ପ୍ରଶାସନିକ ପ୍ରକ୍ରିୟାରେ ଅହେତୁକ ବିଳମ୍ବ  : ଗଡୁଛି ରବିଧାନ କ୍ରୟ ଦିନ

 ଭଣ୍ଡାରିପୋଖରୀ:  ଭଣ୍ଡାରିପୋଖରୀ ବ୍ଲକର ୯ଟି ଅନୁମୋଦିତ ମଣ୍ଡିରେ ଚଳିତ ବର୍ଷ ରବିଧାନ କ୍ରୟ ପାଇଁ ୬୭୧ ଜଣ ଚାଷୀ ପଞ୍ଜିକରଣ କରି ବିକ୍ରୟ ଅପେକ୍ଷାରେ ରହିଛନ୍ତି । ସେଥିମଧ୍ୟରୁ ନାରାୟଣପୁର ପାକ୍ସ ମଣ୍ଡିରେ ୧୯୬ ଜଣ ଚାଷୀ, ଆସ୍ଥାମନ୍ତ୍ରବାସୁଳି ଏସ.ଏସ.ଜି. ମଣ୍ଡିରେ ୧୮୬ ଜଣ ଚାଷୀ, ଜଳମଣ୍ଡୁଆ ପାକ୍ସ ମଣ୍ଡିରେ ୮୬ ଜଣ ଚାଷୀ, ସରସଦା ସିରିଡିସାଈ ଏସ.ଏସ.ଜି. ମଣ୍ଡିରେ ୮୫ ଜଣ ଚାଷୀ, ନାଆମୀ ପାକ୍ସ ମଣ୍ଡିରେ ୪୨ ଜଣ ଚାଷୀ, ତେସିଙ୍ଗା ପାକ୍ସ ମଣ୍ଡିରେ ୨୪ ଜଣ ଚାଷୀ, ବାଲିପୋଖରୀ ପାକ୍ସ ମଣ୍ଡିରେ ୨୦ ଜଣ ଚାଷୀ, ଜୟ ମା’ଦୁର୍ଗା ଏସଏସଜି ମଣ୍ଡିରେ ୧୯ ଜଣ ଓ ରହଣିଆ ପାକ୍ସ ମଣ୍ଡିରେ ୧୩ ଜଣ ଚାଷୀ ପଞ୍ଜିକରଣ କରିଥିବା ଜଣାଯାଇଛି । ପଞ୍ଜିକୃତ ଚାଷୀମାନଙ୍କୁ ମଧ୍ୟ ଟୋକନ ମିଳିସାରିଛି । ହେଲେ ଧାନକ୍ରୟ ପାଇଁ ଆବଶ୍ୟକୀୟ ପ୍ରଶାସନିକ ପ୍ରକ୍ରିୟା ଏଯାବତ ଆରମ୍ଭ ହୋଇନାହିଁ । କୌଣସି ମଣ୍ଡିରେ କ୍ରୟ ଅଧିକାରୀ ନିଯୁକ୍ତ ହୋଇନାହାନ୍ତି । ମଣ୍ଡିସ୍ତରୀୟ ଧାନକ୍ରୟ ପରିଚାଳନା ପାଇଁ ଚାଷୀ କମିଟି ଗଠନ ହୋଇନାହିଁ । ଧାନକ୍ରୟ ପୂର୍ବରୁ ଯୋଗାଣ ବିଭାଗ ସହ ମଣ୍ଡି କ୍ରୟ ଅଧିକାରୀଙ୍କ ଚୁକ୍ତିନାମା ସମ୍ପାଦିତ ହୋଇନାହିଁ । ମଣ୍ଡି ସହ ମିଲର ଟ୍ୟାଗ ହୋଇଥିଲେ ବି ମିଲର ପକ୍ଷରୁ ଅଧିକୃତ ପତ୍ର ପ୍ରଶାସନ ଜରିଆରେ ଆସି ମଣ୍ଡିରେ ପହଞ୍ଚô ନାହିଁ । ମିଲର ଅଖା ବ୍ୟାଗ ଦେଇନାହିଁ । କେଉଁ ମଣ୍ଡି ପାଇଁ କେଉଁ ଦିନ ଧାନ କ୍ରୟ ହେବ ମଣ୍ଡିୱାରୀ ଦିନ ଓ ବାର ଧାର୍ଯ୍ୟ ହୋଇନାହିଁ । ଧାନର ଗୁଣବର୍ତ୍ତା ପରୀକ୍ଷକ ମଧ୍ୟ ଉପଲବ୍ଧ ହେଉନାହାନ୍ତି । ଏହି ସମସ୍ତ ପ୍ରଶାସନିକ ବ୍ୟବସ୍ଥା ଧାନକ୍ରୟ ପାଇଁ ଅନିବାର୍ଯ୍ୟ ହୋଇଥିବା ବେଳେ ତାହା ପୂରଣ ହୋଇ ନପାରିବାରୁ ଧାନକ୍ରୟ ଆରମ୍ଭ ହୋଇପାରୁ ନାହିଁ । ବର୍ଷା ଋତୁ ପାଖେଇ ଆସୁଥିବାରୁ ଧାନ ବିକ୍ରୟ ପାଇଁ ଚାଷୀମାନେ ବ୍ୟସ୍ତ ହୋଇ ପଡୁଥିବା ବେଳେ ପ୍ରଶାସନିକ ଶିଥିଳତା ଚାଷୀମାନଙ୍କ ପାଇଁ ଦୁର୍ବିର୍ସହ ହୋଇଛି । ଉପରୁ ନିଦେ୍ର୍ଦଶ ମିଳିଲେ ଉପରୋକ୍ତ ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବ୍ଲକ ଯୋଗାଣ ଅଧିକାରୀ ହିମାଂଶୁ ଦାସ ମତ ପ୍ରକାଶ କରିଛନ୍ତି । ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ପତ୍ରସଂଖ୍ୟା ୨୮୬୩ ଯୋଗେ ତହସିଲଦାରଙ୍କୁ ରବି ଧାନ କ୍ରୟ ପାଇଁ ବ୍ଲକସ୍ତରୀୟ ନୋଡାଲ ଅଧିକାରୀ ଭାବେ ଦାଇତ୍ୱ ପ୍ରଦାନ କରାଯାଇଛି । ହେଲେ ଅନ୍ୟାନ୍ୟ ପ୍ରଶାସନିକ ଔପଚାରିକତା ପୂରଣ ନହେବା ପର୍ଯ୍ୟନ୍ତ ଧାନକ୍ରୟ ଆରମ୍ଭ ହୋଇପାରୁ ନାହିଁ । ଏଥିପାଇଁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମୁକ୍ତିକାନ୍ତ ଜେନା, ନାରାୟଣପୁର ପାକ୍ସ ସଭାପତି ଜୟନ୍ତ କୁମାର ସାହୁ, ଜଳମଣ୍ଡୁଆ ପାକ୍ସ ପୂର୍ବତନ ସଭାପତି ବିଜୟ ଖିଲାର, ସରସଦା ପାକ୍ସ ପରିଚାଳନା ନିଦେ୍ର୍ଦଶକ ନାଗେଶ୍ୱର ବେହେରା ପ୍ରମୁଖ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସାକ୍ଷାତ କରି ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିବା ଜଣାଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀ ଏଥିପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।