ତହସିଲରେ କର୍ମଚାରୀ ସଂକଟ ଜଣେ ମାତ୍ର ଅମିନ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ତହସିଲରେ ଗୁରୁତର କର୍ମଚାରୀ ସଙ୍କଟ ଦେଖା ଦେଇଛି । ଉଭୟ କ୍ଷେତ୍ରୀୟସ୍ତର ଓ ତହସିଲସ୍ତରରେ କର୍ମଚାରୀଙ୍କ ଘେର ଅଭାବ ପରିଲକ୍ଷିତ ହୋଇଥିବାରୁ ରାଜସ୍ୱ ସେବା ବାଧାପ୍ରାପ୍ତ ହୋଇଛି । ଗୋଟିଏ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଜଣେ ରାଜସ୍ୱ ନିରୀକ୍ଷକ, ଜଣେ ଅତିରିକ୍ତ ରାଜସ୍ୱ ନିରୀକ୍ଷକ, ଅମିନ ଓ ପିଅନ ଆଦି ସର୍ବନିମ୍ନ ୪ ଜଣ କର୍ମଚାରୀ ନିୟୋଜିତ ରହିବା କଥା । ମାତ୍ର ଭଣ୍ଡାରିପୋଖରୀ ତହସିଲ ଅଧିନରେ ୯ଟି ରାଜସ୍ୱ ସର୍କଲ ରହିଛି । ସେଥିମଧ୍ୟରୁ ୫ଟି ରାଜସ୍ୱ ସର୍କଲରେ ଜଣେ ମାତ୍ର କର୍ମଚାରୀ ଭାବେ ରାଜସ୍ୱ ନିରୀକ୍ଷକ ରହିଛନ୍ତି । କୁଲଣା ଓ ରଣଜିତ ସର୍କଲ କାର୍ଯ୍ୟାଳରେ ଜଣେ ଅତିରିକ୍ତ ରାଜସ୍ୱ ନିରୀକ୍ଷକ କେବଳ ଦାୟିତ୍ୱ ତୁଲାଉଛନ୍ତି । ଭଦ୍ରକ ଜିଲ୍ଲାରେ ଅନ୍ୟ ସମସ୍ତ ତହସିଲରେ ୩ରୁ ଅଧିକ ଅମିନ ଥିବା ବେଳେ ଭଣ୍ଡାରିପୋଖରୀ ତହସିଲରେ (ଉଭୟ କ୍ଷେତ୍ରୀୟ ଓ ତହସିଲ)ଆବଶ୍ୟକୀୟ ୧୧ ଜଣ ଅମିନ ପଦବୀ ମଧ୍ୟରୁ ଅଛନ୍ତି ଜଣେ ମାତ୍ର ଅମିନ । ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟଭାର ସହ ସରକାରୀ ଜମିଜମା ମାପଚୁପ ତୁଲାଇବାକୁ ୭୮ ଦରଖାସ୍ତ ପଡିରହିଛି । ୨୦୨୪ ମସିହାରେ ୧୨୪ଟି ଦରଖାସ୍ତ ମାପଚୁପ ପାଇଁ ଆସିଥିଲା । ଏତେ ସଂଖ୍ୟକ ମାପଚୁପ ଦରଖାସ୍ତ ତହସିଲ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତହସିଲରେ ଆବଶ୍ୟକୀୟ ୧୩ ଜଣ ପିଅନ ପଦବୀ ମଧ୍ୟରୁ ୩ ଜଣଜଣ ମାତ୍ର ଥିବା ଜଣାଯାଇଛି । କନିଷ୍ଠ ସହାୟକ ପଦବୀ ୨ଟି ଖାଲି ରହିଥିବା ବେଳେ ବରିଷ୍ଠ ସହାୟକ ପଦବୀ ୪ଜଣ ମଧ୍ୟରୁ ୨ଜଣ ଥିବା ବେଳେ ଜଣେ ବରିଷ୍ଠ ସହାୟକଙ୍କୁ ଡେପୁଟେସନରେ ପଠାଯାଇଥିବା ଜଣାଯାଇଛି । ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକଙ୍କୁ ସବରେଜିଷ୍ଟାର ଭାବେ ଅତିରିକ୍ତ ଦାଇତ୍ୱ ତୁଲାଇବାକୁ କୁହାଯାଇଛି । କର୍ମଚାରୀ ଅଭାବ ରାଜସ୍ୱ ସେବାକୁ ପ୍ରଭାବିତ କରୁଥିବା ସମ୍ପର୍କରେ ଜିଲ୍ଲାପାଳଙ୍କ ଜଣାଇ ଦିଆଯାଇଛି ବୋଲି ତହସିଲଦାର ରୋଜାଲିନ ବେହେରା ସୂଚନା ଦେଇଛନ୍ତି ।