ଅକ୍ଟୋବର ମାସ ଓ ଭାରତୀୟ ଇତିହାସ
ଗୋପାଳ ମହାପାତ୍ର : ଭାରତର ରାଜନୈତିକ ଇତିହାସ ଏବଂ ଅକ୍ଟୋବର ମାସ ପ୍ରସଙ୍ଗରେ ବିଶ୍ଲେଷଣ କଲେ ଜଣାପଡେ଼ ଯେ ଏହି ମାସର ଗୁରୁତ୍ୱ ରହିଛି । କାରଣ ହେଉଛି ଏହି ମାସର ୨ ତାରିଖରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥାଏ । ଦ୍ୱୀତୀୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହିମାସର ବା ଅକ୍ଟୋବର ୧୭ ତାରିଖରେ ମୁସଲମାନ ମାନେ ଖିଲାଫତ ଆନ୍ଦୋଳନ ଆରମ୍ଭ କରିଥିଲେ । ଗାନ୍ଧୀ ଏବଂ ଖିଲାଫତ ଆନ୍ଦୋଳନ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଦେଶରେ ଯେତିକି ଯେତିକି ସଚେତନତା ବଢିଥିଲା ଲୋକେ ସେତିକି ଗାନ୍ଧୀଙ୍କ ଆଡକୁ ଆକର୍ଷିତ ହୋଇଥିଲେ ଓ ଗାନ୍ଧୀଙ୍କୁ ବୁଝିବା ପାଇଁ ଉଦ୍ୟମ କରିଥିଲେ । ଏହି କାରଣରୁ ୭୫ ବର୍ଷ ପୁର୍ବର ପିଢ଼ି ଯେଭଳି ଭାବରେ ଗାନ୍ଧୀଙ୍କୁ ଆଖି ବୁଜି ବିଶ୍ୱାସ କରୁଥିଲେ ଏବେର ପିଢ଼ି ଗାନ୍ଧୀଙ୍କୁ ସେମିତି ବିଶ୍ୱାସ କରିପାରୁ ନାହାଁନ୍ତି । ଏହି କାହାଣୀ ରାଲେଟ ଆକ୍ଟରୁ ଆରମ୍ଭ ହୋଇଛି । ୧୯୧୯ ମସିହା ଫେବୃୟାରୀ ୬ ତାରିଖରେ ତତ୍କାଳୀନ ବ୍ରିଟିଶ୍ ସରକାର କ୍ରାନ୍ତିକାରୀ (ସ୍ୱାଧୀନତା ସଂଗ୍ରାମୀ) ମାନଙ୍କ ସ୍ୱାଧୀନତା ଆନ୍ଦୋଳନକୁ ଦଳିମକଚି ବିଫଳ କରିବା ପାଇଁ ଏହି ରାଲେଟ ଆକ୍ଟ ପ୍ରଣୟନ କରିଥିଲେ । ଏହି ଆଇନ ଅନୁସାରେ ବ୍ରିଟିଶ ସରକାର ଯେ କୌଣସି ବ୍ୟକ୍ତିକୁ ବିନା ଓ୍ୟାରେଣ୍ଟରେ ଗିରଫ କରିବା ସହ ଜେଲକୁ ପଠାଇ ପାରୁଥିଲେ । ଇମ୍ପେରିଆଲ ଲେଜିସଲେଟିଭ କାଉନସିଲକୁ ନିର୍ବାଚିତ ହୋଇଥିବା ଭାରତୀୟ ପ୍ରତିନିଧି ଯଥା ମଦନମୋହନ ମାଲବ୍ୟ, ମହମ୍ମଦ ଅଲ୍ଲୀ ଜିନ୍ନା ଏବଂ ମଜହର ଭଲ ହକ ଏହି ଆଇନ ପାଇଁ ଆଗତ ବିଧେୟକ ବିରୁଦ୍ଧରେ କାଉନସିଲରେ ମତଦାନ କରିବା ସହ ଇସ୍ତଫା ଦେଇଥିଲେ ।
