ରାଜରାସ୍ତାକୁ ଓହ୍ଲାଇଲେ କଳା ଓ କ୍ରୀଡ଼ା ପ୍ରଶିକ୍ଷକ
ବରୁଅାଁ: ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପ୍ରାପ୍ତ ପାର୍ଟଟାଇମ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ୨୦୧୩ ମସିହା ଠାରୁ ନିଯୁକ୍ତି ପାଇ ଅଦ୍ୟାବଧି ସ୍ୱଳ୍ପ ଦରମାରେ କାର୍ଯ୍ୟ କରିଆସୁଛନ୍ତି । ପୂର୍ବ ସରକାର ସମୟରେ ଦୀର୍ଘ ୧୨ବର୍ଷ ଧରି ବିଭିନ୍ନ ତରିକାରେ ନିୟମିତ କରିବାକୁ ଦାବି ଉପସ୍ଥାପନ କରି ଆସୁଥିବା ସ୍ଥଳେ ସେତେ ବେଳର ସରକାର ଖାଲି ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଥିଲେ । ଏବେକାର ସରକାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ ଏବଂ ଓସେପା ନିଦେ୍ର୍ଦଶକ ସମସ୍ତଙ୍କୁ ମଧ୍ୟ ଏ ବିଷୟରେ ଲିଖିତ ଅବଗତ କରାଯାଇଥିଲେ ମଧ୍ୟ ଏଦିଗରେ କିଛି ବି ପଦକ୍ଷେପ ନେଇ ନାହାଁନ୍ତି । କଳା, ସଂସ୍କୃତି ଓ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଉଥିବା ଏବେକାର ସରକାର କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନଙ୍କ ଦାବିକୁ ନିଶ୍ଚିତ ପୂରଣ କରିବେ ବୋଲି ୫ହଜାର କଳା ଓ କ୍ରୀଡ଼ା ପ୍ରଶିକ୍ଷକ, ଶିକ୍ଷୟିତ୍ରୀ ଓ ସେମାନଙ୍କ ପରିବାର ଆଶା ପୋଷଣ କରିଥିଲେ । ମାତ୍ର ବିଡ଼ମ୍ବନାର ନୂଆ ସରକାର ଆସିବାର ପ୍ରାୟ ୬ ମାସ ବିତି ଯାଇଥିଲେ ମଧ୍ୟ ସରକାରୀ ସ୍ତରରେ ଏହି ପାର୍ଟ ଟାଇମ କଳା ଓ କ୍ରୀଡ଼ା ପ୍ରଶିକ୍ଷକଙ୍କ ନିୟମିତକୁ ନେଇ କୌଣସି ପଦକ୍ଷେପ ନେଇଥିବାର ନଜିର ନାହିଁ । ତେଣୁ ବାଧ୍ୟ ହୋଇ ପ୍ରଶିକ୍ଷକ ସେମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଉପସ୍ଥାପନ କରିବା ପାଇଁ ଆଜି ଠାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଜ୍ୟ ସରକାର ପାର୍ଟ ଟାଇମ୍ କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନଙ୍କ ଦାବିକୁ ମାନି ଏ ବିଷୟରେ କିଛି ପଦକ୍ଷେପ ନେବା ପାଇଁ ୧୨ବର୍ଷ ଧରି ହନ୍ତସନ୍ତ ହେଉଥିବା କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଆନେ୍ଦାଳନକୁ ଓହ୍ଲାଇଛନ୍ତି ।
କଳା ଓ କ୍ରୀଡା ପ୍ରଶିକ୍ଷକ ନୂତନ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ତୃଣମୂଳସ୍ତରରୁ କଳା, ସଂସ୍କୃତି, କ୍ରୀଡ଼ା, ଯୋଗ, ଐତିହ୍ୟ ଓ ପରମ୍ପରାର ବିକାଶର ସ୍ୱପ୍ନକୁ ସାର୍ଥକ କରିପାରିବା ପାଇଁ ମହାସଂଘର ସଭାପତି ପାଣ୍ଡବ ବିଶି, ସମ୍ପାଦକ ସ୍ମିତାଞ୍ଜଳି ମହାପାତ୍ର, ରଶ୍ମୀରଞ୍ଜନ ସାହାଣୀ, ଧର୍ମେନ୍ଦ୍ର ପଣ୍ଡା, ପ୍ରଦୀପ କୁମାର ଦାସ, ମନୋଜ କୁମାର ଚୌଧୁରୀ, ସ୍ୱପ୍ନେଶ୍ୱର ପ୍ରଧାନ, ରଘୁନାଥ ସାମଲ, ଶଙ୍କର ପ୍ରସାଦ ମହାପାତ୍ର, ଗୋବିନ୍ଦ ସବର, ଇନ୍ଦୁମତି ସାହୁ ପ୍ରମୁଖ ସୂଚନା ଦେଇଛନ୍ତି ।