ପୟାଶ୍ର୍ରାଦ୍ଧ, ପଣ୍ଡିତ ସଭା ଓ ଗଣମାଧ୍ୟମ

ହରିଶଙ୍କର ମିଶ୍ର : ଗୋଟିଏ ସପ୍ତାହ ବିଭିନ୍ନ ବୈଦ୍ୟୁତିକ ଓ ଛପା ଗଣମାଧ୍ୟମରେ ଦୀପାବଳୀ ପୟା ଶ୍ରାଦ୍ଧ ସମ୍ପର୍କରେ ଢେର୍‌ ଚର୍ଚ୍ଚା ହେଲା । ବୈଦ୍ୟୁତିକ ଗଣମାଧ୍ୟମ ଏହାକୁ ଏକ ସୁଯୋଗ ଭାବି ବିଭିନ୍ନ ଜ୍ୟୋତିର୍ବିଦ ଓ ଧର୍ମଶାସ୍ତ୍ର ବିଶାରଦ ମାନଙ୍କୁ ବସାଇ ତର୍କ କରାଇଲେ । କିଛି ସଂଞ୍ଚାଳକ ବା ସଂଞ୍ଚାଳିକା ଅନେକ ଅବାନ୍ତର ପ୍ରଶ୍ନରେ ଆଲୋଚକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ କରାଇବାକୁ ନିଜର ଦକ୍ଷତା ମନେକଲେ । କିନ୍ତୁ ଦ୍ୱନ୍ଦ୍ୱର ମୂଳକୁ କୌଣସି ବୈଦ୍ୟୁତିକ ଗଣମାଧ୍ୟମ ଗଲେ ନାହିଁ ବା ସ୍ପଷ୍ଟ ଆଭିମୁଖ୍ୟ ପ୍ରକାଶ ପାଇଁ ପ୍ରଚେଷ୍ଟା କଲେ ନାହିଁ । ଆମର ପରମ୍ପରା ରେ କାର୍ତ୍ତିକ ମାସ ଅମାବାସ୍ୟାରେ ଏକାଧିକ ବିଧି ପାଳନ ହୁଏ । ଅମାବାସ୍ୟା ପୂର୍ବଦିନ ନରକ ଚତୁର୍ଦ୍ଦଶୀ  । ସେଦିନ ନରକାସୁରକୁ ମାରି ଶ୍ରୀକୃଷ୍ଣ ଷୋଳସହସ୍ର ଗୋପନାରୀଙ୍କୁ ଉଦ୍ଧାର କରି ସଭିଙ୍କୁ ପତ୍ନୀ ମର୍ଯ୍ୟାଦା ଦେଇଥିବାରୁ ସେମାନେ ଶ୍ରୀକୃଷ୍ଣଙ୍କୁ ଦ୍ୱୀପ ପ୍ରଜ୍ୱଳନ କରି ବନ୍ଦାପନା କରିଥିଲେ । ତ୍ରେତୟା ଯୁଗରେ ଏହିଦିନ ଶ୍ରୀରାମ ଲଙ୍କା ବିଜୟ କରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ସମଗ୍ର ପ୍ରଜାମାନେ ତାଙ୍କୁ ଦୀପାଲୋକରେ  ସ୍ୱାଗତ କରିଥିଲେ ।

     ସେହି ଦୁଇଟି ପୌରାଣିକ ତଥ୍ୟ ବ୍ୟତୀତ କାର୍ତ୍ତିକ ମାସ ଅମାବାସ୍ୟାରେ ମହାକାଳୀ ପୂଜା କରାଯାଏ । ଏହା ଏକ ତାନ୍ତ୍ରିକ ପୂଜା ଯୋଗୁଁ ଯେଉଁଦିନ ମଧ୍ୟ ରାତ୍ରିରେ ଅମାବାସ୍ୟା ତିଥି ରହିଥାଏ ସେଦିନ ଏହି ପୂଜା କରାଯିବା ବିଧି ରହିଛି । ଏତଦବ୍ୟତୀତ ଆମ ପ୍ରଥା ପରମ୍ପରାରେ ଆଶ୍ୱିନ ମାସର ପ୍ରଥମ ପନ୍ଦର ଦିନ ପିତୃପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ । ସେହି ପକ୍ଷରେ ପିତୃପୁରୁଷ ମାନେ ମର୍ତ୍ତ୍ୟଲୋକକୁ ଆସିଥାନ୍ତି । ସେଥିପାଇଁ ସେଇ ପନ୍ଦର ଦିନ  ପିତୃହୀନ ପ୍ରତ୍ୟେକ ବ୍ରାହ୍ମଣ ତର୍ପଣ ଦେବା ନିଶ୍ଚିତ କରିବାର ବିଧି ରହିଛି । ତର୍ପଣରେ ପିତା ମାତା ଅଜା ଆଇଙ୍କ ତିନି ପୁରୁଷଙ୍କ ସହିତ ଦେବ ଅସୁର ଗନ୍ଧର୍ବ ପିତାମହ ଭୀଷ୍ମ ଏବଂ ଜଳ ସ୍ଥଳ ଅନ୍ତରୀକ୍ଷରେ ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକଙ୍କ ପାଇଁ ତିଳ ତର୍ପଣ କରାଯାଏ । ସେହି ପିତୃପୁରୁଷଙ୍କୁ କାର୍ତ୍ତିକ ମାସ ଅମାବାସ୍ୟାରେ ବିଦାୟ ଦିଆଯାଇଥାଏ । ଆମର ସମସ୍ତ ବ୍ୟବସ୍ଥା ଶାସ୍ତ୍ରୀୟ ଆଧାରିତ । ସେଇ ସୂଚନା ପାଇଁ ପ୍ରତ୍ୟେକ ବର୍ଷ ପଞ୍ଜିକା ପ୍ରକାଶ କରାଯାଏ ।

      ଶ୍ରୀଜଗନ୍ନାଥ ମନ୍ଦିରରେ ଥିବା ମୁକ୍ତିମଣ୍ଡପ ପଣ୍ଡିତ ସଭା ଯେଉଁ ପଞ୍ଜିକାକୁ ଅନୁମୋଦନ କରନ୍ତି ସେହି ପାଞ୍ଜିକୁ ସମସ୍ତେ ବିଶ୍ୱାସ କରିଥାନ୍ତି । କିନ୍ତୁ ପଞ୍ଜିକାର ମୂଳ ହେଲା ସଠିକ୍‌ ପଞ୍ଚାଙ୍ଗ ନିର୍ଣ୍ଣୟ । ତିଥି ରାଶି ନକ୍ଷତ୍ର ଯୋଗ କରଣ ସହ ସ୍ଥାନୀୟ ସୂର୍ଯ୍ୟଙ୍କ ଉଦୟ ଓ ଅସ୍ତ ସମୟ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନିର୍ଣ୍ଣୟ କରାଯାଏ ।ଏହି ଗଣନା ଯଦି ସଠିକ୍‌ ରହିବ ତେବେ ଧର୍ମଶାସ୍ତ୍ରୀୟ ବ୍ୟବସ୍ଥା ମଧ୍ୟ ସଠିକ୍‌ ହୋଇପାରିବ । କିନ୍ତୁ ଦେଖାଯାଉଛି ଯେ କିଛି ବର୍ଷଧରି ପାଞ୍ଜିର ସଂଖ୍ୟା ବୃଦ୍ଧି ହେଉଥିବାବେଳେ ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତ ପଞ୍ଜିକାମାନଙ୍କରେ ଗୁରୁତର ତ୍ରୁଟି ରହୁଛି । ଗୋଟିଏ ଥର ଏହି ପଞ୍ଚାଙ୍ଗ ବ୍ୟାପ୍ତି ସମୟ ବ୍ୟାପ୍ତିରେ ଭୁଲ ହୋଇଗଲେ ଭବିଷ୍ୟତରେ ସୁଧାର ଆସିନଥାଏ । କିନ୍ତୁ ଯାହାଦ୍ୱାରା ସେହି ପାଞ୍ଜିକୁ ଅନୁସରଣ କରୁଥିବା ବ୍ୟକ୍ତିମାନେ ଭ୍ରମିତ ହେଉଛନ୍ତି । ଆମର ପଞ୍ଜିକା ଆଧାରରେ ଜନ୍ମ ଜାତକ ପ୍ରସ୍ତୁତି ଠାରୁ ମୃତ୍ୟୁ ତିଥି ପୁଷ୍କର ଦୋଷ ନିର୍ଣ୍ଣୟ,ସ୍ୱନକ୍ଷତ୍ର ଠାରୁ ବିବାହ ବ୍ରତ ଗୃହ ପ୍ରତିଷ୍ଠା ଆଦି ସମସ୍ତ ଦିନ ନିର୍ଦ୍ଧାରଣ କରାଯାଏ । ତିଥି ବ୍ୟାପ୍ତି ଭୁଲ ରହିଲେ ଶ୍ରାଦ୍ଧ, ପୁଷ୍କର ଦୋଷ, ଯୋଗିନୀ ସ୍ଥିତି ଓ ନିଷିଦ୍ଧ ଖାଦ୍ୟ କରଣ ବ୍ୟାପ୍ତି ପ୍ରଭାବିତ ହୋଇଥାଏ । ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ୱାରା ସ୍ୱୀକୃତ ପଞ୍ଜିକା ରେ ୨୦୧୦ ମସିହାରେ ତ୍ରୁଟିପୂର୍ଣ୍ଣ ସୂର୍ଯ୍ୟାସ୍ତ ସମୟ ଦର୍ଶାଇ ଚନ୍ଦ୍ର ଗ୍ରହଣ ପାଳନୀୟ ବୋଲି ଦର୍ଶାଇ ଥିଲେ । ସେଦିନ ଦେବସ୍ନାନ ପୂର୍ଣ୍ଣିମା ଯୋଗୁଁ ଶ୍ରୀଜଗନ୍ନାଥଙ୍କ ନୀତିରେ ଅସୁବିଧା ହୋଇଥାନ୍ତା । ତତ୍କାଳୀନ ମୁଖ୍ୟ ପ୍ରଶାସକ ରାଜ୍ୟର ସମସ୍ତ ପଞ୍ଜିକାକାର, ପଠାଣି ସାମନ୍ତ ପ୍ଲାନେଟୋରିୟମ ସହ ଯୋଗାଯୋଗ କରି ସେଦିନ ଚନ୍ଦ୍ର ଗ୍ରହଣ ଥିଲେ ମଧ୍ୟ ଚନ୍ଦ୍ରଙ୍କ ଉଦୟ ସମୟକୁ ସର୍ବ ମୋକ୍ଷ ହେଉଥିବାରୁ ପାଳନୀୟ ନୁହେଁ ବୋଲି ଜାଣିଲେ । କିନ୍ତୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସମ୍ପାଦକ ଏହାକୁ ସ୍ୱୀକାର ନକରିବାରେ ପଣ୍ଡିତ ସଭାରେ ପାଣ୍ଡିତ୍ୟ ନଥିବା ଅନୁଭବ କରି ସେମାନଙ୍କ ପରାମର୍ଶ ଅନାବଶ୍ୟକ କହିଥିଲେ । ତା ପରବର୍ତ୍ତୀ ପଞ୍ଜିକାରେ ଐକ୍ୟ ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲେ ବି ପଣ୍ଡିତ ସଭାର ସହଯୋଗ ରହିଲା ନାହିଁ । ବରଂ ତତ୍କାଳୀନ ସମ୍ପାଦକଙ୍କ କିଛି ପଞ୍ଜିକା ପ୍ରତି ଆଗ୍ରହ ଯୋଗୁଁ ସେ ଆଲୋଚନା ଓ ନିର୍ଯ୍ୟାସ ନିର୍ଣ୍ଣୟରୁ ନିଜକୁ ଦୂରେଇ ରଖିଲେ ।