ବାବା ଚଣ୍ଡେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା

 ନୀଳଗିରି: ନୀଳଗିରି ବ୍ଲକ ସଜନାଗଡ ଠାରେ ଅଧିଷ୍ଠାତ୍ରୀ ଦେବୀ ମା’ ଭୁଦାରଚଣ୍ଡୀଙ୍କ ପୀଠ ପରିସରରେ ବାବା ଚଣ୍ଡେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବରରେ ପାଳନ ହେଉଛି । ଶନିବାର ଅଙ୍କୁରାରୋପଣ ପରେ ଶହଶହ ମହିଳା ଓ ପୁରୁଷଭକ୍ତମାନେ ଶଙ୍ଖ, ଭେରି, ଢୋଲ, ମହୁରୀ, କୀର୍ତ୍ତନର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ନିକଟସ୍ଥ ଚଣ୍ଡୀପୋଖରୀରୁ ୨୫୦ଜଣ ମହିଳା କଳସଯାତ୍ରାରେ ଯାଇ ପୂର୍ଣ୍ଣକୁମ୍ଭରେ ଜଳ ଆଣିଥିଲେ । ପରେ ଘଟ ସଂସ୍ଥାପନ ଓ ଅଗ୍ନି ଆବାହନ କରାଯାଇଥିଲା । ରବିବାର ପ୍ରାତଃରେ ସୂର୍ଯ୍ୟପୂଜା, ବାସ୍ତୁପୂଜା, ଶିଖର ସ୍ନାନ ପରେ ଧ୍ୱଜାରୋପଣ କରାଗଲା ପରେ ବ୍ରାହ୍ମଣଙ୍କ ମନ୍ତ୍ରଉଚ୍ଚାରଣ ପୂର୍ବକ ପୂର୍ବାହ୍ନ ୧୦ଘଟିକା ସମୟରେ ଯଜ୍ଞ କରାଯାଇ ନୂତନ ମନ୍ଦିର ପ୍ରତିଷ୍ଠା ସହିତ ପାର୍ଶ୍ୱବିଗ୍ରହ ପ୍ରତିଷ୍ଠାକରିବା ପରେ ସପ୍ତସତୀ ଚଣ୍ଡୀପାଠ କରାଯାଇଥିଲା । ମା’ ଭୁଦାରଚଣ୍ଡୀ ମନ୍ଦିରର ମୁଖ୍ୟପୂଜକ ପଣ୍ଡିତ ବିଜୟ କୁମାର ପଣ୍ଡା, ପ୍ରଭାକର ଶତପଥୀ, ଜ୍ୟୋତିଶଙ୍କର ଷଡ଼ଙ୍ଗୀ, ପରମାନନ୍ଦ ପଣ୍ଡା, ସିଦେ୍ଧଶ୍ୱର ନନ୍ଦ ପ୍ରମୁଖ ପଣ୍ଡିତମଣ୍ଡଳୀ ବାବା ଚଣ୍ଡେଶ୍ୱରଙ୍କ ପ୍ରତିଷ୍ଠା କାର୍ଯ୍ୟରେ ସାମିଲ ହୋଇଥିଲେ । ନୀଳଗିରିର ରାଜା ସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ, ନୀଳଗିରି ଠାକୁରମାହାଲର ବଂଶାନୁକ୍ରମିକ ସଭାପତି ଆଦିସେବିକା ପାଟସାମନ୍ତ ରାଣୀ ମନୋଜାମଞ୍ଜରୀ ଦେବୀଙ୍କ କରକମଳରେ ଯଜ୍ଞ ପୂର୍ଣ୍ଣାହୁତି ଦେବାର ସ୍ଥିର ହୋଇଛି ।