ବ୍ରାହ୍ମଣୀ ନଦୀବନ୍ଧ ପଥର ପ୍ୟାକିଂରେ ଅନିୟମିତତା
ବ୍ରହ୍ମବରଦା : ରାଜ୍ୟ ସରକାର ପ୍ରତ୍ୟେକ ନଦୀର ତଟବନ୍ଧ ସୁରକ୍ଷା ନିମନ୍ତେ ପଥର ପ୍ୟାକିଂର ବ୍ୟବସ୍ଥା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ରସୁଲପୁର ବ୍ଲକ ବ୍ରହ୍ମବରଦା ବ୍ରାହ୍ମଣୀ ନଦୀର ତଟବନ୍ଧ ପଥର ପ୍ୟାକିଂ କ୍ଷେତ୍ରରେ ବହୁ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି । ବିନା ସୂଚନା ଫଳକ ଓ ନିମ୍ନମାନର କାମକୁ ନେଇ ଗ୍ରାମର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ସୁଚନାନୁଯାୟୀକି ଜାରକା ଜଳସେଚନ ବିଭାଗ ଅଧିନ ରସୁଲପୁର ବ୍ଲକ ଦେଓଦା ପଞ୍ଚାୟତ ବାସୁଦେବପୁର ଠାରୁ ରସୁଲପୁର ବ୍ଲକ ବ୍ରହ୍ମବରଦା ହାଟ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀବନ୍ଧର ଦକ୍ଷିଣ ପାର୍ଶ୍ୱ ରାସ୍ତା କାମ ଚାଲୁ ରହିଛି । ତା ସହିତ ଉକ୍ତ ବ୍ରାହ୍ମଣୀ ନଦୀର ତଟବନ୍ଧ ସୁରକ୍ଷା ନିମନ୍ତେ ବିଭିନ୍ନ ସ୍ଥାନରେ ପଥର ପ୍ୟାକିଂ କାମ ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ନଦୀଶଯ୍ୟା ପଥର ପ୍ୟାକିଂ କାମ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତଟବନ୍ଧର ଫାଙ୍କା ସ୍ଥାନ ମାନଙ୍କରେ ସଠିକ ଢଙ୍ଗରେ ପଥର ପ୍ୟାକିଂ କରାଯାଉନଥିବା ବେଳେ ଏଥିରେ ବ୍ୟବହୃତ ହେଉଥିବା ପଥର ଅତି ନିମ୍ନମାନର ବୋଲି ଦେଖିବାକୁ ମିଳିଛି ।
ଯାହା ନଦୀବନ୍ଧର ସୁରକ୍ଷା ଓ ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏପରି ବେପରୁଆ ଢଙ୍ଗରେ କାମ ଜାରି ରହିଲେ ଆଗକୁ ନଦୀରେ ବନ୍ୟାଜଳ ପ୍ରବେଶ କଲେ ନଦୀକୁଳିଆ ବାସୀଙ୍କ ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବନାହିଁ । ଅନ୍ୟପକ୍ଷରେ ପଥର ପ୍ୟାକିଂ କାମ ଚାଲିଥିବା ବେଳେ ଏହାର ଅନୁଦାନ, ଠିକାସଂସ୍ଥା, କାର୍ଯ୍ୟର ଅବଧି ଓ ଏହାର ପରିସୀମା, ବୋଲ୍ଡର କିମ୍ୱା ମେଟାଲ୍ ପଥର ବ୍ୟବହାରକୁ ନେଇ ମଧ୍ୟ କୌଣସି ସୂଚନା ଫଳକ ଲଗାଯାଇନାହିଁ । ଯାହା ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖି କାର୍ଯ୍ୟ କରାଯାଉଥିବା ଏଥିରୁ ଅନୁମେୟ ହେଉଛି । ଅପରପକ୍ଷେ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ କୌଣସି ବିଭାଗୀୟ ଯନ୍ତ୍ରୀଙ୍କ ପାଦ ପଡୁନଥିବାରୁ ଠିକାସଂସ୍ଥା ଦ୍ୱାରା ନିୟୋଜିତ କର୍ମଚାରୀ ମାନେ ମନମାନି ଚଳାଇଥିବା ଅଭିଯୋଗ ହେଉଛି । କିନ୍ତୁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କାର ଆୟବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ଦୁର୍ନୀତିକୁ ଖୋରାକ ଯୋଗାଉଥିବା ଚର୍ଚା ହେଉଛି । ଏନେଇ ଜାରକା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କାମଦେବ ଦାସଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା ।