ବଢୁଛି ବେଆଇନ ବାଲି ଚୋରା ଚାଲାଣ
\ ସାରସକଣା/ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ଅଞ୍ଚଳ ସାରସକଣା ବ୍ଲକରେ ଦିନକୁ ଦିନ ବଢୁଛି ବେଆଇନ୍ ବାଲି ଚୋରା ଚାଲାଣ । ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବେଆଇନ ଭାବେ ବାଲି ଯୋଗାଇ ଦିଆଯାଉଥିବାବେଳେ ମାଇନିଙ୍ଗ ବିଭାଗ ନୀରବଦ୍ରଷ୍ଟା ସାଜିଥିବାବେଳ ପୁଲିସ ମଧ୍ୟ ଚେଇଁ ଶୋଇଛି । ଫଳରେ ସରକାରଙ୍କର ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନୀ ହେଉଛି । ସୂଚନା ଅନୁଯାୟୀ, ସାରସକଣା ବ୍ଲକ ସ୍ଥିତ ଦୁଇଟି ବାଲି ଘାଟକୁ ପୂର୍ବରୁ ସରକାରୀ ପ୍ରକ୍ରିୟା ଅନୁଯାୟୀ ବାଲି ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଥିଲା । ହେଲେ ସରକାରଙ୍କ ପାଖରେ ଦିଆଯାଇଥିବା ଡିପୋଜିଟ ମୂଲ୍ୟର ଅବଧି ସରିଯିବା ପରେ ମଧ୍ୟ ଦୀର୍ଘ ଏକବର୍ଷରୁ ଅଧିକ ସମୟ ଧରି ବେଆଇନ ଭାବେ ଚୋରା କାରବାର ହେଉଥିଲା । ମାତ୍ର ପୂର୍ବରୁ ଲିଜ ନେଇଥିବା ବାଲି ବ୍ୟବସାୟୀ ଏକ ସପ୍ତାହ ପୂର୍ବରୁ ପୁଣି ଟଙ୍କା ଜମା କରି ସୁବର୍ଣ୍ଣରେଖା ନଦୀ ସ୍ଥିତ ପାଣ୍ଡରା ଗ୍ରାମ ନିକଟ ଯମୁନାପାଳ ଘାଟକୁ ସରକାରୀ ପ୍ରକ୍ରିୟା ଅନୁଯାୟୀ ବାଲି ଉତ୍ତୋଳନ ପାଇଁ ଅନୁମତି ପାଇଛନ୍ତି । ହେଲେ ଆଶ୍ଚର୍ଯ୍ୟର ବିଷୟ ବାଲି ଉତ୍ତୋଳନ ପାଇଁ ଅନୁମତି ପତ୍ର ଗୋଟିଏ ସ୍ଥାନର ରହିଛି, ମାତ୍ର ବାଲି ଉତ୍ତୋଳନ କରୁଛନ୍ତି ଶୀର୍ଷା ସ୍ଥିତ ରିଗୁଡ଼ି ସାହି ଘାଟରୁ । ପାଣ୍ଡରା ସ୍ଥିତ ଯମୁନାପାଳ ଘାଟକୁ ସିଧାସଳଖ ରାସ୍ତା ରହିଥିବାବେଳେ ଶୀର୍ଷା ରୁଗୁଡ଼ସାହି ଘାଟକୁ ସଂଯୋଗ କରୁଛି ସୁବର୍ଣ୍ଣରେଖା ଶାଖା କେନାଲ । ପ୍ରତ୍ୟେକ ଦିନ ସନ୍ଧ୍ୟାରୁ ଆରମ୍ଭ କରି ରାତିତମାମ ୧୦ ଚକିଆରୁ ୧୪ ଚକିଆ ପର୍ଯ୍ୟନ୍ତ ହାଇୱା ବାଲି ଓଭର ଲୋର୍ଡିଂ କରି ଉକ୍ତ ରାସ୍ତାରେ ଯାତାୟାତ କରିବା ଫଳରେ ରାସ୍ତା ଖରାପ ହେବା ସହ ଶାଖା