ପ୍ରଧାନମନ୍ତ୍ରୀଙ୍କ ସାଇପ୍ରସ ଗସ୍ତ ଓ ତୁର୍କୀକୁ ବାର୍ତ୍ତା
ଡ. ସମନ୍ୱୟ ନନ୍ଦ :
ପ୍ରଧାନମନ୍ତ୍ରୀ ଗତ କିଛି ଦିନ ତଳେ ଭୂମଧ୍ୟସାଗର ଅଂଚଳରେ ଥିବା ଦ୍ୱୀପ ଦେଶ ସାଇପ୍ରସ ଗସ୍ତ କରିଥିଲେ । ଏହି ଅଂଚଳ ଗୁଡିକରେ ଭାରତର କଣ ଭୂ-ରଣନୈତିକ ସ୍ୱାର୍ଥ ରହିଛି? ଏହି ଛୋଟ ଦେଶକୁ ଗସ୍ତ କରିବାର ଉଦେ୍ଦଶ୍ୟ କଣ ଥିଲା ? ଏହା ଦ୍ୱାରା ଭାରତ କଣ ବାର୍ତ୍ତା ଦେବାକୁ ଚାହୁଁଥିଲା ? ଏହି ସବୁ ବିନ୍ଦୁ ଉପରେ ଏହି ଲେଖାରେ ଆଲୋଚନା କରିବା ।
ତୁର୍କୀର ରାଷ୍ଟ୍ରପତି ଏର୍ଦୋଗାନ ଗତ କିଛି ବର୍ଷ ହେଲା ମୁସଲମାନ ମାନଙ୍କର ଖଲଫା ହେବାର ସ୍ୱପ୍ନରେ ବିଭୋର ଅଛନ୍ତି । ତୁର୍କୀର ପୂର୍ବବର୍ତ୍ତୀ ଶାସକ ଆତାତୁର୍କ ତୁର୍କୀକୁ ଇସଲାମୀ କଟ୍ଟରତାରୁ ଦୂର କରି ସେକୁଲାର ଦେଶ କରିବାକୁ ଯେଉଁ ପଦକ୍ଷେପମାନ ନେଇଥିଲେ ତାକୁ ବଦଳାଇ ଏର୍ଦୋଗାନ ପୁଣି ଥରେ ତୁର୍କୀକୁ ମଧ୍ୟକାଳୀନ ଇସଲାମୀ ଦେଶରେ ପରିବର୍ତ୍ତନ କରି ସାରା ବିଶ୍ୱର ମୁସଲମାନ ମାନଙ୍କର ନେତୃତ୍ୱ କରିବାର ସ୍ୱପ୍ନ ଦେଖୁଛନ୍ତି । ଏଥିରେ ମଧ୍ୟ ଭାରତକୁ କୌଣସି ପ୍ରକାର ଆପତ୍ତି ନ ଥିଲା । ହେଲେ ଏର୍ଦୋଗାନ ଏତିକିରେ ସୀମିତ ରହି ନାହାନ୍ତି । ସେ ମିଳିତ ଜାତିସଂଘ ପରି ଅନ୍ୟ ବୈଶ୍ୱିକ ମଂଚ ଗୁଡିକର ପ୍ରୟୋଗ ବିଶେଷ ଭାବେ ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ବିରୁଦ୍ଧରେ କରି ଆସୁଛନ୍ତି । ପାକିସ୍ତାନ ସହ ମିଳିତ ସୈନ୍ୟ ଅଭ୍ୟାସ ହେଉ ବା ଇସଲାମିକ ସହଯୋଗ ସଂଗଠନରେ ପାକିସ୍ତାନକୁ ସମର୍ଥନ ପ୍ରଦାନ କରିବା ହେଉ, ତୁର୍କୀର ଆଭିମୁଖ୍ୟ ଭାରତ ବିରୋଧରେ ଅଧିକ ଆକ୍ରମଣାତ୍ମକ ହୋଇଛି । ତୁର୍କୀ ପାକିସ୍ତାନର ରଣନୈତିକ ଉଦେ୍ଦଶ୍ୟକୁ ସମର୍ଥନ କରିବାରେ କେବଳ ବକ୍ତବ୍ୟ ଦେବା ଯାଏ ସୀମିତ ହୋଇ ରହି ନାହିଁ ବରଂ ପାକିସ୍ତାନ ସହ ପ୍ରତିରକ୍ଷା ସହଯୋଗ ମଧ୍ୟ ଦେବା ସ୍ପଷ୍ଟ ହୋଇଛି । ଗତ ଅପରେସନ ସିନ୍ଦୂରରେ ଏହାର ପ୍ରମାଣ ମଧ୍ୟ ଦେଖିବାକୁ ମିଳିଛି ।
ତେଣୁ ଭାରତର ପ୍ରତିକ୍ରିୟା ତୁର୍କୀକୁ ନେଇ ଏଥର କଠୋର ହୋଇଛି । ତେବେ ଭାରତର ପ୍ରତିକ୍ରିୟାକୁ ଭାବନାତ୍ମକ କିମ୍ବା ତ୍ୱରିତ ପ୍ରତିକ୍ରିୟା ବୋଲି କୁହାଯାଇ ପାରିବ ନାହିଁ ବରଂ ଭାରତର ପ୍ରତିକ୍ରିୟାକୁ ଅତ୍ୟନ୍ତ ଭାବିଚିନ୍ତି ଓ ରଣନୈତିକ ବିଚାରକୁ ନେଇ ବୋଲି କୁହାଯାଇ ପାରିବ । ତୁର୍କୀ ସହ ପ୍ରତ୍ୟକ୍ଷ ଉତ୍ତେଜନା ବଢାଇବା ପରିବର୍ତ୍ତେ ଭାରତ ସେହି ଦେଶ ମାନଙ୍କ ସହ ଦୀର୍ଘକାଳୀନ ସମ୍ପର୍କକୁ ମଜବୁତ କରିବା ଦିଗରେ ପଦକ୍ଷେପ ନେଉଛି, ଯେଉଁ ଦେଶ ମାନେ ତୁର୍କୀର ଆଂଚଳିକ ମହତ୍ୱାକାଂକ୍ଷା କାରଣରୁ ନିଜକୁ ବିପଦରେ ବୋଲି ଅନୁଭବ କରିଥାନ୍ତି: ଯେପରିକି ଗ୍ରୀସ, ଆର୍ମେନିଆ, ଇଜିପ୍ଟ ଓ ଏବେ ସାଇପ୍ରସ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଇପ୍ରସର ଐତିହାସିକ ଯାତ୍ରା କେତେ ଗୁରୁତ୍ୱପୂର୍ଣ ତାହା ବୁଝିବା ପୂର୍ବରୁ ତୁର୍କୀ ଓ ସାଇପ୍ରସ ମଧ୍ୟରେ ଥିବା ବିବାଦର ଇତିହାସର ପୃଷ୍ଠଭୂମି ଉପରେ ଦୃଷ୍ଟି ପକାଇବା ଉଚିତ ହେବ । ୧୯୭୪ ମସିହାରେ ସାଇପ୍ରସରେ ଶାସନ ପରିବର୍ତ୍ତନ ପାଇଁ ପଡୋଶୀ ଗ୍ରୀସ ସେନାର ସହାୟତାରେ ଏକ ବିଫଳ ସୈନ୍ୟ ଉଦ୍ୟମ ହୋଇଥିଲା । ଏହି ସମୟରେ ତୁର୍କୀ ଉତ୍ତର ସାଇପ୍ରସ ଉପରେ ଆକ୍ରମଣ କରି ଦେଇଥିଲା ଓ କିଛି ଅଂଚଳକୁ ଅଧିକାର କରି ନେଇଥିଲା । ଯଦିଓ ପରେ ସାଇପ୍ରସରେ ସ୍ଥିତି ସାମାନ୍ୟ ହୋଇଯାଇଥିଲା ଓ ଆଇନଗତ ଭାବେ ସେଠାରେ ସରକାର ଗଠିତ ହୋଇଥିଲା, ହେଲେ ତୁର୍କୀ ଉକ୍ତ ଅଂଚଳରୁ ସେନାକୁ ପ୍ରତ୍ୟାହାର କରିନଥିଲା । ତେଣୁ ତୁର୍କୀ ଆଜି ମଧ୍ୟ ସାଇପ୍ରସର ଏକ ତୃତୀୟାଂଶ ଭୂମି ଉପରେ କବ୍ଜା କରି ବସିଛି ଓ ସେଠାରେ ସ୍ୱୟଂଘୋଷିତ ଉତ୍ତର ସାଇପ୍ରସ ତୁର୍କୀ ଗଣରାଜ୍ୟକୁ ସମର୍ଥନ ଦେଉଛି । ଏହାକୁ ତୁର୍କୀ ବ୍ୟତୀତ ଅନ୍ୟ କେଉଁ ଦେଶ ମାନ୍ୟତା ଦେଇନାହାନ୍ତି ।
