ପେଟି ଠିକାଦାର ହାତରେ ଶଙ୍ଖୁଆ ନାଳ ସେତୁ ଭବିଷ୍ୟତ
କାଦୁଅ ସାଲୁବାଲୁ ଆପ୍ରୋଚ ରୋଡ; ଦୁର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଜନତା
ମଙ୍ଗଳପୁର, :ସରକାର ବଦଳିଛି ହେଲେ ବଦଳିନି ମାନସିକତା । ଯାହା ଦୀର୍ଘବର୍ଷ ଧରି ଚାଲିଆସିଥିଲା ତାହା ମଧ୍ୟ ଜାରୀ ରହିଛି । ଯାହା ଦେଖିବାକୁ ମିଳିଛି ଯାଜପୁର ଗ୍ରାମଉନ୍ନୟନ ବିଭାଜନ-୧ଅଧିନସ୍ଥ ଦଶରଥପୁର ସେକ୍ସନ ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ । ବିଞ୍ଝାରପୁର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅଧିନସ୍ଥ ଦଶରଥପୁର ବ୍ଲକ ଅନ୍ତର୍ଗତ ବୌଳାଙ୍ଗ-ଆଖୁଆସାହି ରାସ୍ତାର ଶଙ୍ଖୁଆ ନାଳ ଉପରେ ହେଉଛି ସେତୁ ନିର୍ମାଣ । ୩,୭୭,୧୬,୭୫୫ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧୀନ ଥିବା ଏହି ସେତୁର କାର୍ଯ୍ୟାଦେଶ ଜୟ ପ୍ରକାଶ ନାରାୟଣ ପାଣିଙ୍କ ନାମରେ ଥିବାବେଳେ ଏହି ସେତୁ କାର୍ଯ୍ୟ ତା୧ା୧ା୨୦୨୪ ରୁ ଆରମ୍ଭ ହୋଇ ୩୧ା ୩ା୨୦୨୫ରେ ସମାପ୍ତ ହେବ ବୋଲି ସୂଚନା ରହିଛି । ୫୩.୨୫ ମିଟର ଲମ୍ବ ଏହି ସେତୁ ନିର୍ମାଣ ହେବା ସହିତ ଏହାର ଉଭୟ ପାର୍ଶ୍ୱ ସଂଯୋଗୀକରଣ ରାସ୍ତା ମଧ୍ୟ ନିର୍ମାଣ କରାଯିବ । ମାତ୍ର କାର୍ଯ୍ୟାଦେଶ ପାଇଥିବା ଠିକାଦାର ନିଜେ କାର୍ଯ୍ୟ ନକରି ଅନଭିଜ୍ଞ କିଛି ପେଟି ଠିକାଦାରଙ୍କୁ ଉକ୍ତ ସେତୁ ନିର୍ମାଣ କାର୍ଯ୍ୟ ବିକି ଦେଇ ରହିବାରୁ ଏହି କାର୍ଯ୍ୟର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ବ୍ୟତିତ ନିମ୍ନମାନର ବାଲି, ଚିପ୍ସ ଓ ଅଣ ସ୍ୱୀକୃତିପ୍ରାପ୍ତ ଟିଏମଟି ବାର୍ର ବ୍ୟବହାର ଯୋଗୁଁ ସେତୁର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ବ୍ୟତିତ ସେତୁ ନିର୍ମାଣ ଯୋଗୁଁ ଜନସାଧାରଣଙ୍କ ଗମନାଗମନ ନିମନ୍ତେ ନିର୍ମାଣ କରାଯାଇଥିବା ଆପ୍ରୋଚ ରୋଡ ସାମାନ୍ୟ ବର୍ଷାରେ କାଦୁଅ ସାଲୁବାଲୁ ହୋଇପଡୁଛି । ଯାହାଫଳରେ ଜନସାଧାରଣଙ୍କ ଗତାଗତରେ ସମସ୍ୟା ସୃଷ୍ଟି ହେଉଛି । ଆଉ ଅଳ୍ପ ଦିନପରେ ବର୍ଷାଦିନରେ ବର୍ଷା ଓ ବନ୍ୟା ଜଳ ଏହି ନାଳ ଦେଇ ପ୍ରବାହିତ ହେଲେ ଉକ୍ତ ଆପ୍ରଚ ରୋଡ ଦେଇ ଯାତାୟାତ ଅସମ୍ଭବ ହୋଇ ପଡିବ । ସରକାର ଗମନା ଗମନାର ବିକାଶ ଓ ସ୍ଥାୟୀ ଭିତିଭୂମୀ ନିର୍ମାଣ ନିମନ୍ତେ ଉକ୍ତ ବିଭାଗ ମାଧ୍ୟମରେ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେତେକ କ୍ଷେତ୍ରରେ ସରକାରୀ ଅଧିକାରୀ ଓ ରାଜନେତାଙ୍କ ଇଛା ଶକ୍ତି ଏବଂ ଆନ୍ତରିକତାର ଅଭାବ ଯୋଗୁଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ଘାଟ, କୋଠା, ସେତୁ ଆଦି ଭଳି ସ୍ଥାୟୀ ଭିତ୍ତିଭୂମୀର ସ୍ଥାୟିତ୍ୱ ପ୍ରତି ଆଶଙ୍କା ସୃଷ୍ଟି ହେବା ସ୍ୱଭାବିକ୍ । ବିଭାଗୀୟ ଅଧିକାରୀ ଅଂଚଳର ଏହି ସମସ୍ୟା ପ୍ରତି ସୃଷ୍ଟି ଦେଇ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।