ପ୍ରଶାସନରେ ଏଆଇ ଉପଯୋଗ ତାଲିମ କର୍ମଶାଳା ଆରମ୍ଭ
ଭୁବନେଶ୍ୱର : ରାଜ୍ୟର ସରକାରୀ ଅଧିକାରୀମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା (ଏଆଇ)’ ର ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ଦେବା ନିମନ୍ତେ ଆଜିଠାରୁ ଏକ ଚାରିଦିନିଆ ତାଲିମ କର୍ମଶାଳା ଆୟୋଜିତ ହୋଇଛି । ରାଜ୍ୟ କନଭେନ୍ସନ ସେଣ୍ଟରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ୱାଧ୍ୱାନି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି କର୍ମଶାଳା ଆରମ୍ଭ ହୋଇଛି । ବିଭାଗୀୟ ସଚିବ ବିଶାଳ ଦେବ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ସରକାରୀ ଅଧିକାରୀମାନଙ୍କୁ ଏଆଇ ପ୍ରୟୋଗ ଉପରେ ତାଲିମ କାର୍ଯ୍ୟକ୍ରମର ଏହା ଦ୍ୱିତୀୟ କର୍ମଶାଳା । ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ଅଧିକାରୀମାନଙ୍କୁ ଏଆଇ ତାଲିମ ପ୍ରଦାନ ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ୱାଧ୍ୱାନି ଫାଉଣ୍ଡେସନର ଲକ୍ଷ୍ୟ ରହିଛି ।
ଏଆଇ ସାହଯ୍ୟରେ ଡାଟା-ସମର୍ଥିତ ଦୃଷ୍ଟିଭଙ୍ଗୀ ଆପଣାଇ ବିଭିନ୍ନ ସରକାରୀ ବିଭାଗ ଜନସେବା ବିତରଣ ବ୍ୟବସ୍ଥାକୁ କିଭଳି ପ୍ରଭାବୀ ଢଙ୍ଗରେ ପରିଚାଳିତ କରିପାରିବେ, ତାହା ଏହି କର୍ମଶାଳାର ମୌଳିକ ଲକ୍ଷ୍ୟ । ବିଭାଗୀୟ ସଚିବ ଶ୍ରୀ ଦେବଙ୍କ ଉପସ୍ଥିତିରେ ସିଏମ୍ଜିଆଇ ନିଦେ୍ର୍ଦଶକ ବିନୀତ ଭରଦ୍ୱାଜ, ସମସ୍ତ ବିଭାଗୀୟ ଅଧିକାରୀ, ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା ଏବଂ ୱାଧ୍ୱାନି ଫାଉଣ୍ଡେସନର ପ୍ରତିନିଧି ପ୍ରମୁଖ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଏ.ଆଇ. ସାହାଯ୍ୟରେ ସରକାରୀ ବ୍ୟବସ୍ଥାକୁ ଅଧିକ ଉନ୍ନତ, ଦ୍ରୁତ ଓ ଅଧିକ ପାରଦର୍ଶୀ କରାଯାଇପାରିବ ବୋଲି ବିଶାଲ ଦେବ ପ୍ରକାଶ କରିଥିଲେ ।