ଏଠାରେ ଆଉ ଏକ କଥା ଉଲ୍ଲେଖ କରିବା ଉଚିତ ହେବ ଯେ ଏହି କବ୍ଜା କେବଳ ରାଜନୈତିକ ନୁହେଁ ବରଂ ଏହାର ଗୁରୁତର ସାମରିକ ଓ ଆର୍ଥôକ ପ୍ରଭାବ ମଧ୍ୟ ରହିଛି । ତୁର୍କୀ ବାରମ୍ବାର ସାଇପ୍ରସର ସ୍ୱତନ୍ତ୍ର ଆର୍ଥôକ ଜୋନକୁ ଚ୍ୟାଲେଂଜ କରୁଥିବା ଦେଖିବାକୁ ମିଳୁଛି । ଏହା ବାଦ ତୁର୍କୀ ବାରମ୍ବାର ବିବାଦୀୟ ଜଳ ସୀମାରେ ନିଜର ଜାହାଜ ପଠାଉଛି ଓ ଆନ୍ତର୍ଜାତିକ ସାମୁଦ୍ରିକ ଆଇନକୁ ଉଲ୍ଲଂଘନ କରୁଛି ।
ତେଣୁ ଦେଖିବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଇପ୍ରସ ଭଳି ଏକ କ୍ଷୁଦ୍ର ଦ୍ୱୀପ ଦେଶକୁ ଯାତ୍ରା କେବଳ ଦ୍ୱିପାକ୍ଷିକ କୂଟନୈତିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା କିଛି ଅଂଚଳକୁ ଅନ୍ୟ ଦେଶ ଦ୍ୱାରା ଅଧିକାର କରାଯାଇଥିବା ଦେଶ ସହ ଠିଆ ହେବା ପ୍ରତୀକାତ୍ମକ ଓ ରଣନୈତିକ ବାର୍ତ୍ତା ଅଟେ । ଭାରତ ଏହି ବାର୍ତ୍ତା ସ୍ପଷ୍ଟ ଶବ୍ଦରେ ଦେଇଛି ଯେ ତୁର୍କୀର ପ୍ରତ୍ୟକ୍ଷ ବିରୋଧୀ ସହ ଭାରତ ତାର ପ୍ରଗାଢତା ବଢାଉଛି ।
ସାଇପ୍ରସ ବିଷୟରେ ଯଦି ଆମେ ଦେଖିବା ତେବେ ପାଇବା ଯେ ବିଭିନ୍ନ ଆନ୍ତର୍ଜାତିକ ମଂଚରେ ସେ ସବୁବେଳେ ଭାରତର ସମର୍ଥନ କରି ଆସୁଛି । ୧୯୯୮ ମସିହାରେ ଭାରତରେ ପରମାଣୁ ପରୀକ୍ଷଣ ହେଉ ବା ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟତାର ପ୍ରଦାନ କରିବାର ବିଷୟ ହେଉ ସାଇପ୍ରସ ସବୁବେଳେ ଭାରତର ସମର୍ଥନ କରି ଆସିଛି । କାଶ୍ମୀରକୁ ନେଇ ସେ କେବେ ହେଲେ ତୁର୍କୀ ଭଳି ଇସଲାମୀ ଦେଶ ମାନଙ୍କର ଆଭିମୁଖ୍ୟକୁ ସମର୍ଥନ କରିନାହିଁ । ଭାରତ ମଧ୍ୟ ପ୍ରତି ବଦଳରେ ସାଇପ୍ରସର କ୍ଷେତ୍ରୀୟ ଅଖଣ୍ଡତାର ସମ୍ପୂର୍ଣ୍ଣ ସମର୍ଥନ କରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଯାତ୍ରା ସାଇପ୍ରସ ସହ ଏହି ପୁରୁଣା ବିଶ୍ୱାସଯୋଗ୍ୟ ସମ୍ପର୍କକୁ ଏକ ନୂଆ ରଣନୈତିକ ଭାଗିଦାରିରେ ପରିବର୍ତ୍ତିତ କରୁଛି । ଏଥିରେ ଶକ୍ତି, ଡିଜିଟାଲ କରିଡର, ସାମୁଦ୍ରିକ ସୁରକ୍ଷା ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ସହଯୋଗ ପାଇଁ ବାଟ ସୃଷ୍ଟି ହୋଇଛି ।
ଏଠାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବା ଉଚିତ ହେବ ଯେ ଭାରତ ଏହି ଅଂଚଳରେ ତୁର୍କୀକୁ ଘେରାବନ୍ଦି କରିବା ଦିଗରେ ପୂର୍ବରୁ ହିଁ କାମ କରୁଛି । ତୁର୍କୀର ବିରୋଧୀ ଦେଶମାନଙ୍କ ଭାରତ ତାର ସମ୍ପର୍କକୁ ନିବିଡ କରିବାରେ ଲାଗିଛି । ସାଇପ୍ରସର ପଡୋଶୀ ଦେଶ ଆର୍ମେନିଆ ସହ ଏହି ପ୍ରତିରକ୍ଷା ଭଳି କ୍ଷେତ୍ରରେ ଭାରତ ପୂର୍ବରୁ ହିଁ ସକ୍ରିୟ ଭୂମିକା ନିର୍ବାହ କରୁଛି । ଆର୍ମେନିଆ ମଧ୍ୟ ତୁର୍କୀର ଶତ୍ରୁ ଦେଶ ଓ ଘୋର ବିରୋଧୀ । ୨୦୨୩ ମସିହାରେ ଭାରତ ଆର୍ମେନିଆକୁ ଡ୍ରୋନ, କ୍ଷେପଣାସ୍ତ୍ର ପ୍ରଣାଳୀ ଓ ତଦାରଖ ପ୍ରଯୁକ୍ତି ବିଦ୍ୟା ଭଳି କ୍ଷେତ୍ରରେ ପ୍ରତିରକ୍ଷା ରପ୍ତାନି ବଢାଇଛି । ଏହା ବ୍ୟତୀତ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଗ୍ରୀସ ଗସ୍ତରେ ମଧ୍ୟ ଯାଇଥିଲା । ଗ୍ରୀସ ମଧ୍ୟ ତୁର୍କୀର ବିରୋଧୀ ଭାବେ ଜଣାଶୁଣା । ଆର୍ମେନିଆ, ଗ୍ରୀସ ଓ ଏବେ ସାଇପ୍ରସ ଗସ୍ତ କରି ସେମାନଙ୍କର ସହ ରଣନୈତିକ ଭାଗିଦାରି ବଢାଇ ଭାରତ ତୁର୍କୀକୁ ତାର ନିଜ ଅଂଚଳରେ ଘେରାବନ୍ଦି କରିବାର ରଣନୀତିରେ କାର୍ଯ୍ୟ କରୁଛି ।
ଭାରତର ଭାବମୂର୍ତ୍ତିକୁ ବୈଶ୍ୱିକ ସ୍ତରରେ ଦୁର୍ବଳ କରିବାକୁ ସତତ ଚେଷ୍ଟିତ ତୁର୍କୀର ଏର୍ଦୋଗାନଙ୍କୁ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଇପ୍ରସ ଗସ୍ତ ଏକ ସ୍ପଷ୍ଟ ଓ ସନ୍ତୁଳିତ ବାର୍ତ୍ତା ପ୍ରଦାନ କରୁଛି । ଭାରତ ଏବେ ଆଉ ତୁର୍କୀର ଏଭଳି ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟ ଉପରେ ନିଷ୍କ୍ରିୟ ରହିବ ନାହିଁ । ଏବେ ଭାରତ ତୁର୍କୀର ନିଜ ଅଂଚଳରେ ଥିବା ବିରୋଧୀ ଦେଶ ମାନଙ୍କ ସହ ନିଜର ସମ୍ପର୍କକୁ ଦୃଢ କରିବ, ଦୀର୍ଘକାଳୀନ, ଆର୍ଥôକ ଓ ରଣନୈତିକ ଭାଗିଦାରିକୁ ସୁଦୃଢ କରିବ । ତାଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବ ।
ନରେନ୍ଦ୍ର ମୋଦୀଙ୍କ ସାଇପ୍ରସ ଯାତ୍ରାକୁ ଏହି କାରଣରୁ ଐତିହାସିକ କୁହାଯାଇ ପାରେ ଯେ ଏହି ଯାତ୍ରାର ଟାଇମିଂ ସଠିକ ହୋଇଛି ଓ ଏହି ଯାତ୍ରା ଦ୍ୱାରା ବାର୍ତ୍ତା ମଲ୍ଟି ଡାଇମେନସନାଲ ଅର୍ଥାତ ବହୁ ଆୟାମୀ ପ୍ରଦାନ କରାଯାଇଛି । ଭାରତ ଭୂମଧ୍ୟସାଗରୀୟ ଅଂଚଳରେ ତାର ସହଯୋଗୀ ଦେଶମାନଙ୍କ ସହ ସହଯୋଗକୁ ଶକ୍ତିଶାଳୀ କରିବା ସହ ୟୁରୋପୀୟ କରିଡୋରରେ ତାର ଉପସ୍ଥିତିକୁ ପୁଣି ସ୍ଥାପିତ କରିଛି । ବର୍ତ୍ତମାନ ବିଶ୍ୱରେ କୂଟନୀତି ଉଚ୍ଚ ସ୍ୱରରେ ନୁହେଁ ବରଂ ସୂକ୍ଷ୍ମ ସଂକେତରେ କୁହାଯାଇଥାଏ । ଯଦି ଏହି ଦୃଷ୍ଟିକୋଣରୁ ଦେଖିବା ତେବେ ମୋଦୀଙ୍କ ସାଇପ୍ରସ ଯାତ୍ରା କୂଟନୈତିକ ସଂଚାର କ୍ଷେତ୍ରରେ ଏକ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଇ ପାରିବ । ଏଥିରେ ଇତିହାସ, ଶକ୍ତି, ରାଜନୀତି, ପ୍ରତିରକ୍ଷା ସହଯୋଗ ଓ ଭୂରାଜନୈତିକ ବାର୍ତ୍ତା ସ୍ପଷ୍ଟ ଭାବେ ପ୍ରଦାନ କରାଯାଉଛି ।
ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତର ବାର୍ତ୍ତା ଅତ୍ୟନ୍ତ ସ୍ପଷ୍ଟ । ଭାରତ କେବଳ ଯେ ପୂର୍ବ ଭୂମଧ୍ୟ ସାଗର ଉପରେ ଦୃଷ୍ଟି ରଖୁ ନାହିଁ ବରଂ ଏଠାରେ ସକ୍ରିୟତାର ସହ କାମ କରିବାକୁ ଯାଉଛି । ସାଇପ୍ରସ ଓ ଅନ୍ୟ ଦେଶମାନଙ୍କୁ ବିଶ୍ୱାସଯୋଗ୍ୟ ସହଯୋଗୀ ଭାବେ ଗ୍ରହଣ କରି କାମ କରିବାକୁ ଚାହୁଁଛି ଓ ଏହା ସହ ତୁର୍କୀକୁ ପ୍ରତ୍ୟକ୍ଷ ଚେତାବନୀ ମଧ୍ୟ ଏହି ଯାତ୍ରା ଜରିଆରେ ଦିଆଯାଇଛି ।
ଭୁବନେଶ୍ୱର