କେନାଲ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ସୁବର୍ଣ୍ଣରେଖା ଜଳ ସେଚନ ବିଭାଗ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ । କାର୍ଯ୍ୟାନୁଷ୍ଠାନ ପୂର୍ବକ ଅଧିକାରୀଙ୍କ ନିଦେ୍ର୍ଦଶରେ ଗତ ମଙ୍ଗଳବାର ଦିନ କେନାଲ ଉପର ସ୍ଥିତ ଅବାଧ ରାସ୍ତାକୁ ବ୍ୟାରିକେଡ୍ ବସାଇବା ପାଇଁ ତଡାଯାଇଛି । ଅନ୍ୟପକ୍ଷରେ ଦୈନିକ ରାଜସ୍ୱ ନିରୀକ୍ଷକ ଝାରପୋଖରୀଆଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବେଆଇନ ବାଲି ବୋଝେଇ ଗାଡିଗୁଡିକ ଯାତାୟାତ କରୁଥିବାବେଳେ ପୁଲିସ ଅଧିକାରୀ, ଗୃହରକ୍ଷୀମାନଙ୍କ ସମ୍ମୁଖରେ ଏହି କାରବାର ଚାଲିଛି । ତଥାପି ମାଇନିଙ୍ଗ ଅଧିକାରୀ ଆଜିଯାଏଁ ଉକ୍ତ ବେଆଇନ ଘାଟକୁ ଯାଞ୍ଚ କଲେ ନାହିଁ କି କାର୍ଯ୍ୟାନୁଷ୍ଠାନ ନେଲେନାହିଁ । ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ପୁଲିସ ବାଲି ଗାଡିକୁ ସୁରକ୍ଷା ଦେଉଥିବା ମଧ୍ୟ ଆଲୋଚନା ହେଉଛି । ଯେଉଁଥିପାଇଁ ବେଆଇନ ଘାଟରୁ ନିତ୍ୟ ୨୦ରୁ ୩୦ ହାଇୱା ବାଲି ବୋଝେଇ ଜିଲ୍ଲାର ବିଭିନ୍ନ ସ୍ଥାନକୁ ତଥା ରାଜ୍ୟ ବାହାରକୁ ମଧ୍ୟ ଯିବାରେ ସଫଳ ହୋଇପାରୁଛି । ଗୋଟାଏପଟେ ମୁଖ୍ୟମନ୍ତ୍ରୀ ବେଆଇନ କର୍ଯ୍ୟ ଉପରେ କଡା ପ୍ରହାର କଥା କହୁଥିବାବେଳେ ଖୋଦ ରାଜସ୍ୱ ବିଭାଗ ମନ୍ତ୍ରୀ ଜିଲ୍ଲା ଗସ୍ତରେ ଆସିଥିବାବେଳେ ସୀମାନ୍ତ ଅଞ୍ଚଳରେ ଚାଲିଥିବା ବେଆଇନ ବାଲିକୁ ନିୟନ୍ତ୍ରଣ କରିବା କଥା କହିଯାଇଥିଲେ । ହେଲେ ଜିଲ୍ଲାରେ ନେତା, ପୁଲିସ, ପ୍ରଶାସନ ମିଳିତ ଭାବେ ଦଳୀୟ ବେଆଇନ ବେପାରୀଙ୍କୁ ସାହାର୍ଯ୍ୟ କରିବା ନିଶ୍ଚିତ ଡବଲ ଇଞ୍ଜିନ ସ୍ୱଚ୍ଛ ସରକାର ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଦେଖିବାକୁ ବାକି ରହିଲା ଜିଲ୍ଲା ଅଧିକାରୀ ବେଆଇନ କରବାର ରୋକିବାରେ କ’ଣ ପଦକ୍ଷେପ ନେଉଛନ୍ତି ନା ପୂର୍ବପରି ଜିଲ୍ଲାର ଶାସନକୁ ହାତବାରିସୀ କରି ଫାଇଦା ନେଇଛନ୍ତି ମାଫିଆ ।