ଫଟୋଗ୍ରାଫି ଦିବସ ପାଳିତ

 ଖୋର୍ଦ୍ଧା : ଜିଲ୍ଲା ଫଟୋଗ୍ରାଫର ସଂଘ ପକ୍ଷରୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଛି  । ସଂଘ ସଭାପତି ପ୍ରବୀର ବ୍ରହ୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦିବସରେ ଶତାଧିକ ଷ୍ଟୁଡିଓର ଫଟୋଗ୍ରାଫର ମାନେ ଯୋଗ ଦେବା ସହ ସ୍ଥାନୀୟ ପରିବେଶକୁ ସଫାସୁତୁରା କରି ବୃକ୍ଷରୋପଣ କରିଥିଲେ । ପରେ ଆୟୋଜିତ ବୈଠକରେ ଜିଲ୍ଲାର ବରିଷ୍ଠ ଫଟୋଗ୍ରାଫର ଦୁର୍ଯେ୍ୟାଧନ ଜେନାଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଫଟୋଗ୍ରାଫର ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋଚନା କରାଯାଇଥିଲା । ଫଟୋଗ୍ରାଫି ଏକ ପେଷା ନୁହେଁ ବରଂ ଏହା ପ୍ରତିଟି ଫଟୋଗ୍ରାଫର ପାଇଁ ଏକ ଚ୍ୟାଲେଞ୍ଜ ବୋଲି ବରିଷ୍ଠ ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ । ଆଖି ସାମ୍ନାରେ ଘଟି ଯାଉଥିବା ଘଟଣାକୁ କିଛି ସେକେଣ୍ଡ ନିଜ କ୍ୟାମେରା ଲେନ୍ସରେ କଏଦ କରିବା ସହଜ କଥା ନୁହେଁ, ଏହା ଏକ  ପ୍ରତିଭା । ଆଜିର ସୋସିଆଲ ମିଡ଼ିଆ ଓ ଏଆଇ ଯୁଗରେ ନିଜ ପ୍ରତିଭାକୁ ଅଧିକ କ୍ରିୟାଶୀଳ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା । ବରିଷ୍ଠ ସଦସ୍ୟ ସନ୍ଦିପ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଦିବସକୁ କାର୍ଯ୍ୟକାରୀ ସଭାପତି ସମରେନ୍ଦ୍ର ସାମନ୍ତରାୟ, ସାଧାରଣ ସଂପାଦକ ଗଗନ ବିହାରୀ ମହାପାତ୍ର, କୋଷାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମହାପାତ୍ର, ଉପସଭାପତି ଦିଲ୍ଲୀପ ବିଧାର ପ୍ରମୁଖ ପରିଚାଳନା କରିଥିବା ବେଳେ, ଶ୍ରୀକାନ୍ତ ଜଗଦେବ, ନାଲୁ ମହାରଣା, ବିଷ୍ଣୁ ମୋହନ ପଟ୍ଟନାୟକ, ମନୋଜ ରାୟସିଂ ପ୍ରମୁଖ ସହଯୋଗ କରିଥିଲେ ।