୧୯୧୯ ମସିହା ମାର୍ଚ୍ଚ ୩୦ ତାରିଖରେ ଗାନ୍ଧୀ ରାଲେଟ ଆକ୍ଟ କୁ ବିରୋଧ କରି ସତ୍ୟାଗ୍ରହ ଆରମ୍ଭ କରିଥିଲେ । ସତ୍ୟାଗ୍ରହ ଆରମ୍ଭ ହେବା ପୂର୍ବରୁ ଦେଶର ଅନେକ ସ୍ଥାନରେ ବ୍ରିଟିଶ ବିରୋଧୀ ପ୍ରଦର୍ଶନ ଏବଂ ବିଦ୍ରୋହ ଆରମ୍ଭ ହୋଇଯାଇଥିଲା । ଅମୃତସର ( ପଞ୍ଜାବ)ର ଦୁଇଜଣ ନେତା ଡ଼କ୍ଟର ସତ୍ୟପାଳ ଏବଂ ସେଫୁଦିନଙ୍କୁ ଏପ୍ରିଲ ୯ ତାରିଖରେ ବ୍ରିଟିଶ ସରକାର ଗିରଫ କରି କଳାପାଣି ପଠାଇଦେଇଥିଲେ । ବ୍ରିଟିଶ ସରକାରଙ୍କ ଏହି ଗିରଫଦାରୀକୁ ବିରୋଧ କରି ସ୍ଥାନୀୟ ଲୋକମାନେ ଏପ୍ରିଲ ୧୩ ତାରିଖ ବୈଶାଖୀ ଉତ୍ସବ ଅବସରରେ ଜାଲିଆନାବାଲା ବାଗ୍ ଠାରେ ବିରୋଧ ପ୍ରଦର୍ଶନର ଆୟୋଜନ କରିଥିଲେ । ଏହି ବିରୋଧ ପ୍ରଦର୍ଶନକୁ ଭଣ୍ଡୁର କରିବା ପାଇଁ ବ୍ରିଗେଡିୟର ଜେନେରାଲ ରେଜିଲାଲଡ଼ ଡ଼ାୟର ଉପସ୍ଥିତ ଲୋକଙ୍କ ଉପରକୁ ଗୁଳି ଚଳାଇବା ପାଇଁ ନିର୍ଦେଶ ଦେଇଥିଲେ । ବ୍ରିଟିସ ଫୌଜଙ୍କ ଗୁଳିରେ୪୦୦ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିଲା ଓ ୨ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଥିଲେ ୪୧ ନାବାଳକ । ଏହି ଜଘନ୍ୟ ଗୁଳିକାଣ୍ଡ ଜନିତ ହତ୍ୟା ଘଟଣା ଭଗବତସିଂହ ଏବଂ ଉଦ୍ଧମ ସିଂହଙ୍କୁ ବ୍ରିଟିଶ ଶାସନ ବିରୁଦ୍ଧରେ ଯିବା ପାଇଁ ପ୍ରେରିତ କରିଥିଲା । ଏଥି ସହିତ ଗଦର ପାର୍ଟି ନାମରେ ସଂଗଠିତ କିଛି ବ୍ରିଟିଶ ବିରୋଧି କ୍ରାନ୍ତିକାରୀ ଅସ୍ତ୍ରଶସ୍ତ୍ର ଚୋରି କରି ଭାରତୀୟ ସୈନିକଙ୍କୁ ବ୍ରିଟିଶ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଜାଲିଆନାବାଲା ବାଗ ଘଟଣାର ୨୧ବର୍ଷ ପରେ ୧୯୪୦ ମସିହା ମାର୍ଚ୍ଚ ୧୩ ତାରିଖରେ ଉଦ୍ଧମସିଂହ ଲଣ୍ଡନରେ ଜେନେରାଲ ଡ଼ାୟରଙ୍କ ସହଯୋଗୀ ମାଇକେଲ ଡ଼ାୟରକୁ ହତ୍ୟା କରିଥିଲେ । ବ୍ରିଟିଶ ସରକାର ୧୯୪୦ ମସିହା ଜୁଲାଇ ମାସ ୩୧ ତାରିଖରେ ଉଦ୍ଧମ ସିଂହଙ୍କୁ ଫାଶୀ ଦେଇଥିଲେ ।
ଭାରତର ସ୍ୱାଧୀନତା ସଂଗ୍ରାମ ଉପରେ ଜାଲିଆନାବାଲା ବାଗ୍ ହତ୍ୟାକାଣ୍ଡ ଅଧିକ ପ୍ରଭାବ ପକାଇଥିଲା । ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଏହି ଜଘନ୍ୟ ହତ୍ୟାକାଣ୍ଡକୁ ବିରୋଧ କରି ବ୍ରିଟିଶ ସରକାର ତାଙ୍କୁ ଦେଇଥିବା ନାଇଟହୁଡ଼ ଉପାଧିକୁ ପରିତ୍ୟାଗ କରିଥିଲେ । ଗୋଟିଏ ପଟେ ଜାଲିଆନାବାଲା ବାଗ୍ ହତ୍ୟାକାଣ୍ଡ ପରେ କ୍ରାନ୍ତିକାରୀ ଆନ୍ଦୋଳନ ଅଧିକ ହେବାରେ ଲାଗିଥିଲା ଓ ଅନ୍ୟପଟେ ଗାନ୍ଧୀ ସବୁ ବର୍ଗଙ୍କୁ ନିଜ ସହ ସାମିଲ କରି ଶାନ୍ତି ପୂର୍ବକ ବିରୋଧର ରାସ୍ତା ଆପଣେଇଥିଲେ । କିନ୍ତୁ ସେତେବେଳେ ଅଣ କଂଗ୍ରେସ ମୁସଲମାନ ମାନେ ଗାନ୍ଧୀଙ୍କ ଆନ୍ଦୋଳନରେ ଭାଗ ନେବା ପାଇଁ ମନା କରି ଦେଇଥିଲେ । ସେମାନେ ଆନ୍ଦୋଳନରେ ଭାଗ ନନେବାର କାରଣ ଥିଲା ଯେ ଜାଲିଆନାବାଲାବାଗ୍ ଗୁଳିକାଣ୍ଡରେ ଅଧିକ ସଂଖ୍ୟକ ହିନ୍ଦୁ ଓ ଶିଖ ପ୍ରାଣ ହରାଇଥିଲେ । ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ମୁସଲମାନଙ୍କ ସଂଖ୍ୟା ନଗଣ୍ୟ ଥିଲା । ଆନ୍ଦୋଳନ ବେଳେ ଲୋକେ ହିଂସାକାଣ୍ଡ ଘଟାଇଥିବା କାରଣରୁ ଗାନ୍ଧୀ ରାଲେଟ ଆକ୍ଟ ବିରୁଦ୍ଧରେ କରିଥିବା ସତ୍ୟାଗ୍ରହ ପ୍ରତ୍ୟାହାର କରିନେଇଥିଲେ । ଅନେକଙ୍କ ମତରେ ଗାନ୍ଧୀ ସେତେବେଳେ ହିଁସାର ବାହାନା କରି ସତ୍ୟାଗ୍ରହ ପ୍ରତ୍ୟାହାର କରିଦେଇଥିଲେ । କିନ୍ତୁ ଜାଲିଆନାବାଲା ବାଗ୍ର ଆନ୍ଦୋଳନରେ ଲୋକେ କୌଣସି ହିଁସାକାଣ୍ଡ ଘଟାଇ ନଥିଲେ । ସ୍ଥାନୀୟ ଲୋକେ ରାଲେଟ ଆକ୍ଟ ଏବଂ ସତ୍ୟପାଳ ଓ ସୈଫୁଦ୍ଦିନଙ୍କ ଗିରଫଦାରୀକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିଥିଲେ । ଜାଲିଆନାବାଲାବାଗ୍ ଗୁଲିକାଣ୍ଡ ଘଟଣା ଉପରେ ବ୍ରିଟିଶ ସରକାର ଏକ କମିଶନ ବସାଇଥିଲେ ଓ ସେଇ କମିଶନ (ହଣ୍ଟରକମିଶନ)ଙ୍କ ଶୁପାରିଶ କ୍ରମେ ଜେନେରାଲ ଡ଼ାୟାରଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।
ଅସହଯୋଗ ଆନ୍ଦୋଳନ ଆରମ୍ଭ ପୂର୍ବରୁ ଗାନ୍ଧୀ ମୁସଲମାନ ମାନଙ୍କ ସମର୍ଥନ ହାସଲ କରିବାକୁ ଚାହୁଁଥିଲେ । କିନ୍ତୁ ସେତେବେଳେ ଭାରତୀୟ ମୁସଲମାନ ମାନେ ଭାରତର ସ୍ୱାଧୀନତା ଅପେକ୍ଷା ତୁର୍କୀର ଇସଲାମିକ ଶାସନର ପ୍ରତୀକ ଖଲଫାଙ୍କ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଉଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ପରେ ବ୍ରିଟିଶ ସରକାର ଖଲଫା (ତୁର୍କୀର ସୁଲତାନ)ଙ୍କୁ ତାଙ୍କ ପଦବୀରୁ ହଟାଇବାକୁ ଚାହୁଁଥିଲେ । ଭାରତୀୟ ମୁସଲମାନମାନେ ତୁର୍କୀର ଖଲିଫାଙ୍କ ସପକ୍ଷରେ ଆନ୍ଦୋଳନର ରଣନୀତି ପ୍ରସ୍ତୁତ କରୁଥିଲେ କାରଣ ସେମାନେ ଖଲିଫାଙ୍କୁ ମହମ୍ମଦ ପୈଗମ୍ବରଙ୍କ ଧାର୍ମିକ ଏବଂ ରାଜନୈତିକ ଉତ୍ତରାଧିକାରୀ ବୋଲି ଭାବୁଥିଲେ । ୧୯୧୯ ମସିହା ଅକ୍ଟୋବର ୧୭ ତାରିଖକୁ ମୁସଲମାନ ମାନେ ଖିଲାଫତ ଦିବସ ଭାବେ ପାଳନ କରିଥିଲେ ଏବଂ ନଭେମ୍ବର ୨୩ ତାରିଖରେ ଦିଲ୍ଲୀରେ ଖିଲାଫତ ଆନ୍ଦୋଳନ ପାଇଁ ସମ୍ମିଳନୀର ଆୟୋଜନ କରିଥିଲେ । ଗାନ୍ଧୀ ମୁସଲମାନ ମାନଙ୍କ ସମର୍ଥନ ପାଇଁ ଖିଲାଫତ ଆନ୍ଦୋଳନକୁ ସମର୍ଥନ କରିଥିଲେ ଏବଂ ଅଖିଳ ଭାରତୀୟ ଖିଲାଫତ ସମ୍ମିଳନୀର ଅଧ୍ୟକ୍ଷ ହୋଇଥିଲେ । ଖିଲାଫତ ଆନ୍ଦୋଳନ ବେଳେ ୨୦୨୧ ମସିହା ଅଗଷ୍ଟ ୨୦ ତାରିଖରେ ଦକ୍ଷିଣ ମାଲାବାରଠାରେ ହିନ୍ଦୁଙ୍କ ବିରୁଦ୍ଧରେ ହିଁସାକାଣ୍ଡ ଘଟିଥିଲା ଓ ୨୫ ହଜାରରୁ ଅଧିକ ହିନ୍ଦୁଙ୍କ ହତ୍ୟା ହୋଇଥିଲା । ବାମପନ୍ଥୀ ଐତିହାସିକ ମାନେ ମୋପଲା ବିଦ୍ରୋହକୁ ଖିଲାଫତ ଆନ୍ଦୋଳନ ଠାରୁ ଭିନ୍ନ ବୋଲି ଦର୍ଶାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ତଥ୍ୟ ହେଉଛି ଏ ଦୁଇ ଆନ୍ଦୋଳନ ପରସ୍ପର ସହ ଜଡିତ । ମୋପାଲା ଆନ୍ଦୋଳନର ନେତା ଥିଲେ ଅଲି ମୁସଲିଆର ମସଜିଦର ଇମାମ । ସେ ମଧ୍ୟ ଖିଲାଫତ ଆନ୍ଦୋଳନର ପ୍ରମୁଖ ନେତା ଥିଲେ । ଖିଲାଫତ ଆନ୍ଦୋଳନ ବେଳେ ଇମାମଜଣକ ହିନ୍ଦୁ ଜମିଦାର ମାନଙ୍କୁ ଟାର୍ଗେଟ କରି ଭୂମିହୀନ ମୁସଲିମ କୃଷକ ମାନଙ୍କର ଏକ ସଂଗଠନ ଗଢ଼ିଥିଲେ । ପରବର୍ତ୍ତୀ ସମୟରେ ଖିଲାଫତ ଆନ୍ଦୋଳନକୁ ସମର୍ଥନ କରିବା ତାଙ୍କର ଏକ ମସ୍ତବଡ଼ ଭୁଲ ଥିଲା ବୋଲି ନିଜେ ଗାନ୍ଧୀ ସ୍ୱୀକାର କରିଛନ୍ତି । ୨୦୨୨ ମସିହା ଫେବୃୟାରୀ ୪ତାରିଖରେ ଚୌରୀ ଚୌରା ଠାରେ ଘଟିଥିବା ହିଁସାକାଣ୍ଡ ପରେ ଗାନ୍ଧୀ ରାଲେଟ ଆକ୍ଟ ବିରୁଦ୍ଧରେ କରିଥିବା ସତ୍ୟାଗ୍ରହକୁ ପ୍ରତ୍ୟାହାର କଲାଭଳି ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ କରିଦେଇଥିଲେ ।
ରାମଚନ୍ଦ୍ରପୁର, ରଣପୁର
ମୋ : ୯୪୩୮୪୮୫୦୯୪