ଭିଜିଲାନ୍ସ ଜାଲରେ ନିର୍ବାହୀ ଅଧିକାରୀ
ଜଟଣୀ : ଜଟଣୀ ମୁ୍ୟନିସିପାଲଟିରେ କାର୍ଯ୍ୟକରୁଥିବା ନିର୍ବାହୀ ଅଧିକାରୀ ଇଂ ସୂର୍ଯ୍ୟମଣି ପାଟ୍ଟଯୋଶୀ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଯାହାର ପ୍ରଭାବ ପୌର କାର୍ଯ୍ୟଳୟ ଉପରେ ପଡିଛି । ପୌର କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ନିମନ୍ତେ ଆସୁଥିବା ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେକୌଣସି ଅଭିଯୋଗ ପତ୍ର ହେଉବା ଅନ୍ୟାନ୍ୟ ବିଭାଗୀୟ ନଥିପତ୍ର ତନଖି, ଆପତ୍ତି ଅଭିଯୋଗର ସମାଧାନ ଓ ବିଶେଷକରି ବିଲ୍ ପାସ୍ ପାଇଁ ନିର୍ବାହୀ ଅଧିକାରୀଙ୍କ ସ୍ୱାକ୍ଷର ନିତ୍ୟାନ୍ତ ଆବଶ୍ୟକ । ନିର୍ବାହ ଅଧିକାରୀ ଗିରଫ ହେବାପରେ ଏହି ସବୁ ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇଯାଇଛି ଏହାର ସୁଯୋଗ ନେଇ ବହୁ କର୍ମଚାରୀ ମନୋମୁଖୀ କାର୍ଯ୍ୟ ଚଲାଇଥିବା ସାଧାରଣରେ ଅଭିଯୋଗ ହେଉଛି । ଜଟଣୀ ଭଳି ଏକ ବୃହତ୍ ଜନସଂଖ୍ୟା ବିଶିଷ୍ଟ ସହରର ଜନସାଧାରଣଙ୍କ ମୌଳିକ ସୁବିଧା ତୁରନ୍ତ ଉପଲବ୍ଧ କରାଇବା ପାଇଁ ନଗରଉନ୍ନୟନ ବିଭାଗ ପକ୍ଷରୁ ଜଣେ ବରିଷ୍ଠ ଓଏସ୍ କ୍ୟାଡରର ନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ସାଧାରଣରେ ଦାବି ହେଉଛି ।