"ଫ୍ୟାଟି ଲିଭର' ଲକ୍ଷଣ ଓ ସତର୍କତା

"ଫ୍ୟାଟି ଲିଭର' ଲକ୍ଷଣ ଓ ସତର୍କତା

ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଲିଭର । ଅନେକ ହୁଏତ ଏହି ଲିଭର ବିଶେଷକରି ଫ୍ୟାଟି ଲିଭର ସମ୍ପର୍କରେ ଅଜଣା ଥାଆନ୍ତି । କିନ୍ତୁ ଏହି ଫ୍ୟାଟି ଲିଭର ଘାତକ ହୋଇ ଶରୀରର କ୍ଷତି କରିବା ବେଳକୁ ଶରୀରର ଅନେକ ଅଂଶ ସଂକ୍ରମିତ ହେବାସହ ରୋଗୀ ଜଣଙ୍କ ଗୁରୁତର ମଧ୍ୟ ହୋଇଯାଇଥାଏ । ଆମ ଶରୀରର ନିରବ ନାୟକ ଯକୃତ ବା ଲିଭର ପୋଷକୀୟ ସଂରଚନା, ଶରୀର ଗଠନ, ପୁଷ୍ଟିସାର ସଂଶ୍ଲେଷଣ ଓ ବିଷ ହରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଶରୀର ସୁରକ୍ଷାକାରୀ ଗୁଣ ସତ୍ତେ୍ୱ ଏହା "ଫ୍ୟାଟି ଲିଭର' ବା "ଚର୍ବିଳ ଯକୃତ' ଭଳି ରୋଗରେ ଆକ୍ରାନ୍ତ ହୋଇଥାଏ । ଯକୃତ କୋଷରେ ଅତ୍ୟଧିକ ଚର୍ବି ଜମା ହେବା ଦ୍ୱାରା ଏହି ଅବସ୍ଥା ଦେଖାଦିଏ ଏବଂ ପ୍ରଦାନ, ଯନ୍ତ୍ରଣା ଓ ଅନ୍ୟାନ୍ୟ ଦୀର୍ଘକାଳୀନ ସମସ୍ୟା ସୃଷ୍ଟି କରେ ।

      "ଫ୍ୟାଟି ଲିଭର'ର କିଛି ପ୍ରାକ୍‌ ଲକ୍ଷଣ ବିଷୟରେ ଜାଣିବା । ଯକୃତ ବିଶେଷଜ୍ଞଙ୍କ କହିବାନୁସାରେ, ତଳିପେଟ ଧୀରେ ଧୀରେ ପୃଥୁଳକାୟ ହେବା "ଫ୍ୟାଟି ଲିଭର'ର ପୂର୍ବାଭାସ । କ୍ଲାନ୍ତି ଅନୁଭବ ହେବା କି ବ୍ୟସ୍ତବିବ୍ରତ ଲାଗିବା ମଧ୍ୟ ଏହି ରୋଗର ଅନ୍ୟ ଏକ ପ୍ରାକସୂଚନା । ପିଞ୍ଜରାର ଡାହାଣ ପାଖ ତଳେ ଅସ୍ୱସ୍ତି ଅନୁଭବ କରିବା ମଧ୍ୟ ଏକ ପ୍ରମୁଖ ସଂକେତ ହୋଇପାରେ । ସେହିପରି ପ୍ରବଳ ଚୁଟି ଝଡ଼ିବା, ମୁହଁରେ ବ୍ରଣ ଉଠିବା, ବାରମ୍ବାର ଓକାର ଆସିବା ଓ ଭୋକ ନ ଲାଗିବା ବି ଏହାର ଲକ୍ଷଣ ହୋଇପାରେ । ଏଭଳି ଲକ୍ଷଣ ଦେଖିଲେ ଡାକ୍ତରଙ୍କ ସହ ପରାମର୍ଶ କରି ଆବଶ୍ୟକ ଚିକିତ୍ସା ଆରମ୍ଭ କରିବା ଜରୁରି । "ଫ୍ୟାଟି ଲିଭର'ର ଆଶଙ୍କା ହ୍ରାସ କରିବାର କେତେକ ଉପାୟ ହେଲା - ପ୍ରକ୍ରିୟାକୃତ ଖାଦ୍ୟ ବଦଳରେ ପନିପରିବା, ଫଳମୂଳ ଓ ସ୍ୱାସ୍ଥ୍ୟପ୍ରଦ ଚର୍ବି ଗ୍ରହଣ କରିବା ମଦ୍ୟପାନ, ପ୍ରକ୍ରିୟାକୃତ ଶର୍କରା ଓ ଚିନି ଆଦି ଗ୍ରହଣକୁ ପାରୁ ପର୍ଯ୍ୟନ୍ତ କମ କରିବା ।

     ଫ୍ୟାଟି ଲିଭର ପାଇଁ ସତର୍କ ରହି ସର୍ବଦା ସୁଷମ ଖାଦ୍ୟ ଖାଆନ୍ତୁ, ବିଶୁଦ୍ଧ ପାଣି ପିଅନ୍ତୁ, ଆମିଷ ଖାଦ୍ୟ ଓ ସମସ୍ତ ପ୍ରକାର ନିଶାଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ, ସକାଳୁ ଯୋଗ ପ୍ରାଣାୟମ ଏକ ଖୁବ ଭଲ ଅଭ୍ୟାସ । ଫ୍ୟାଟି ଲିଭରକୁ ନେଇ ସେପରି ଚିନ୍ତିତ ହେବା ଅନୁଚିତ । ଶରୀରକୁ ସୁସ୍ଥ କରିବା ନିମିତ୍ତ ଆଦୌ ଅତ୍ୟଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଲିଭର ଜନିତ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ । ତେବେ ପେଟ ଯନ୍ତ୍ରଣା ହେଉଥିବା ସମୟରେ ମନଇଛା ପେନ କିଲର ଗ୍ରହଣ କରନ୍ତୁ ନାହିଁ । ପ୍ରଚୁର ଜଳପାନ କରି ଶରୀରକୁ ସର୍ବଦା ଆର୍ଦ୍ର ରଖିବା । ସର୍ବୋପରି ନିୟମିତ ବ୍ୟାୟାମ ସହ ଶରୀରର ଓଜନ ଉପରେ ନିଘା ରଖିବା ଦରକାର । 


ଡ.ଉମେଶ ଚନ୍ଦ୍ର ପାତ୍ର
ମୋ : ୯୪୩୭୦୫୧୯୫୭