ବଢୁଛି ଚୋରି ଡକାୟତି, ଆତଙ୍କିତ ଲୋକେ
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନରେ ଗତ ୨ମାସ ଧରି କ୍ରମାଗତ ଚୋରି ଓ ଡକାୟତି ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ସଞ୍ଜ ହେଲେ ଘରୁ ବାହରିବାକୁ ସେମାନେ ସାହସ କରି ପାରୁନାହଁନ୍ତି । ବିଶେଷ କରି ଖଇରା ଥାନା ଅଧିନ ବିଭିନ୍ନ ସ୍ଥାନରୁ ଗତ ମଙ୍ଗଳବାର ରାତିରେ ୨ ସଶସ୍ତ୍ର ଡକାୟତି ଓ ଗୋଟିଏ ଚୋରି ଘଟଣା ଖଇରା ବାସୀଙ୍କ ନିଦ ହଜାଇ ଦେଇଛି । ଡାଲଙ୍ଗ ଗ୍ରାମ ଖଣିଆ ସ୍କୁଲ ନିକଟସ୍ଥ କ୍ରାନ୍ତିକୁମାର ଦାସ ନିଜ ମା’ ଓ ଭଉଣୀ ସହ ଘରେ ଶୋଇଥିବା ବେଳେ ୮ଜଣ ଦୁର୍ବୃତ୍ତ ଘର ଗ୍ରୀଲ ଓ କବାଟ ଭାଙ୍ଗି ଘରେ ପଶି ସମସ୍ତଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିବା ସହ ଦଉଡିରେ ହାତ ଗୋଡ ବାନ୍ଧି ଦେଇଥିଲେ । କ୍ରାନ୍ତୀବିରଙ୍କୁ ନିସ୍ତୁକ ମାଡ ମାରିବା ପରେ ଗଡ୍ରେଜ ଭାଙ୍ଗି ନଗଦ ୨ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ । ଏ ନେଇ ଥାନାରେ ଥାନାରେ ମାମଲା ରୁଜୁ ହେବା ପରେ ଖଇରା ପୁଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ମାଧ୍ୟମରେ ପ୍ରାଥମିକ ତଦନ୍ତ କରିଛନ୍ତି । ସେହିପରି ସାରକୋଣା ଗ୍ରାମର ଅଜିତ କୁମାର ମହାପାତ୍ର ପିଚୁ ଢଳେଇ କାମ ସାରି ମେସିନ ଅପରେଟର ସଞ୍ଜିତ ଦାସଙ୍କ ସହ ଡଗରପଡା କେନାଲ ରାସ୍ତାରେ ନିଜ ଆପାଚି ବାଇକରେ ଘରକୁ ଆସୁଥିବା ବେଳେ ୨ଟି ଗାଡିରେ ପାଖାପାଖି ୮ଜଣ ଦୁର୍ବୃତ୍ତ ପଛରୁ ଆସି ତାଙ୍କ ବାଇକ ଅଟକାଇ ଭୁଜାଲି ଓ ବନ୍ଧୁକ ଦେଖାଇ ନିସ୍ତୁକ ମାଡ ମାରି ବାଇକ,୨ଜଣଙ୍କର ୨ଟି ଦାମୀ ମୋବାଇଲ ଛଡାଇ ନେଇ ପଳାଇଥିବା ନେଇ ଶ୍ରୀ ମହାପାତ୍ର ଖଇରା ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଏହାଛଡା ମାଖନପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ତାଲା ଭାଙ୍ଗି କୌଣସି ଦୁର୍ବୃତ୍ତ ପ୍ରିଣ୍ଟର, କମ୍ପୁ୍ୟଟର ସମେତ ଅନ୍ୟାନ୍ୟ ଆସବାବ ପତ୍ର ଚୋରାଇ ନେଇଥିବାର ମହିଳା ସ୍ୱାସ୍ଥ୍ୟକର୍ମୀ ସତ୍ୟଭାମା ବାରିକ ଖଇରା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରାଯିବା ସହ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ କରାଯାଉଥିବା ଆଇଆଇସି ସୁଚନ୍ଦ୍ର ମହାଳିକ କହିଛନ୍ତି ।