ପାକିସ୍ତାନକୁ ବିଶ୍ୱାସ ନାହିଁ

ପହଲଗାମ୍ ଠାରେ ଗତ ୨୨ ତାରିଖ ଦିନ ପାକିସ୍ତାନ୍ର ତାଲିମ୍ପ୍ରାପ୍ତ ୪ ଜଣ ଆତଙ୍କବାଦୀ ନୀରସ୍ତ୍ର, ନିରୀହ ପର୍ଯ୍ୟଟକମାନଙ୍କ ଉପରେ ଧର୍ମ ଭିତ୍ତିରେ ହତ୍ୟା କରିବା ଘଟଣାକୁ ନେଇ ଗଲା ସୋମବାର ରାତିରେ ପାକିସ୍ତାନ୍ ଅଧିକୃତ କାଶ୍ମୀରରେ ମିଶାଇଲ୍ ମାଡ଼ କରି ଭାରତ ପ୍ରତିଶୋଧ ନେବା ସହିତ ଅପରେସନ୍ ସିନ୍ଦୂର ଆରମ୍ଭ କରିଦେଲା । ଅପରେସନ୍ ସିନ୍ଦୂରରେ ୧୦ ତାରିଖ ପର୍ଯ୍ୟନ୍ତ ପାକିସ୍ଥାନ୍ ଉପରେ ଘନ ଘନ ଆକ୍ରମଣ କରି ତାର ଏୟାର ଡ଼ିଫେନ୍ସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଲା । ଏହା ଫଳରେ ପାକିସ୍ତାନ୍ ଯେତେ ଚେଷ୍ଟା କରିଲେ ମଧ୍ୟ ଭାରତର ସୀମା ଭିତରକୁ ପଶି ପାରିଲା ନାହିଁ । କିଛି ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିବାକୁ ଚେଷ୍ଟା କରି ବିଫଳ ହେଲା । ପାକିସ୍ତାନ୍ର ଦୁଇରୁ ତିନୋଟି ଫାଇଟର୍ ଜେଟ୍କୁ ଭାରତ ଖସାଇ ଦେଲା । ଗୋଟିଏ ପକ୍ଷରେ ଅସ୍ତ୍ରଶସ୍ତ୍ରରେ ଯୁଦ୍ଧ ଏବଂ ଆତଙ୍କବାଦୀ ତାଲିମ୍ କେନ୍ଦ୍ର ଉପରେ ଘନ ଘନ ଆକ୍ରମଣ ଚାଲିଥିବା ବେଳେ ଅନ୍ୟପକ୍ଷରେ ସିନ୍ଧୁ ନଦୀର ଜଳକୁ ବନ୍ଦ କରିଦେଇ ତିନି କୋଟି ପାକିସ୍ଥାନ୍ ନାଗରିକଙ୍କୁ ପାଣି ଟୋପିଏ ମଧ୍ୟ ପିଇବାକୁ ଦେଲା ନାହିଁ । ଅନ୍ୟପକ୍ଷରେ ପ୍ରକୃତି ଭାରତକୁ ସହାୟତା କରିଲା ଭଳି ଚେନାବ୍ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଭାରତ ଚେନାବ୍ ଡ୍ୟାମ୍ ଖୋଲି ଦେଲା । ଯାହାଦ୍ୱାରା ପାକିସ୍ତାନ୍ର କିଛି ଅଂଶରେ ଏବଂ ପାକ୍ ଅଧିକୃତ କାଶ୍ମୀରରେ ହଠାତ୍ ବନ୍ୟା ସୃଷ୍ଟି ହୋଇଗଲା । ତିନିଆଡୁ ସମସ୍ୟାରେ ପଡ଼ି ପାକିସ୍ତାନ୍ ଲହୁଲୁହାଣ ହୋଇଗଲା । ଭାରତ ଉପରେ ଆକ୍ରମଣ କରିବା ଭଳି ଶକ୍ତି ରହିଲା ନାହିଁ । ଏଭଳି ପରିସ୍ଥିତିରେ ପାକିସ୍ଥାନ୍ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ଧମକ ବାରମ୍ବାର ଦେଲା । ସବୁ ଦୃଷ୍ଟିରୁ ନିସ୍ୱ ଗୋଟିଏ ଶତୃ ଦେଶ କି ପ୍ରକାରର ପାଗଳାମୀ କରିପାରେ ତାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ପ୍ରସ୍ତୁତ ରହିଲା । ଖୁବ୍ କମ୍ ଦିନ ଭିତରେ ଅପରେସନ୍ ସିନ୍ଦୂର ଆଣବିକ ଯୁଦ୍ଧରେ ପରିଣତ ହେବାର ସମ୍ଭାବନା ଦେଖା ଦେଇଥିବାରୁ ବିଶ୍ୱର ଅନେକ ରାଷ୍ଟ୍ର ଭାରତର ପାକିସ୍ତାନ୍ ଉପରେ ଆକ୍ରମଣ ଘଟଣାକୁ ତୁରନ୍ତ ଏକ ସମାଧାନ ଦିଗକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଦେଲେ । ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ ଉଭୟ ଭାରତ ଓ ପାକିସ୍ତାନ୍ ସହିତ ମଧ୍ୟସ୍ଥତା କରି ଏକ ଅସ୍ତ୍ରବିରତି କରାଇବାରେ ସଫଳ ହେଲେ । ଏହାପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅସ୍ତ୍ରବିରତି ନେଇ ପ୍ରେସ୍ ବାର୍ତ୍ତା ଦିଆଗଲା । ଏସବୁରୁ ବର୍ତ୍ତମାନ ପାଇଁ ଆପାତତଃ ଅପରେସନ୍ ସିନ୍ଦୂର ବନ୍ଦ ରହିଲା ଅବଗତ ହେଲେ । ପୁଣି ଭାରତ ପକ୍ଷରୁ ରୋକ୍ଠୋକ୍ କରି ଶୁଣାଇ ଦିଆଗଲା ଯେ ପାକିସ୍ତାନ ପକ୍ଷରୁ ଯଦି କୌଣସି ପ୍ରକାର ବି ଆତଙ୍କୀ ଆକ୍ରମଣ ହୁଏ ତେବେ ତାହାକୁ ଯୁଦ୍ଧ ବୋଲି ବିବେଚନା କରାଯିବ । ଉଭୟ ପକ୍ଷର ଧ୍ୱଂସ ଅପେକ୍ଷା ଏକ ଅସ୍ତ୍ରବିରତି ଏବଂ ଭବିଷ୍ୟତରେ ଶାନ୍ତି ବଜାୟ ରଖିବା ପାଇଁ ଏକ ରାଜିନାମା ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ ବୋଲି ସମସ୍ତେ ଭାବିଲେ । ଅଖଚ ବେଇମାନ୍ ପାକିସ୍ତାନ୍ ଶନିବାର ରାତିରେ ହିଁ ଅସ୍ତ୍ରବିରତି ଉଲଙ୍ଘନ କଲା ।
ଏବେ ପରିସ୍ଥିତି କେଉଁ ଦିଗକୁ ଗତି କରିବ ତାହା କହି ହେଉନାହିଁ । ଯେଉଁ କାରଣ ପାଇଁ ଭାରତ ପାକିସ୍ତାନ୍ ବିବାଦ ଅସ୍ତ୍ରର ଜବାବ୍ରେ ପରିଣତ ହେଲା ସେହି କାରଣର କୌଣସି ସମାଧାନ ହୋଇନାହିଁ । ଅସ୍ତ୍ରବିରତି ଉଲଙ୍ଘନର ଅବ୍ୟବହିତ ପୂର୍ବରୁ ଅସ୍ତ୍ରବିରତି ହୋଇଥିଲେ ମଧ୍ୟ ଭାରତ ପାକ୍ ଅଧିକୃତ କାଶ୍ମୀର ଉପରେ ଆକ୍ରମଣ କରିବା ପାଇଁ ଯେଉଁ ୧୫ ଦିନ ସମୟ ନେଇଥିଲା ଏବଂ ସେହି ୧୫ ଦିନ ମଧ୍ୟରେ ଯେଉଁ ଯେଉଁ ପଦକ୍ଷେପ ନେଇଥିଲା ସେସବୁ ପଦକ୍ଷେପରୁ ଓହରିବ ନାହିଁ । ସିନ୍ଧୁ ନଦୀର ଜଳ ଛଡ଼ାଯିବ ନାହିଁ କି ୱାଘା-ଅଟ୍ଟାରୀ ବର୍ଡର୍ ମଧ୍ୟ ଖୋଲିବ ନାହିଁ । ଯୁଦ୍ଧବିରାମ ହେଲେ ମଧ୍ୟ ଭାରତ ଯାହା ଯାହା ସବୁ କଟକଣା ଲଗାଇଥିଲା ସେଥିରୁ ଭାରତ ପଛଘୁଞ୍ଚା ଦେବ ନାହିଁ । ବିଭିନ୍ନ ସାମାଜିକ ଗଣମାଧ୍ୟମ ଗୁଡ଼ିକରେ ଭାରତ ଯେଉଁ କଟକଣା ଲଗାଇଥିଲା ତାହା ବଳବତ୍ତର ରହିବ । କାରଣ ପାକିସ୍ତାନ୍କୁ କୌଣସି ଦୃଷ୍ଟିରୁ ବି ବିଶ୍ୱାସ କରାଯାଇନପାରେ ।