୂର୍ବଭଳି ରହିଥିବା ଦେଖାଯାଇଛି । ଠିକାଦାର ବିଦୁ୍ୟତ୍ ଖୁଣ୍ଟ ଅପସାରଣ ନକରିବା ଫଳରେ ପୁନର୍ବାର ଉକ୍ତ ରାସ୍ତାରେ ଅର୍ଥ ଅପଚୟ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଏତଦଭିନ୍ନ ରାସ୍ତା ତାଡିଦେବା ଫଳରେ ସତର୍କତା ଚିହ୍ନ ନଥିବ କାରଣରୁ ଦୁଇଦିନ ମଧ୍ୟରେ ଅଧିକାଂଶ ଲୋକ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି । ତେବେ ଏନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ । ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖି ବିଗତ ବର୍ଷରେ ନିର୍ମାଣ କରାଯାଇଥିବା ୨୦ଫୁଟ ଓସାର ଏବଂ ଦେଢ଼ଫୁଟ ଗଭୀର ରାସ୍ତାଟି ମଜଭୁତ ଥିବା ବେଳେ କେଉଁ କାରଣରୁ ପୂର୍ତ୍ତବିଭାଗ ପୁନର୍ବାର ତାଡ଼ିବାକୁ ନିଦେ୍ର୍ଦଶ ଦେଲେ କିମ୍ବା ନିର୍ଦ୍ଦିଷ୍ଟ ଜୈନିକ ଠିକାଦାରଙ୍କୁ କାମଦେଇ ସନ୍ତୁଷ୍ଟ କରିବାକୁ ବିଭାଗୀୟ ଅଧିକାରୀ ଏଭଳି ଚାଲ କରିଛନ୍ତି ତାହାକୁନେଇ ଅଭିଯୋଗ ଆଣିଛନ୍ତି । ପୁନର୍ବାର କାମହେବା ଫଳରେ ରାଜ୍ୟ ସରକାରଙ୍କ କୋଟିକୋଟି ଟଙ୍କା ପାଣିରେ ପଡ଼ିଥିବା ବେଳେ ପୂର୍ତ୍ତବିଭାଗର ଏପରି ଅପରିଣାମ ଦର୍ଶୀତା ପାଇଁ ରାଜ୍ୟସରକାର କୋଟିକୋଟି ଟଙ୍କା ରାଜସ୍ୱ ହରାଇବେ । ତେଣୁ ଏହାର କ୍ରାଇମବ୍ରାଞ୍ଚ୍ ତଦନ୍ତ କରାଇ ପ୍ରକୃତ ଦୋଷୀଙ୍କୁ ଫୌଜଦାରୀ ମାମଲା ରୁଜୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସମେତ ପୂର୍ତ୍ତ ଓ ଗୃହନିର୍ମାଣ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନସଚିବ, ୱାର୍କସ ଶାସନସଚିବ, ଭିଜିଲାନ୍ସ ଡିଜି, ଜିଲ୍ଲାପାଳଙ୍କୁ ମଧ୍ୟ ଚିଠି ଲେଖିଥିବା ସୂଚନା ମିଳିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଉକ୍ତ ରାସ୍ତାଟି ବାଲେଶ୍ୱର ସାଂସଦଙ୍କ ଗ୍ରାମକୁ ମୁଖ୍ୟରାସ୍ତା ହୋଇଥିବା ବେଳେ ପୂର୍ତ୍ତବିଭାଗର ଏଭଳି କାର୍ଯ୍ୟକଳାପକୁ ସାଧାରଣରେ ଅସନ୍ତୋଷ କରାଯାଇଛି ।