୨୦୧୯ ମସିହାରେ ତ୍ରୁଟିପୂର୍ଣ୍ଣ ଗଣନା ପାଇଁ ମହାଶିବରାତ୍ରି ପାଳନରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ବିଚ୍ୟୁତ ହେଲା । ଚଳିତ ବର୍ଷ ମଧ୍ୟ ସରସ୍ୱତୀ ପୂଜା କୁମାର ପୂର୍ଣ୍ଣିମା ପାଳନ ଦ୍ୱନ୍ଦ୍ୱ ମଧ୍ୟରେ ରହିଥିବାବେଳେ ସବୁ ଦ୍ୱନ୍ଦ୍ୱକୁ ବଳିଗଲା ଦୀପଦାନ ବା ପରା ଶ୍ରାଦ୍ଧ ଦିନ ନିର୍ଦ୍ଧାରଣ । ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ୱ ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମ ଏହାକୁ କେବଳ ତର୍କରେ ସୀମିତ ରଖିଲେ । କିନ୍ତୁ ଦ୍ୱନ୍ଦ୍ୱ ଥିଲା ଅମାବାସ୍ୟାର ତିଥିର ବ୍ୟାପ୍ତିକୁ ନେଇ । ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତ ନିଜସ୍ୱ ଗଣନାରେ ଅମାବାସ୍ୟା ତିଥି ୨୧ ତାରିଖ ସଂଧ୍ୟା ୫.୩୦ ମିନିଟ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ସର୍ବଭାରତୀୟ ସ୍ତରରେ ଏହା ସଂଧ୍ୟା ୫.୫୫ ମିନିଟ ପର୍ଯ୍ୟନ୍ତ  ରହିଥିଲା ।ଏହା ସତ୍ୟ ଯେ ଆମର ଅୟନାଂଶ ଆଧାରିତ ତିଥି ବ୍ୟାପ୍ତି ସମୟ ସର୍ବଭାରତୀୟ ସ୍ତରରେ ସମାନ ।

    ୨୦୦୨ ମସିହାରୁ ପଣ୍ଡିତ ସଭା ସ୍ୱୀକୃତ ପଞ୍ଜିକାରେ କେବଳ ସର୍ବ ଭାରତୀୟ ସ୍ତରରେ ନିର୍ଣ୍ଣିତ ତିଥି ବ୍ୟାପ୍ତି ରେ ଅମେଳ ରହୁଛି ତାହା ନୁହେଁ ବରଂ ସେ ସ୍ୱୀକୃତି ଦେଉଥିବା ଏକାଧିକ ପଞ୍ଜିକାରେ ପାରସ୍ପରିକ ଅନେକ ତଥ୍ୟର ଅମେଳ ରହୁଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଛି । ଯେତେବେଳେ ଏଇ ପୟାଶ୍ରାଦ୍ଧର ଅମେଳ ଗଣମାଧ୍ୟମରେ ପ୍ରକାଶ ପାଇଲା ମୁକ୍ତିମଣ୍ଡପ ପଣ୍ଡିତ ସଭା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ସ୍ୱୀକୃତ ପଞ୍ଜିକା ଠିକ୍‌ ବୋଲି ଘୋଷଣା କରାଗଲା । ଆଶ୍ଚର୍ଯ୍ୟର କଥା ଯେ କିଛି ବୈଦ୍ୟୁତିକ ଗଣମାଧ୍ୟମ ଏହାକୁ " ଦ୍ୱନ୍ଦ୍ୱ ଦୂର ହେଲା’ ବୋଲି ପ୍ରକାଶ କରିଦେଲେ । ଏହା ସତ୍ୟ ଯେ କୌଣସି ଘଟଣାରେ ଦ୍ୱିମତ ପ୍ରକାଶ ପାଇଲେ ତାହା ଦକ୍ଷତା ଥିବା ତୃତୀୟ ପକ୍ଷଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଏ । ଏଠାରେ ସ୍ପଷ୍ଟ କରାଯିବା ଉଚିତ୍‌ ଯେ ଯେଉଁ ପଞ୍ଜିକାକୁ ପଣ୍ଡିତ ସଭା ସ୍ୱୀକୃତି ଦେଇଥିଲେ ସେ ପ୍ରେସ ଦ୍ୱାରା ସଂକ୍ଷିପ୍ତ ପଞ୍ଜିକା ବହୁ ପୂର୍ବରୁ ପ୍ରକାଶିତ ହୋଇଥିଲା ଏବଂ ସେଥିରେ ୨୧ ତାରିଖକୁ ଦୀପାବଳୀ ଓ ପୟାଶ୍ରାଦ୍ଧ ସୂଚୀତ ଥିଲା । ସରକାର ମଧ୍ୟ ପଣ୍ଡିତ ସଭା ଓ ସେଇ ପାଞ୍ଜି ପ୍ରକାଶକଙ୍କ ସୂଚନା ଆଧାରରେ ୨୧ ତାରିଖକୁ ସରକାରୀ ଛୁଟି ଘୋଷଣା କରିଥିଲେ । କିନ୍ତୁ ସାରା ଦେଶରେ ଅମାବାସ୍ୟାର ବ୍ୟାପ୍ତିଠାରୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତ ପଞ୍ଜିକାରେ ଭିନ୍ନତା ସ୍ପଷ୍ଟ କରୁଥିଲା ଯେ ସେହି ପଞ୍ଜିକାରେ କିଛି ତ୍ରୁଟି ରହିଛି । ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ନିର୍ଦ୍ଦେଶକ ମଧ୍ୟ ୨୧ ତାରିଖ ସଂଧ୍ୟା ୫.୫୫ ପର୍ଯ୍ୟନ୍ତ ଅମାବାସ୍ୟା ତିଥି ରହିଥିବା କହିଥିବା ବେଳେ ପଣ୍ଡିତ ସଭା ତରଫରୁ ତାଙ୍କ ସ୍ୱୀକୃତ ପଞ୍ଜିକା ତ୍ରୁଟି ଶୁନ୍ୟ ବୋଲି ସଫେଇ କେବେ ବି ଗ୍ରହଣ ଯୋଗ୍ୟ ନୁହେଁ । ଏହି ସମସ୍ୟା ସର୍ବଭାରତୀୟ ସ୍ତରରେ ମଧ୍ୟ  ଆଲୋଚନା ହୋଇଥିଲା । କିନ୍ତୁ ସବୁଠାରେ ଅମାବାସ୍ୟାର ବ୍ୟାପ୍ତି ସଂଧ୍ୟା ୫.୫୫ ମିନିଟକୁ ଗ୍ରହଣ କରାଯାଇଥିଲା । ଏହି ସତ୍ୟତା ଉପଲବ୍ଧ ପରିବର୍ତ୍ତେ  ବୈଦ୍ୟୁତିକ ଗଣମାଧ୍ୟମ ବାସ୍ତବତାକୁ ତର୍କରେ ସୀମିତ ରଖି ଦର୍ଶକଙ୍କୁ କେଉଁ ବାର୍ତ୍ତା ଦେଲେ ତାହା ତ ଦୂରର କଥା କିନ୍ତୁ "ଦ୍ୱନ୍ଦ୍ୱ ଦୂର ହେଲା" ବାର୍ତ୍ତାଟି ରାଜ୍ୟ ଲୋକଙ୍କ ପାଇଁ ଅନେକ ଅସମାହିତ ଆଶଙ୍କା ମଧ୍ୟରେ ରଖିଦେଲା ଏଥିରେ ସନ୍ଦେହ ନାହିଁ । 

୧୧୩- ଗୁଣ୍ଡିଚା ବିହାର, ପୁରୀ -୨
ମୋ:୭୯୭୮୭୮୫୪୭୮